ଭୁବନେଶ୍ୱର: ଜୁଲାଇ ୨୬ରୁ ଅନୁଷ୍ଠିତ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ କିଟ୍ ଓ କିସ୍ର ୧୨ଜଣ ଖେଳାଳି ସାମିଲ ହେବାର ଯୋଗ୍ୟତା ଅର୍ଜନ କରିଛନ୍ତି । କୌଣସି ଶିକ୍ଷାନୁଷ୍ଠାନରୁ ଅଲିମ୍ପିକ୍ସରେ ଏତେ ସଂଖ୍ୟକ ଖେଳାଳି ଯୋଗଦେବା କ୍ଷେତ୍ରରେ କିଟ୍ ହେଉଛି ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ । ଏହା କିଟ୍, ଓଡ଼ିଶା ତଥା ଭାରତ ପାଇଁ ଗୌରବର ବିଷୟ । ଏ ନେଇ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତ ଖେଳାଳି ଭର୍ଚୁଆଲ୍ରେ ଉପସ୍ଥିତ ଥିଲେ । ଅଲିମ୍ପିକ୍ସ ପାଇଁ ଖେଳାଳିମାନେ ୟୁରୋପର ବିଭିନ୍ନ ଦେଶରେ ବର୍ତ୍ତମାନ ତାଲିମରତ ଥିବାରୁ ସେମାନେ ଭର୍ଚୁଆଲ୍ରେ ଉପସ୍ଥିତ ରହିଥିଲେ । ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୭ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କରିଥିଲେ । ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ସାମନ୍ତ ସେମାନଙ୍କ ସଫଳତା କାମନା କରିଥିଲେ । ଖେଳାଳିଙ୍କ ଉଦ୍ଦେଶ୍ୟରେ ଶ୍ରୀ ସାମନ୍ତ କହିଲେ, ତୁମମାନଙ୍କ କଠିନ ପରିଶ୍ରମ ଓ ତ୍ୟାଗ ପାଇଁ ତୁମେମାନେ ଦେଶକୁ ଗୌରବ ଆଣିଦେବ ବୋଲି ଆମର ଦୃଢ଼ ବିଶ୍ୱାସ ।
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ କିଟ୍ରୁ ଯୋଗଦେଇଥିବା ଖେଳାଳିମାନେ ହେଲେ ହକିରେ ଅମିତ ରୋହିଦାସ, ଜାଭେଲିନ୍ ଥ୍ରୋରେ କିଶୋର କୁମାର ଓ ଅନ୍ନୁ ରାନୀ, ସଟ୍ପୁଟ୍ରେ ତେଜିନ୍ଦର ସିଂହ ତୁର ଓ ଆଭା ଖଟୁଆ, ୩ହଜାର ଓ ୫ହଜାର ମିଟର ଷ୍ଟିପ୍ଲଚେଜ୍ରେ ପାରୁଲ ଚୌଧୁରୀ, ୨୦ କିଲୋମିଟର ରେସ୍ ୱାକ୍ ଓ ମାରାଥନ ରେସ୍ ୱାକ୍ ମିକ୍ସଡ ରିଲେରେ ପ୍ରିୟଙ୍କା, ୧୦୦ ମିଟର ହର୍ଡଲ୍ସରେ ଜ୍ୟେତି ୟାରାଜି, ୪ ଙ୍ଘ ୪୦୦ମିଟର ରିଲେ ଟିମ୍ରେ ପ୍ରାଚୀ, ୫ହଜାର ମିଟରରେ ଅଙ୍କିତା, ୨୦ କିଲୋମିଟର ରେସ୍ ୱାକ୍ରେ ପରମଜିତ୍ ସିଂହ ବିଷ୍ଟ, ମାରାଥନ ରେସ୍ ୱାକ୍ ମିକ୍ସଡ ରିଲେ ଟିମ୍ରେ ସୂରଜ ପନୱାର ସାମିଲ ହୋଇଛନ୍ତି ।
ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସାମନ୍ତ କହିଲେ, କିଟ୍ ଓ କିସ୍ ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଯେଉଁଠାରୁ ସର୍ବାଧିକ ଅଲିମ୍ପିଆନ୍ ତିଆରି ହୋଇ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଛନ୍ତି । କିଟ୍ ଓ କିସ୍ରୁ ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଅଲିମ୍ପିଆନ୍, ୨ଜଣ ପାରାଅଲିମ୍ପିଆନ୍ ତିଆରି ହୋଇସାରିଲେଣି । ସେମାନେ ୨୦୧୬ ରିଓ ଅଲିମ୍ପିକ୍ସ, ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ବେଳେ ୧୨ଜଣ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରେ ୭ଜଣ ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳି ମଧ୍ୟ ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଯୁଗ୍ମ ସମ୍ପାଦକ ପ୍ରଫେସର ବଲଜିତ୍ ସିଂହ ସେଖାଓଁ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ମୁଖ୍ୟ ଆଥ୍ଲେଟିକ୍ କୋଚ ସଞ୍ଜୟ କୁମାର ଗଡ଼ନାୟକ ଏବଂ କିଟ୍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓ ଯୋଗ ବିଭାଗ ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।