29.1 C
Bhubaneswar
Thursday, June 12, 2025
Homeଦେଶ ବିଦେଶଚିରନିଦ୍ରାରେ କେ. କସ୍ତୁରିରଙ୍ଗନ୍‌

ଚିରନିଦ୍ରାରେ କେ. କସ୍ତୁରିରଙ୍ଗନ୍‌

ଚନ୍ଦ୍ରାୟନ୍‌’ ପ୍ରକଳ୍ପର ଥିଲେ ସୂତ୍ରଧର, ନୂଆ ଜାତୀୟ ଶିକ୍ଷା ନୀତିର ବିନ୍ଧାଣୀ

ବେଙ୍ଗାଲୁରୁ: ୮୪ ବର୍ଷ ବୟସରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ପୂର୍ବତନ ମୁଖ୍ୟ ଡ. କେ. କସ୍ତୁରିରଙ୍ଗନଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କର ପୁରାନାମ କୃଷ୍ଣସ୍ୱାମୀ କସ୍ତୁରିରଙ୍ଗନ୍‌। ଶୁକ୍ରବାର ସକାଳେ ବେଙ୍ଗାଲୁରୁସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପରଲୋକଗତ ସମ୍ବାଦ ପରିବାର ପକ୍ଷରୁ ଦିଆଯାଇଛି। କସ୍ତୁରିରଙ୍ଗନ ଦୁଇ ବର୍ଷ ପୂର୍ବେ ହୃଦ୍‌ଘାତର ଶିକାର ହୋଇଥିଲେ। ସେବେଠାରୁ ସେ ଅସୁସ୍ଥ ଥିଲେ। ତେବେ ୨୭ ଏପ୍ରିଲରେ, ତାଙ୍କର ପାର୍ôଥବ ଶରୀରକୁ ସାଧାରଣ ଦର୍ଶନ ପାଇଁ ରମଣ ଗବେଷଣା ପ୍ରତିଷ୍ଠାନ (ଆର୍‌ଆର୍‌ଆଇ)ରେ ରଖାଯିବ ବୋଲି ସୂଚନା ମିଳିଛି। ୨୪ ଅକ୍ଟୋବର ୧୯୪୦ରେ ଏର୍ଣ୍ଣାକୁଲମ୍ ଠାରେ ଜନ୍ମିତ ଏହି ମହାନ୍ ବୈଜ୍ଞାନିକ ତଥା ଶିକ୍ଷାବିତ୍‌ଙ୍କୁ ଭାରତ ସରକାର ୧୯୮୨ରେ ପଦ୍ମଶ୍ରୀ, ୧୯୯୨ରେ ପଦ୍ମଭୂଷଣ ଏବଂ ୨୦୦୦ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଏତଦବ୍ୟତୀତ ମହାକାଶ ବିଜ୍ଞାନ ଉପରେ ଡ. କସ୍ତୁରିରଙ୍ଗନ୍‌ଙ୍କ ଦ୍ୱାରା ପ୍ରସ୍ତୁତ ୨୦୦ରୁ ଅଧିକ ରିସର୍ଚ୍ଚ ପେପର ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରୀୟ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଥିଲା।

ଏହି ମହାନ୍ ବ୍ୟକ୍ତିତ୍ୱଙ୍କ ପରଲୋକଗତ ସମ୍ବାଦରେ ଗଭୀର ଦୁଃଖ ତଥା ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କସ୍ତୁରୀରଙ୍ଗନ୍‌ଙ୍କ ସହ ତାଙ୍କର ଏକ ପୁରୁଣା ଫଟୋକୁ ମୋଦୀ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ସେୟାର କରିବା ସହ ଏ ଦେଶ ଚିରଦିନ ପାଇଁ କସ୍ତୁରିରଞ୍ଜନଙ୍କ ଅବଦନା ପ୍ରତି କୃତଜ୍ଞ ରହିବ ବୋଲି ଉଲ୍ଲେଖ କରିଛନ୍ତି। ମୋଦୀ ଲେଖିଛନ୍ତି, “ଭାରତର ବୈଜ୍ଞାନିକ ଏବଂ ଶିକ୍ଷାଗତ ଯାତ୍ରାର ଜଣେ ମହାନ ବ୍ୟକ୍ତିତ୍ୱ ଡକ୍ଟର କେ କସ୍ତୁରିରଙ୍ଗନଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ। ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ଦେଶ ପ୍ରତି ନିଃସ୍ୱାର୍ଥପର ଅବଦାନ ସର୍ବଦା ମନେ ରହିବ। ସେ ଇସ୍ରୋ ଦାୟିତ୍ୱରେ ଥିବା ବେଳେ ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂତନ ଶିଖରରେ ପହଞ୍ଚାଇଥିଲେ। ତାଙ୍କ ନେତୃତ୍ୱରେ ଅନେକ ଗୁରୁତ୍ୱପୂର୍ଣ୍ଣ ଉପଗ୍ରହ ଉତ୍‌କ୍ଷେପଣ କରାଯାଇଥିଲା। ତାଙ୍କର ଧ୍ୟାନ ସର୍ବଦା ନବସୃଜନ ଉପରେ ରହିଥିଲା। ନୂତନ ଶିକ୍ଷା ନୀତି (ଏନ୍‌ଇପି) ପାଇଁ ଭାରତ ସର୍ବଦା ଡକ୍ଟର କସ୍ତୁରୀରଞ୍ଜନଙ୍କ ପ୍ରତି କୃତଜ୍ଞ ରହିବ। ସେ ଅନେକ ଯୁବ ବୈଜ୍ଞାନିକ ଏବଂ ଗବେଷଣା ବିଦ୍ୱାନଙ୍କ ପାଇଁ ଜଣେ ମାର୍ଗଦର୍ଶକ ଥିଲେ।” ଏହିକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପରିବାର, ଛାତ୍ର, ବୈଜ୍ଞାନିକ ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

କସ୍ତୁରୀରଙ୍ଗନ୍ ୧୯୯୪ ରୁ ୨୦୦୩ ପର୍ଯ୍ୟନ୍ତ ଇସ୍ରୋ ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ ‘ଚନ୍ଦ୍ରାୟନ’ ଭଳି ମିଶନର ଯୋଜନା ଆରମ୍ଭ ହୋଇଥିଲା। ସେ ନୂତନ ଶିକ୍ଷା ନୀତି (ଏନ୍‌ଇପି)ର ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ। ସେହିପରି ପୂର୍ବରୁ ଅର୍ଥାତ୍ ୟୁପିଏ ନେତୃତ୍ୱାଧୀନ ସରକାର ସମୟରେ ଯୋଜନା ଆୟୋଗର ସଦସ୍ୟ ଥିବା କସ୍ତୁରୀରଙ୍ଗନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ଏବଂ କର୍ଣ୍ଣାଟକ ଜ୍ଞାନ ଆୟୋଗର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ସେ ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ଥିଲେ। କସ୍ତୁରିରଙ୍ଗନ ଏପ୍ରିଲ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍‌ର ନିର୍ଦ୍ଦେଶକ ମଧ୍ୟ ଥିଲେ। ସେ କେନ୍ଦ୍ରର ଅନେକ କମିଟିର ନେତୃତ୍ୱ ନେଇଥିଲେ କିମ୍ବା ଏହାର ଅଂଶ ରହିଥିଲେ। ସେ ଉଚ୍ଚଶିକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶ ସମେତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ପରାମର୍ଶ ଦେଇଥିଲେ। ସେ ପରୀକ୍ଷଣାତ୍ମକ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟର ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ। ୧୯୯୪ ମସିହାରେ ଇସ୍ରୋ ମୁଖ୍ୟ ହେବା ପୂର୍ବରୁ ସେ ଇସ୍ରୋ ସାଟେଲାଇଟ୍ ସେଣ୍ଟରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ସେ ଭାରତର ପ୍ରଥମ ଦୁଇଟି ପରୀକ୍ଷାମୂଳକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଭାସ୍କର-୧ ଏବଂ ଭାସ୍କର-୨ର ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking