ଭୁବନେଶ୍ୱର: ଆପଣ ଜାଣିଛନ୍ତି କି ଯେଉଁ ତାଲା ଚାବି ଆମେ ଘରର ସୁରକ୍ଷା ପାଇଁ ବ୍ୟବହାର କରିଥାଉ ତାହା ଆମ ଭାଗ୍ୟର ବନ୍ଦ ତାଲାକୁ ବି ଖୋଲିପାରିଥାଏ । ଏ କଥା ଆମେ କହୁନୁ ଏହା ଆମ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି । ପ୍ରାୟତଃ ଘରେ ସମସ୍ତେ ଏକ ସ୍ୱତନ୍ତ୍ର ସ୍ଥାନରେ ଚାବି ରଖିଥାନ୍ତି । କିନ୍ତୁ ପ୍ରାୟତଃ ଆମେ କିଛି ଚିନ୍ତା ନକରି ଘରର ଯେକୌଣସି ଦିଗରେ ଚାବି ରଖିଦେଇଥାଉ । ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କରିବା ଘର ପାଇଁ ଶୁଭ ହୋଇନଥାଏ । ବାସ୍ତୁ ବିଶେଷଜ୍ଞଙ୍କ ମତରେ ଘରେ ଏକ ସ୍ୱତନ୍ତ୍ର ଦିଗରେ ଚାବି ରଖିବା ଉଚିତ ।
ଘରେ ଚାବି ରଖିବାର ସଠିକ୍ ସ୍ଥାନ ଜାଣିବା ସହିତ ସେଗୁଡ଼ିକୁ ରଖିବାର ଉପାୟ ମଧ୍ୟ ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା ଘରେ କେଉଁ ସ୍ଥାନରେ ଚାବି ରଖିବା ଶୁଭ ହୋଇଥାଏ । ଘରେ ଚାବି ରଖିବା ପାଇଁ ଆପଣଙ୍କୁ ଏକ ଚାବି ଷ୍ଟାଣ୍ଡ କିମ୍ବା ବାକ୍ସ ତିଆରି କରନ୍ତୁ । ବାସ୍ତୁଶାସ୍ତ୍ର ଅନୁସାରେ, ସର୍ବଦା ପଶ୍ଚିମ ଦିଗରେ ଘରର ସମସ୍ତ ଚାବି ରଖିବା ଉଚିତ । ପଶ୍ଚିମ ଦିଗରେ ଚାବି ରଖିବା ଦ୍ୱାରା ଭାଗ୍ୟରେ ପରିବର୍ତ୍ତନ ହେବା ସହ ଘରକୁ ସୁଖ ସମୃଦ୍ଧି ଆସିବାର ବାଟ ଖୋଲିଥାଏ ।
ଚାବି ସହ ଜଡିତ ଏହି ଜିନିଷଗୁଡ଼ିକର ଧ୍ୟାନ ରଖନ୍ତୁ:
* ଘରେ କେବେବି ପୁରୁଣା, କଳଙ୍କି ଲଗା ଓ ବ୍ୟବହାର କରୁନଥିବା ଚାବି ରଖନ୍ତୁ ନାହିଁ । ଘରେ ବ୍ୟବହାର କରୁନଥିବା ଚାବି ରଖିବା ଦ୍ୱାରା ଧନ ହାନି ଘଟିଥାଏ ।
* ରୋଷେଇ ଘର ଏବଂ ପୂଜା ଘରେ କେବେବି ଚାବି ରଖିବା ଉଚିତ ନୁହେଁ । ରୋଷେଇ ଓ ପୂଜା ଘରେ ଚାବି ରଖିବା ଦ୍ୱାରା ଅଶାନ୍ତି ସୃଷ୍ଟି ହେବା ସହ ଘରର ଉନ୍ନତିରେ ବାଧା ଉପୁଜି ଥାଏ ।
* ଚାବି ଏକ ଗତିଶୀଳ ବସ୍ତୁ ହେଇଥିବାରୁ ଏହାକୁ ଶୋଇବା ଘରେ ରଖା ଯାଏ ନାହିଁ । ଶୋଇବା ଘରେ ଚାବି ରଖିଲେ ଭଲ ନିଦ ନ ହେବା ସହ ନିଦ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।
* ତାଲାରେ ଚାବି ଲଗାଇ ରଖନ୍ତୁ ନାହିଁ । ତାଲାରେ ଚାବି ଲଗେଇ ରଖିଲେ କାମ ଅଟକି ରହିବା ସହ କ୍ୟାରିୟରରେ ସମସ୍ୟା ଦେଖା ଦେଇଥାଏ ।
* ଚାବି ରଖିବା ଷ୍ଟାଣ୍ଡ ସର୍ବଦା ସଫା ସୁତୁରା ରଖନ୍ତୁ । ସ୍ୱସ୍ତିକ, ଓମ୍ ଭଳି ଧାର୍ମିକ ପ୍ରତୀକ ଥିବ ଚାବି ଷ୍ଟାଣ୍ଡରେ ଚାବି ରଖନ୍ତୁ । ଏହା କରିବା ଦ୍ୱାରା ଘରେ ଶାନ୍ତି ରହିବା ସହ କର୍ମ କ୍ଷେତ୍ରରେ ଉନ୍ନତି ହୋଇଥାଏ ।










