29.1 C
Bhubaneswar
Tuesday, February 10, 2026
Homeଓଡିଶାବିକଳ୍ପ କୃଷି ସନ୍ଧାନରେ କନ୍ଧମାଳ: ନୂତନ ଆଶା ସଂଚାର କରିଛି କଳା ହଳଦୀ, କଳା ଧାନ...

ବିକଳ୍ପ କୃଷି ସନ୍ଧାନରେ କନ୍ଧମାଳ: ନୂତନ ଆଶା ସଂଚାର କରିଛି କଳା ହଳଦୀ, କଳା ଧାନ ଓ କଳା ଗହମ

କନ୍ଧମାଳ: ଜୈବିକ ଚାଷ ପାଇଁ ପ୍ରସିଦ୍ଧ କନ୍ଧମାଳ ଜିଲ୍ଲା। ଏଠିକାର ଜୈବିକ ହଳଦୀ, ଅଦା ସାଙ୍ଗକୁ ପନିପରିବା ସାରାଦେଶରେ ନିଜର ଉତ୍କୃଷ୍ଟ ଗୁଣବତ୍ତା ପାଇଁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। କନ୍ଧମାଳ ଜିଲ୍ଲାର ଭୌଗୋଳିକ ସ୍ଥିତି, ମୃତ୍ତିକାର ମାନ ଏବଂ ଜଳସେଚନର ସମସ୍ୟା ଯୋଗୁଁ ଏଠାରେ ଧାନ ଭଳି ପାରମ୍ପରିକ ଚାଷର ଉପଯୋଗିତା ଖୁବ୍ କମ୍ ରହିଛି। ତେଣୁ ଜିଲ୍ଲାର ଚାଷୀମାନେ ସାଧାରଣତଃ ପନିପରିବା ଚାଷ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ତେବେ ସଂରକ୍ଷଣ ଏବଂ ବଜାରଜନିତ ସମସ୍ୟା ଯୋଗୁ ଚାଷୀମାନେ ଏଥିରୁ ଆଶାଜନକ ଲାଭ ପାଉନଥିଲା ବେଳେ ଅନେକ ସମୟରେ କ୍ଷତିର ସମ୍ମୁଖୀନ ହୋଇଥାନ୍ତି। ଏହି ଦୃଷ୍ଟିକୋଣରୁ ଜିଲ୍ଲାରେ ଏବେ ବିଭିନ୍ନ ଅଣ-ପାରମ୍ପରିକ ବିକଳ୍ପ କୃଷି ପାଇଁ ସମ୍ଭାବନାର ସନ୍ଧାନ କରାଯାଉଛି। ଗତ କିଛିବର୍ଷ ମଧ୍ୟରେ ଏ ଦିଗରେ ନୂତନ ପ୍ରୟାସ ମଧ୍ୟ ଆରମ୍ଭ କରାଯାଇଛି। କ୍ରମଶଃ ପାରମ୍ପରିକ କୃଷିର ସ୍ଥାନ ନେଉଛି ଷ୍ଟ୍ରବେରୀ, ଡ୍ରାଗନ୍ ଫ୍ରୁଟ୍‌, ବ୍ଲ ବେରୀ, ଲିଚ ଓ ଗେଣ୍ଡୁଫୁଲ ଭଳି ବିକଳ୍ପ। ଜିଲ୍ଲାରେ ଜୈବିକ କୃଷିର ଅଗ୍ରଦୂତ ସାଜିଥିବା ସଂସ୍ଥା କସମ ପକ୍ଷରୁ ଏ ନେଇ ଉଦ୍ୟମ ଜାରି ରହିଛି। ତିନୋଟି ବିକଳ୍ପ ତଥା ଅର୍ଥକରୀ ଫସଲର ଉତ୍ପାଦନ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି।

ଏଥି ମଧ୍ୟରେ ରହିଛି କଳା ଧାନ, କଳା ହଳଦୀ ଓ କଳା ଗହମ। ନିଜର ଗୁଣବତ୍ତା ପାଇଁ ବିଶ୍ୱସ୍ତରରେ ନାଁ କମାଇବା ସହିତ ଜିଆଇ ଟ୍ୟାଗ୍ ହାସଲ କରିଛି କନ୍ଧମାଳ ହଳଦୀ। କସମ ସମ୍ପାଦକ ସଞ୍ଜିତ ପଟ୍ଟନାୟକଙ୍କ ସୂଚନା ଅନୁସାରେ ୨୦୦୬ ମସିହାରେ ଏହି ହଳଦୀର ବିହନ କେରଳରୁ ଆଣି ଚାଷୀଙ୍କୁ ଯୋଗାଇ ଦିଆଯାଇଥିଲା। ଚାଷୀମାନେ କିଛି ବର୍ଷ ଏହାର ଚାଷକରିବା ପରେ ବିଭିନ୍ନ କାରଣରୁ ଏହା ବନ୍ଦ ହୋଇଯାଇଥିଲା। ଏବେ ପୁଣି ନୂତନ ଭାବେ ଆରମ୍ଭ ହୋଇଛି କଳା ହଳଦୀ ଚାଷ। ଅଳ୍ପ ସଂଖ୍ୟାରେ ହେଲେ ବି ଜିଲ୍ଲାର ସମସ୍ତ ବ୍ଲକରେ ଏହାର ଚାଷ ହେଉଥିବା ବେଳେ ବାର୍ଷିକ ପ୍ରାୟ ୪ କ୍ୱିଣ୍ଟାଲ୍ ହଳଦୀ ଉତ୍ପାଦିତ ହେଉଛି। ସାଧାରଣ ହଳଦୀ ଭଳି ଏହା ଜାନୁଆରୀ-ଫେବୃଆରୀ ମାସରେ ଲଗାଯାଇ ଜୁଲାଇ-ଅଗଷ୍ଟ ବେଳକୁ ଅମଳ କରାଯାଇଥାଏ। କମ୍ ପରିମାଣର ଅମଳ ହେଉଥିବାରୁ ଏବଂ ପ୍ରଚୁର ଔଷଧୀୟ ଗୁଣବତ୍ତା ଯୋଗୁ ଏହାର ବିକ୍ରୀରେ କୌଣସି ସମସ୍ୟା ହୁଏ ନାହିଁ। ସାଧାରଣତଃ ଔଷଧ କମ୍ପାନୀଗୁଡ଼ିକ ଚାଷୀଙ୍କଠାରୁ ଏହାକୁ କିଣି ନେଇଥାନ୍ତି। ସମ୍ପ୍ରତି କଳା ହଳଦୀର ବଜାର ଦର ୧୫୦ରୁ ୨୦୦ ଟଙ୍କା ମଧ୍ୟରେ ରହିଛି। ଏହା ସହିତ କର୍କଟ, ରକ୍ତଚାପ ଏବଂ ବିଭିନ୍ନ ଚର୍ମରୋଗର ନିରାକରଣ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ବୋଲି କୁହାଯାଉଛି। ଆଗାମୀ ଦିନରେ ଏହି ଚାଷକୁ ଅଧିକ ବ୍ୟାପକ କରାଯିବ ବୋଲି କସମ ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଛନ୍ତି।

କଳାବତୀ ନାମରେ ଖ୍ୟାତ କନ୍ଧମାଳ ଜିଲ୍ଲା କଳା ଧାନ ପାଇଁ ନିଜର ଅନ୍ୟ ଏକ ପରିଚୟ ସୃଷ୍ଟିକରିଛି। ଉପରୁ ଏହା ସାଧାରଣ ଧାନ ଭଳି ଦେଖାଯାଉଥିଲେ ବି ଭିତରର ଚାଉଳର ରଙ୍ଗ ସମ୍ପୂର୍ଣ୍ଣ କଳା। ଏଥିରେ ମଧ୍ୟ ରହିଛି କ୍ୟାନସର୍‌, ରକ୍ତଚାପ ନିୟନ୍ତ୍ରଣ କରିବାର କ୍ଷମତା। ୨୦୧୮ ମସିହାରେ ମାତ୍ର ୫କିଲୋ ବିହନରେ ଫିରିଙ୍ଗିଆ, ଚକାପାଦ, ଖଜୁରୀପଡ଼ା, ରାଇକିଆ ଅଞ୍ଚଳରେ ପ୍ରୟୋଗାତ୍ମକ ଭାବେ ଏହାକୁ ଚାଷ କରାଯାଇଥିଲା। ପ୍ରଥମବର୍ଷ ମାତ୍ର ୪୦ରୁ ୫୦ କିଲୋ ଅମଳ ହୋଇଥିବା ବେଳେ ବର୍ତ୍ତମାନ ଏହା ପ୍ରାୟ ୫୦୦ କ୍ୱିଣ୍ଟାଲ୍‌ରେ ପହଞ୍ଚିଛି। ଏହି ଧାନର ବିଶେଷତ୍ୱ ହେଲା ଏହା ବର୍ଷକୁ ତିନିଥର ଚାଷ ହୋଇପାରୁଛି। କନ୍ଧମାଳ ଜିଲ୍ଲାର ଢାଲୁଆ ଜମି ଓ ପାଣିପାଗ କଳାଧାନ ଚାଷ ପାଇଁ ଅନୁକୂଳ ହୋଇଥିବାରୁ ଏଠାରେ ଏହି ଚାଷ ପାଇଁ ଯଥେଷ୍ଟ ସମ୍ଭାବନା ଥିବା କୃଷି ବିଶାରଦମାନେ କହନ୍ତି। ଚାଷୀମାନଙ୍କ ଠାରୁ କଳା ଚାଉଳ ସଂଗ୍ରହ କରି କସମ ବଜାରରେ କିଲୋ ପ୍ରତି ୧୪୦ଟଙ୍କାରେ ବିକ୍ରି କରୁଛି। ତେବେ ଅନ୍‌ଲାଇନ୍ ମାର୍କେଟ୍‌ରେ କିଲୋ ପ୍ରତି ୩୫୦ଟଙ୍କାରେ ବିକ୍ରି କରୁଥିବା କହନ୍ତି କସମ ସମ୍ପାଦକ। ଏହି ଚାଉଳରେ ଶର୍କରା ପରିମାଣ ଅତିକମ୍ ରହିଥିବାରୁ ଡାଏବେଟିସ୍ ରୋଗୀଙ୍କ ପାଇଁ ଏହା ବିଶେଷ ଉପଯୋଗୀ ବୋଲି କୁହାଯାଉଛି। ଅପରପକ୍ଷେ, ବଜାରରେ ଏହାର ଚାହିଦା ଅଧିକ ରହିଥିଲେ ମଧ୍ୟ ସେ ଅନୁସାରେ ଉତ୍ପାଦନ କରି ପାରଙ ନାହାନ୍ତି ଚାଷୀ। ସରକାରୀ ପ୍ରୋତ୍ସାହନ ଓ ମାଗଣା ସାର ବିହନ, ସବ୍‌ସିଡି ମିଳିଲେ ଅଧିକ ସଂଖ୍ୟାରେ ଚାଷୀ ଏହାକୁ ଆପଣେଇ ନିଅନ୍ତେ ବୋଲି ମତ ପ୍ରକାଶ ପାଉଛି।

ଜୈବିକ କୃଷିରେ ଅନ୍ୟତମ ନୂତନ ପ୍ରୟୋଗ ହେଉଛି କଳା ଗହମ। ରାଜ୍ୟରେ କନ୍ଧମାଳ ଜିଲ୍ଲାରେ ପ୍ରଥମ କରି ଏହି ପ୍ରୟୋଗ ଆରମ୍ଭ ହୋଇଛି। ଗତ ଖରିଫ ଋତୁରେ ପରୀକ୍ଷା ମୂଳକ ଭାବେ ଚାଷୀଙ୍କୁ ୧୩ କିଲୋ ବିହନ ଯୋଗାଇ ଦିଆଯାଇଥିଲା। ପଞ୍ଜାବରୁ ଆସିଥିବା ଏହି ବିହନରେ ଫିରିଙ୍ଗିଆ ବ୍ଲକର କିଛି ଚାଷୀ ଆରମ୍ଭ କରିଥିଲେ କଳା ଗହମ ଚାଷ। ସେପ୍େଟମ୍ବର ମାସରେ ବିହନ ରୋପଣ କରାଯାଇ ଫେବୃଆରୀ ମାସରେ ଅମଳ ହୋଇଥିଲା। ଚଳିତବର୍ଷ ମଧ୍ୟ ସୀମିତ ପରିମାଣରେ ଚାଷ କରାଯାଇଛି। କନ୍ଧମାଳ ଜିଲ୍ଲାର ମାଳଭୂମି, ସ୍ୱଳ୍ପ ବୃଷ୍ଟିପାତ ଓ ଢାଲୁ ଜମି ଏହି ଚାଷ ପାଇଁ ଅନୁକୂଳ ବୋଲି କହନ୍ତି କୃଷି ବିଶାରଦ। କଳା ଗହମର ଔଷଧୀୟ ଗୁଣ ଯୋଗୁଁ ଏହାର ବେଶ ଚାହିଦା ରହିଛି। ଉଚ୍ଚ ରକ୍ତଚାପ, ମଧୂମେହର ନିୟନ୍ତ୍ରଣ ପାଇଁ ଏହା ଅମୋଘ ଅସ୍ତ୍ର ବୋଲି କୁହାଯାଏ। ଏଥିରୁ ପ୍ରସ୍ତୁତ ଅଟା ଗ୍ଲୁଟନ ମୁକ୍ତ ହୋଇ ଥିବାରୁ ମଧୂମେହ ରୋଗୀଙ୍କ ପାଇଁ ଅତି ଉପଯୋଗୀ। ଏଥିରୁ ପ୍ରସ୍ତୁତ ଦଲିଆ ମଧ୍ୟ ଏବେ ବଜାରରେ ଉପଲବ୍ଧ ହେଉଛି। ଏବେ କିଲୋ ପ୍ରତି ପ୍ରାୟ ଏକ ଶହ ଟଙ୍କାରେ ବିକ୍ରୀ ହେଉଛି କଳା ଗହମ। ରାଜ୍ୟର ଏକମାତ୍ର ଜିଲ୍ଲା କନ୍ଧମାଳରେ ଏହି ଚାଷ କରାଯାଉଛି। ଆଗକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଗଲେ ଜିଲ୍ଲାର ଚାଷୀ ନିଶ୍ଚିତ ଉପକୃତ ହେବେ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking