ତେହରାନ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ। ଏହି ଧମକ ଆଉ କିଏ ନୁହେଁ ଇରାନ ପୂର୍ବତନ ସୁପ୍ରିମ ଲିଡର ଅୟାତୁଲ୍ଲା ଅଲୀ ଖାମେନିଙ୍କ ଘନିଷ୍ଠ ସହଯୋଗୀ ତଥା ଇରାନର ସିକ୍ୟୁରିଟି ଚିଫ୍ ଅଲି ଲାରିଜାନି ଦେଇଛନ୍ତି। ସେ ରବିବାର କହିଛନ୍ତି , ଟ୍ରମ୍ପଙ୍କୁ ଖାମେନିଙ୍କ ହତ୍ୟାର ମୂଲ୍ୟ ଦେବାକୁ ପଡ଼ିବ। ଖାମେନିଙ୍କ ସହଯୋଗୀ ଲାରିଜାନି ରବିବାର ଏକ୍ସରେ ପୋଷ୍ଟ କରିଛନ୍ତି – ଆମେ ଆମର ନେତା ତଥା ଆମ ଲୋକଙ୍କ ରକ୍ତର ପ୍ରତିଶୋଧ ନେବୁ। ଟ୍ରମ୍ପଙ୍କୁ ଏହାର ମୂଲ୍ୟ ଦେବାକୁ ହେବ। ଏହା ଉପରେ ଟ୍ରମ୍ପ ଏହି ଧମକ ଗୁଡ଼ିକୁ ଖଣ୍ଡନ କରି କହିଛନ୍ତି , ସେ ଲାରିଜାନି କିଏ, ତାଙ୍କୁ ସେ ଜାଣନ୍ତି ନାହିଁ। ୨୮ ଫେବ୍ରୁଆରୀରେ ଆମେରିକା ଓ ଇରାନ ମଧ୍ୟରେ ସେତେବେଳେ ଯୁଦ୍ଧର ଆରମ୍ଭ ହୋଇ ଥିଲା,ଯେବେ ଆମେରିକା ଓ ଇସ୍ରାଏଲ ମିଶି ଇରାନର ରାଜଧାନୀ ତେହରାନରେ ଅନେକ ଆକ୍ରମଣ କରି ଥିଲେ। ଏଥିରେ ଖାମେନିଙ୍କ ସମେତ ଅନେକଙ୍କ ବରିଷ୍ଠଙ୍କ ମୃତ୍ୟୁ ହୋଇଛି।
ଏହାପରେ ତେହରାନ ଗଲ୍ଫ ଦେଶ ଗୁଡ଼ିକ ଉପରେ ଲଗାତାର ଆକ୍ରମଣ କରୁଛି ଏବଂ ଦୁବାଇ , ବାହାରିନ, କୁଏତ, କତାର ସମେତ ଅନେକ ସ୍ଥାନରେ ମିସାଇଲ ଓ ଡ୍ରୋନ୍ ଦ୍ୱାରା ଆକ୍ରମଣ କରି ବଡ଼ କ୍ଷତି କରୁଛି। ଇରାନ ଆମେରିକାର ଅନେକ ବେସ୍ ଉପରେ ଆକ୍ରମଣ କରୁଛି। ଟ୍ରମ୍ପ ସିବିଏସ୍ ନ୍ୟୁଜକୁ କହିଛନ୍ତି, ମୋତେ ଜଣାନାହିଁ ଯେ, ସେ କେଉଁ ବିଷୟରେ କଥା ହେଉଛନ୍ତି, ସେ କିଏ। ମୋତେ କିଛି ଫରକ ପଡ଼ୁ ନାହିଁ। ସେ କହିଛନ୍ତି ଯେ, ଲାରିଜାନି ପୂର୍ବରୁ ହିଁ ହାରି ସାରିଛନ୍ତି। ସେ ଏହା ମଧ୍ୟ ଦୋହରାଇଛନ୍ତି ଯେ, ଇରାନ ଉପରେ ଆମେରିକୀୟ ଆକ୍ରମଣ ଜାରି ରହିବ ଏବଂ ତେହରାନକୁ ବିନା ସର୍ତ୍ତରେ ସରେଣ୍ଡରର ଦାବି କରିଛନ୍ତି। ଲାରିଜାନି ଏକ୍ସରେ ଏକ ଅଲଗା ପୋଷ୍ଟରେ ଇରାନର ପଡୋଶୀଙ୍କୁ ଏହା ମଧ୍ୟ କହି ଥିଲେ ଯେ, ତାଙ୍କୁ କିମ୍ୱା ଆମେରିକାକୁ ଇରାନ ବିରୋଧରେ ନିଜର ଅଞ୍ଚଳର ବ୍ୟବହାର କରିବାକୁ ରୋକିବା ଉଚିତ୍ , କିମ୍ୱା ଆମ ପାଖରେ ଏମିତି କରିବା ବ୍ୟତୀତ ଆଉ କୌଣସି ଉପାୟ ହିଁ ନାହିଁ। ଅନ୍ୟପଟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ମିନାବ ସହରରେ ଏକ ସ୍କୁଲ ଉପରେ ହୋଇଥିବା ଆକ୍ରମଣରେ ନଜକୁ ଦାୟୀ କରିନାହାନ୍ତି , ସେ କହିଛନ୍ତି ଏହାକୁ ଇରାନ ନିଜେ ହିଁ କରିଛି। ଏହି ଆକ୍ରମଣରେ ୧୭୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି , ଯେଉଁଥିରେ ଶିଶୁ ଥିବା କୁହାଯାଉଛି। ଟ୍ରମ୍ପ କହିଛନ୍ତି, ଏହି ଆକ୍ରମଣ ଇରାନର ଏକ ତ୍ରୁଟିପୂର୍ଣ୍ଣ ମିସାଇଲର କାରଣ ଯୋଗୁଁ ହୋଇ ଥାଇ ପାରେ।










