ଭୁବନେଶ୍ୱର: କେରଳ ବୁଲିବାକୁ ଯାଇଥିଲେ ଦୁଇ ଡାକ୍ତର ଓ ସେମାନଙ୍କ ପତ୍ନୀ । ହେଲେ ସୋମବାର ବିଳମ୍ୱିତ ରାତିରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତରଙ୍କ ପତ୍ତା ମିଳୁନି । ସେମାନଙ୍କ ପତ୍ନୀମାନେ ଏବେ ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି । ନିଖୋଜ ଥିବା ଦୁଇ ଡାକ୍ତରଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକ ।
କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ହେଉଛନ୍ତି ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା । ତାଙ୍କ ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲ ଓ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡା ଏବଂ ସ୍ୱାଧୀନ ପତ୍ନୀ ସ୍ୱୀକୃତି ମହାପାତ୍ର ଗତ ୨୬ ତାରିଖରେ ବାଙ୍ଗାଲୁରୁ ବୁଲିବା ପାଇଁ ଯାଇଥିଲେ । ସେମାନେ ସେଠାରୁ କେରଳ ଯାଇଥିଲେ । ୱାଇନାଡର ଲିନରା ଭିଲ୍ଲାରେ ରହିଥିଲେ । ଦୁର୍ଭାଗ୍ୟକୁ ସୋମବାର ରାତିରେ ମୋପ୍ପାଡି, ମୁବାଡକାଇ ଓ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା । ଭୂସ୍ଖଳନ ପରେ ମାଟି ମିଶା ବନ୍ୟା ପାଣି ବିଭିନ୍ନ ଜନବସତୀ ଅଞ୍ଚଳକୁ ମାଡ଼ି ଆସିଥିଲା । ଡାକ୍ତର ଚିନରାଙ୍କ ବାପା ପ୍ରମୋଦ କୁମାର ଚିନରାଙ୍କ କହିବା ଅନୁସାରେ ସୋମବାର ରାତି ପ୍ରାୟ ୨ଟା ସମୟରେ ବନ୍ୟା ପାଣି ମାଡ଼ି ଆସିଥିଲା ।
ତା’ପରଠାରୁ ବିଷ୍ଣୁ ପ୍ରସାଦଙ୍କ ପତ୍ତା ମିଳୁନି । ତାଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି । ଆଜି ସକାଳ ୬ଟା ବେଳେ ଆମେ ବୋହୂ କଥା ହୋଇଥିବା ପ୍ରମୋଦ କହିଛନ୍ତି । ସେହିପରି ଡାକ୍ତର ବିଷ୍ଣୁଙ୍କ ସହିତ ଯାଇଥିବା ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କର ମଧ୍ୟ କୌଣସି ପତ୍ତା ମିଳୁନାହିଁ । ତାଙ୍କ(ଡାକ୍ତର ସ୍ୱାଧୀନ ପଣ୍ଡା) ସ୍ତ୍ରୀ ସ୍ୱୀକୃତି ମହାପାତ୍ର ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି ପ୍ରିୟଦର୍ଶିନୀ କହିଥିବା ପ୍ରମୋଦ କୁମାର ଚିନରା ଜଣାଇଛନ୍ତି । ସୂଚନାରୁ ପ୍ରକାଶ, ୱାଇନାଡରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ୪ଟି ଗାଁର କିଛି ଅଞ୍ଚଳ ଛିନ୍ଛତର ହୋଇଯାଇଛି । ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଦଳ ମାଟି ତଳୁ ମୃତଦେହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।