ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସ ନଗର ସ୍ଥିତ ଗୋପବନ୍ଧୁ ଛକ ଠାରେ ଥିବା ନନ୍ଦରାମ ବାଟିକା ପ୍ରାଙ୍ଗଣରେ ବ୍ୟାସ ନଗର ଗାୟତ୍ରୀ ମଣ୍ଡଳ ପକ୍ଷରୁ ରବିବାର ନବ କୁଣ୍ଡିୟ ଶୌର୍ଯ୍ୟ ସମୃଦ୍ଧି ଗାୟତ୍ରୀ ମହାଯଜ୍ଞର ଶୁଭାଧିବେଶ ହୋଇଛି । ଏଥି ଉପଲେକ୍ଷେ ୧୦୮ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳାମାନେ ବ୍ରତ ରଖି ପୁଷ୍କରିଣୀରୁ କଳସରେ ବୈଦିକ ରୀତି ଅନୁସାରେ ଜଳ ଯଜ୍ଞ ମଣ୍ଡପକୁ ଆଣିଥିଲେ । କଳସ ଯାତ୍ରା ସମୟରେ ବେଦ ମନ୍ତ୍ର ଉଚ୍ଚାରଣ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଥିଲା ପରିବେଶ । ଏକ ବିରାଟ ପଟୁଆରରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଯଜ୍ଞ ମଣ୍ଡପରେ ଧ୍ୟାନ ଯୋଗ, ପ୍ରାଣାୟାମ, ଧର୍ମ ଧ୍ଵଜା, ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏହା ସହ ସନ୍ଧ୍ୟା ସମୟରେ ଗାୟତ୍ରୀ ଚାଳିଶା ପଠନ ଭାବ୍ୟ ଆଳତି ଓ ଯୁବ ସମ୍ମିଳନୀ ଓ ପ୍ରବଚନ ପ୍ରଭୁତି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ଗାୟତ୍ରୀ ମାତାଙ୍କ ଆଶୀଷ ଭିକ୍ଷା କରିଥିଲେ ।








