24.1 C
Bhubaneswar
Monday, April 6, 2026
Homeଦେଶ ବିଦେଶକୋଲକାତା ଦୁଷ୍କର୍ମ-ହତ୍ୟା ଘଟଣା: ସୁପ୍ରିମକୋର୍ଟ ଖପ୍ପା, ଗଠନ ହେଲା ନ୍ୟାସନାଲ ଟାସ୍କଫୋର୍ସ

କୋଲକାତା ଦୁଷ୍କର୍ମ-ହତ୍ୟା ଘଟଣା: ସୁପ୍ରିମକୋର୍ଟ ଖପ୍ପା, ଗଠନ ହେଲା ନ୍ୟାସନାଲ ଟାସ୍କଫୋର୍ସ

ନୂଆଦିଲ୍ଲୀ: କୋଲକାତା କନିଷ୍ଠ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରି ସୁପ୍ରିମକୋର୍ଟ ଭୀଷଣ ବର୍ଷିଛନ୍ତି । ଆଜି ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମାମଲାର ପ୍ରଥମ ଶୁଣାଣି କରି ମମତା ସରକାର, ପଶ୍ଚିମବଙ୍ଗ ପୋଲିସ ପ୍ରଶାସନକୁ କଡା ଭର୍ତ୍ସନା କରିଛନ୍ତି । ଏହା ସହ ସାରା ଦେଶରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ପାଇଁ ନ୍ୟାସନାଲ ଟାସ୍କଫୋର୍ସ ଗଠନ କରିବାକୁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହା କେବଳ ଏକ ଅପରାଧ ନୁହେଁ ବରଂ ସମଗ୍ର ଦେଶରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷାର ପ୍ରସଙ୍ଗ ବୋଲି କହିଛନ୍ତି ପ୍ରଧାନ ବିଚାରପତି । ଏହା ସହ ପୀଡିତାଙ୍କ ସମ୍ପର୍କରେ ତଥ୍ୟ ପ୍ରଘଟ କରିବା ନେଇ ମଧ୍ୟ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କୋଲକାତା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲାରେ ପକ୍ଷ ରଖିଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ କେତେବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସରେ ଏତଲା ଦାଏର କରିଥିଲେ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ପୀଡିତାଙ୍କ ମୃତଦେହକୁ ତାଙ୍କ ପରିବାରକୁ ସାଢେ ତିନିଘଣ୍ଟା ବିଳମ୍ବରେ ଦେଖିବାକୁ ଦିଆଯାଇଥିଲା ବୋଲି କହି କୋର୍ଟ ଭର୍ତ୍ସନା କରିଥିଲେ । ପୀଡିତାଙ୍କ ପରିବାର କିମ୍ବା ସମ୍ପର୍କୀୟନ ଥିବା ବେଳେ ମେଡିକାଲ କଲେଜ କର୍ତ୍ତୃପକ୍ଷ କଣ କରିବା ଉଚିତ ଥିଲା ? ବିଳମ୍ବ କରି ହତ୍ୟାକାଣ୍ଡକୁ କଣ ଆତ୍ମହତ୍ୟାର ରୂପ ଦେବା ପାଇଁ ମେଡିକାଲ କଲେଜର ଅଧ୍ୟକ୍ଷ ଚାହୁଁଥିଲେ କି ? ଏହା ସହ ଜଘନ୍ୟ ଅପରାଧ ଘଟିଥିବା ସ୍ଥାନକୁ ତଦନ୍ତ ପାଇଁ କାହିଁକି ସୁରକ୍ଷିତ ରଖାଗଲାନାହିଁ । ଏତେ ସଂଖ୍ୟାରେ ଉତ୍ୟକ୍ତ ଲୋକେ କିପରି ହସ୍ପିଟାଲ ପରିସରରେ ପ୍ରବେଶ କରି ଏହାକୁ ଭଙ୍ଗାରୁଜା କଲେ ଓ କ୍ରାଇମ ରି-କ୍ରିସଏସନ ଏବେ କିପରି ହେବ ବୋଲି କୋର୍ଟ ପ୍ରଶ୍ନ କରିଥିଲେ ।

ଏତେସଂଖ୍ୟାରେ ଲୋକେ ହସ୍ପିଟାଲରେ ପ୍ରବେଶ କରି ଉପଦ୍ରବ କରିବା ପ୍ରଶ୍ନରେ ସଲିସେଟର ଜେନେରାଲ କୋଲକାତା ପୋଲିସର ସମ୍ପୃକ୍ତି କଥା ମଧ୍ୟ ସନ୍ଦେହଘେରକୁ ଆଣିଥିଲେ । ଏହା କଣ ପୋଲିସର ଅଗୋଚରରେ ସମ୍ଭବ କି ବୋଲି ସଲିସେଟର ଜେନେରାଲ ପ୍ରଶ୍ନ କରିଥିଲେ । ଟାସ୍କଫୋର୍ସ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ଉପରେ ବିଚାର କରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଲିଙ୍ଗଗତ ହିଂସାକୁ ରୋକିବା ଏବଂ ଇଣ୍ଟର୍ଣ୍ଣ, ରେସିଡେଣ୍ଟ ଏବଂ ନନ-ରେସିଣ୍ଡେଣ୍ଟ ଡାକ୍ତରଙ୍କ ପାଇଁ ଏକ ସୁରକ୍ଷିତ ଓ ସମ୍ମାନଜନକ କାର୍ଯ୍ୟଖସଡା ନିଶ୍ଚିତ କରିବାକୁ ଏକ ଜାତୀୟ ଯୋଜନା ପ୍ରସ୍ତୁତ କରିବ । ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶ ଅନ୍ୟ ଏକ ଦୁଷ୍କର୍ମ ଓ ହତ୍ୟା ମାମଲା ଘଟିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବ ନାହିଁ । ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଥିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ରାଜ୍ୟ ସରକାର ନିଶ୍ଚିତ କରିବା ଆବଶ୍ୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking