କୋଲକାତା: ଅଭୟା ମାଉସୀଙ୍କର ଚାଞ୍ଚଲ୍ୟକର ବୟାନ । ପରିବାରକୁ ଟଙ୍କା ଯାଚିବା ଓ ଏସମ୍ପର୍କିତ ଏକ ଭାଇରାଲ୍ ଭିଡିଓ ଉପରେ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି । ଅଭୟାଙ୍କ ମାଉସୀ କହିଛନ୍ତି, ଗତ ୧୧ ତାରିଖ ରାତିରେ ପୀଡ଼ିତାଙ୍କ ପରିବାରକୁ ଏଥିପାଇଁ ବାଧ୍ୟ କରାଯାଇଥିଲା । ସେତେବେଳେ ମାମଲା କୋଲକାତା ପୋଲିସ ପାଖରେ ଥିଲା । କେତେ ଟଙ୍କା ଥିଲା ସେମାନେ ଜାଣି ନାହାନ୍ତି । କିନ୍ତୁ ନୋଟର ବଣ୍ଡଲ ଥିଲା । ରାତି ଗୋଟାଏ ବେଳେ ସେହି ଭିଡିଓ ଭାଇରାଲ୍ ହୋଇଥିଲା ।
ଜାଣିଶୁଣି ଏମିତି କରାଯାଇଥିବା କହିଛନ୍ତି ଅଭୟାଙ୍କ ମାଉସୀ । ତେବେ ଟଙ୍କା କିଏ ଯାଚିଥିଲା ଜାଣି ନଥିବା କହିଛନ୍ତି । ଏପଟେ କୋଲକାତା ଆରଜି କର ମେଡିକାଲ୍ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ଦୁର୍ନୀତି ମାମଲାରେ କୋଲକାତା ହାଇକୋର୍ଟ ଦେଇଥିବା ସିବିଆଇ ତଦନ୍ତ ନିର୍ଦ୍ଦେଶ ବିରୋଧରେ ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି ।
ସର୍ବୋଚ୍ଚ ଅଦାଲତ କହିଛନ୍ତି, ଆର୍ôଥକ ଅନିୟମିତତା ଅଭିଯୋଗ ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ହସ୍ତକ୍ଷେପ କରିବା ଅଧିକାର ସନ୍ଦୀପ ଘୋଷଙ୍କର ନାହିଁ । ସେପଟେ ସନ୍ଦୀପ ଘୋଷ କହିଛନ୍ତି, ସେ ତଦନ୍ତ ବିରୋଧୀ ନୁହଁନ୍ତି । କିନ୍ତୁ କୋଲକାତା ହାଇକୋର୍ଟ ତାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ଆପତ୍ତି ଉଠାଇଛନ୍ତି । ଆରଜି କର ଦୁଷ୍କର୍ମ ଘଟଣା ସହିତ ତାଙ୍କୁ ଯୋଡିବା ଅନ୍ୟାୟ ବୋଲି ସନ୍ଦୀପ ଘୋଷ କହିଛନ୍ତି ।