ଭୁବନେଶ୍ୱର : ଭାରତର ସମ୍ବିଧାନ ରାଷ୍ଟ୍ରର ନାଗରିକଙ୍କୁ ବ୍ୟକ୍ତିଗତ ସ୍ତରରେ ଏବଂ ସାମୂହିକ ଭାବେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ବୃଦ୍ଧି କରିବା ସୁନିଶ୍ଚିତ କରିଛି। ଯାହାଦ୍ୱାରା କି ରାଷ୍ଟ୍ର ନିରନ୍ତର ଭାବରେ ଉଚ୍ଚତର ସ୍ତରକୁ ଯାଇ ସଫଳତା ହାସଲ କରି ପାରିବ ବୋଲି ଶନିବାର ଓଡିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ ଶଶିକାନ୍ତ ମିଶ୍ର କହିଥିଲେ। ଭାରତ ସମ୍ବିଧାନକୁ ସମ୍ମାନ ଦେବା ଆମର ମୌଳିକ ଦାୟିତ୍ୱ ଏବଂ ନ୍ୟାୟ ଏକ ଇଞ୍ଜିନ୍ ସଦୃଶ ଯାହାକି ରାଷ୍ଟ୍ରକୁ ପରିଚାଳନା କରିଥାଏ ବୋଲି କହିଥିଲେ ନ୍ୟାୟମୂର୍ତୀ ମିଶ୍ର। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଉଦ୍ଦେଶ୍ୟରେ ସୋଆ ବକ୍ତୃତାମାଳାର ଏକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଷ୍ଟିସ୍ ମିଶ୍ର ଏହା କହିଥିଲେ। ନ୍ୟାୟମୂର୍ତୀ ମିଶ୍ର କହିଥିଲେ ଯେ ଜ୍ଞାନ ବୃଦ୍ଧି ଓ ମାନବ ସଭ୍ୟତାର ମିଶ୍ରଣକୁ ନେଇ ବିଶେଷଜ୍ଞମାନେ ଏକାଠି ବସି ସମ୍ବିଧାନ ଗଠନ କରିଥିଲେ। ତେଣୁ ବ୍ରିଟିଶରମାନେ ଯେ ଆମକୁ ଆଇନ ଶିଖାଇଛନ୍ତି ଏହା କହିବା ଭୁଲ୍ ହେବ ବୋଲି ନ୍ୟାୟମୂର୍ତୀ ଶ୍ରୀ ମିଶ୍ର କହିଥିଲେ।
ଭାରତୀୟ ନାଗରିକଙ୍କ ଉପରେ ସମ୍ବିଧାନର ପ୍ରଭାବକୁ ଦର୍ଶାଇ ନ୍ୟାୟମୂର୍ତୀ ଶ୍ରୀ ମିଶ୍ର ନିଜର ଏକ ଅନୁଭୂତି ଛାତ୍ରଛାତୀମାନଙ୍କୁ ବଖାଣିଥିଲେ। ବହୁଦିନ ପୂର୍ବରୁ ସେ ଏକ ଶୀତ ରାତିରେ ନୂଆଦିଲ୍ଲୀରେ ଏକ ଅଟୋ ଯାଉଥିବାବେଳେ ଅଟୋ ଡ୍ରାଇଭର ଜଣକ ଟ୍ରାଫିକ ଲାଇଟ୍କୁ ଉଲଂଘନ କରି ଯିବା ପାଇଁ ମନା କରିଥିଲା। ଯଦିଓ ମଧ୍ୟରାତ୍ରିରେ ରାସ୍ତାରେ ମାତ୍ର କିଛିଟି ଗାଡି ଚାଲୁଥିଲା ଏବଂ ତାଙ୍କର ଏକ ଟ୍ରେନ୍ ଯାତ୍ରାର ସମୟ ହୋଇଯାଇଥିଲା। ସେ ଅଟୋ ଡ୍ରାଇଭର ଜଣକ ମନା କରିଦେଇ କହିଥିଲା ଯେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ମତେ ଭଲ ଲାଗିବ ନାହିଁ। ନ୍ୟାୟମୂର୍ତୀ ଶ୍ରୀ ମିଶ୍ର ତାଙ୍କ ଅନୁଭୂତିକୁ ଦର୍ଶାଇ କହିଥିଲେ ଯେ ଯଦିଓ ସେ ଆଇନ୍ର ପାଠ ପଢିଛନ୍ତି ଏବଂ ଅଟୋ ଡ୍ରାଇଭର ଜଣକ କେବେ ବି ଏହା ପଢି ନାହିଁ, କିନ୍ତୁ ତଥାପି ସେ ଆଇନ ଉଲଂଘନ କଲା ନାହିଁ। ଏହା ଭାରତୀୟ ନାଗରିକଙ୍କ ଉପରେ ସମ୍ବିଧାନର କିଭଳି ପ୍ରଭାବ ପକାଇଛି ତାହାର ଜ୍ଜ୍ୱଳନ୍ତ ଉଦାହରଣ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଜଣେ ହୁଏତ ସମ୍ବିଧାନ ବିଧି ବ୍ୟବସ୍ଥାକୁ ପ୍ରତ୍ୟେକ ଦିନ ପାଳନ କରୁ ନଥାଇପାରେ। କିନ୍ତୁ ନ୍ୟାୟ, ସମାନତା ଭଳି ନୀତି ଆଦର୍ଶକୁ ଯଦି ତାର ଦୈନନ୍ଦିନ କାର୍ଯ୍ୟରେ ପ୍ରତିଫଳିତ ହୁଏ। ତେବେ ସେ ସମ୍ବିଧାନକୁ ପାଳନ କରୁଛି ବୋଲି କୁହାଯାଇପାରିବ।
ସେ କହିଥିଲେ ଯେ ଇଂଲଣ୍ଡ ସମେତ ଦୁବାଇ ଏବଂ ଆବୁଧାବିର ଟ୍ରାଫିକ୍ ପୋଷ୍ଟରେ କୌଣସି ପୋଲିସ୍ ଦେଖିବାକୁ ମିଳନ୍ତି ନାହିଁ। ତେବେ ସେଠି ସମସ୍ତେ ନିୟମ ପାଳନ କରିଥାଆନ୍ତି। ତମେ ଯଦି ନିୟମ ପାଳନ କରୁଛ ତେବେ ସମ୍ବିଧାନକୁ ମଧ୍ୟ ମାନୁଛ ବୋଲି ସେ କହିଥିଲେ। ଭାରତୀୟ ସମ୍ବିଧାନ ଧାରା ୨୧ର ଗୁରୁତ୍ୱ ସଂପର୍କରେ ଦର୍ଶାଇ ସେ କହିଥିଲେ ଯେ ଏଥିରେ ବ୍ୟକ୍ତିଗତ ସ୍ୱତନ୍ତ୍ରତାକୁ ଦର୍ଶାଉଥିବାବେଳେ ଆଇନ୍ରେ ଏହାକୁ ବାହାର କରି ନେବାର ବ୍ୟବସ୍ଥା ରହିଛି। ସେହିପରି ଧାରା୧୪ ଏବଂ ଧାରା ୨୧ ମଧ୍ୟ ଜେଲ୍ରେ ଥିବା ବିଚାରଧୀନ କଏଦୀ ଏବଂ ଦୋଷୀମାନଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଥାଏ ବୋଲି ସେ କହିଥିଲେ। ଯଦିଓ ଭାରତୀୟ ଆଇନ ବ୍ୟବସ୍ଥା ଅନ୍ୟ ଦେଶଗୁଡିକରୁ ଉଦ୍ଧୃତ କରାଯାଇଛି। ତେବେ ଏହାର ମହତ୍ୱ ଏବଂ ଗୁରୁତ୍ୱ ଭାରତୀୟ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଅଧ୍ୟକ୍ଷତା କରିଥିବାବେଳେ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଏସ୍ଏନ୍ଆଇଏଲ୍)ର ଡିନ୍ ପ୍ରଫେସର ଏସ୍.କେ.ଆଜାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।










