32.1 C
Bhubaneswar
Saturday, June 7, 2025
Homeଦେଶ ବିଦେଶ୨ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଦୋଷୀଙ୍କୁ ଆଜୀବନ

୨ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଦୋଷୀଙ୍କୁ ଆଜୀବନ

ଡେରାଡୁନ: ୨୦୨୨ରେ ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିବା ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ଶୁକ୍ରବାର କୋର୍ଟଙ୍କ ରାୟ ଆସିଛି। ଉତ୍ତରାଖଣ୍ଡ କୋଟଦ୍ୱାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ଏହି ମାମଲାରେ ତିନି ଅଭିଯୁକ୍ତ ପୁଲକିତ ଆର୍ଯ୍ୟ, ସୌରଭ ଭାସ୍କର ଏବଂ ଅଙ୍କିତ ଗୁପ୍ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ କୋର୍ଟର୍ ବିଚାରପତି ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ବିରୋଧରେ ଆଇପିସି ୩୦୨ ଅନୁସାରେ ସଶ୍ରମ ଆଜୀବନ କାରାଦଣ୍ଡ ଏବଂ ୫୦ହଜାର ଟଙ୍କାର ଜୋରିମାନା ଦଣ୍ଡ ମଧ୍ୟ ଲାଗୁ କରିଛନ୍ତି। ତେବେ ଦୋଷୀମାନେ ଏକ ହାଇପ୍ରୋଫାଇଲ୍ ବ୍ୟାକ୍‌ଗ୍ରାଉଣ୍ଡରୁ ଆସିଥିବାରୁ ଶୁଣାଣି ସମୟରେ ଶୁକ୍ରବାର କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ପ୍ରାୟ ୨ବର୍ଷ ୮ମାସ ଧରି ଚାଲିଥିବା ଏହି ଶୁଣାଣି ପ୍ରକ୍ରିୟାରେ ୯୭ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଗତ ୧୯ ତାରିଖରେ ଶୁଣାଣି ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବିଚାରପତି ଆଜି ତାରିଖ ଯାଏ ରାୟ ସଂରକ୍ଷିତ ରଖିଥିଲେ। ଏହି ଘଟଣାରେ ତଦନ୍ତ କରୁଥିବା ଏସ୍‌ଆଇଟି ପ୍ରାୟ ୫୦୦ ପୃଷ୍ଠାର ଚାଜସିଟ୍ ଦାଖଲ କରିଥିଲା। ଏଥିରେ ପୁଲକିତଙ୍କୁ ମୁଖ୍ୟ ଅଭିଯୁୂକ୍ତ ଏବଂ ଅନ୍ୟ ୨ଜଣଙ୍କୁ ହତ୍ୟାରେ ସହଯୋଗ କରିଥିବା ଉଲ୍ଲେଖ କରାଯାଇଥିଲା।

ସୂଚନାଯୋଗ୍ୟ ଉତ୍ତରାଖଣ୍ଡର ପୌରୀ ଗରହୱାଲ୍ ଜିଲ୍ଲାର ଦୋଭ୍‌-ଶ୍ରୀକୋଟ୍ ଗ୍ରାମର ସ୍ଥାୟୀ ନିବାସୀ ଅଙ୍କିତା ଭଣ୍ଡାରୀ ନାମ୍ନୀ ଜଣେ ୧୯ ବର୍ଷୀୟା ଯୁବତୀ ଏଠାକାର ୟମକେଶ୍ୱର ଠାରେ ଥିବା ବନନ୍ତରା ନାମକ ଏକ ରିସୋର୍ଟରେ ଜଣେ ରିସିପସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ପୁଲକିତ ଆର୍ଯ୍ୟ ଏହି ରିସୋର୍ଟର ମାଲିକ ଥିଲେ। ୨୦୨୨ ଅଗଷ୍ଟରେ ଅଙ୍କିତା ଏହି ରିସୋର୍ଟରେ ଚାକିରି କରିବା ଆରମ୍ଭ କରିଥିବା ବେଳେ ମାସକ ମଧ୍ୟରେ ତାଙ୍କୁ ମୃତ ଭାବେ ଋଷିକେଶ ନିକଟସ୍ଥ ପ୍ରଖର ଜଳସ୍ରୋତପୂର୍ଣ୍ଣ ଚିଲ୍ଲା କେନାଲରୁ ଉଦ୍ଧାର କରାଯାଇଥିଲା। ସେପ୍ଟେମ୍ବର ୧୮,୨୦୨୨ରୁ ନିଖୋଜ ଥିବା ଅଙ୍କିତାଙ୍କ ମୃତଦେହ ୨୪ ସେପ୍ଟେମ୍ବର ୨୦୨୨ରେ ମିଳିଥିଲା। ପ୍ରକାଶ ପୁଲକିତ ଆର୍ଯ୍ୟ ହେଉଛନ୍ତି ପ୍ରଦେଶ ବିଜେପିର ପୂର୍ବତନ ମନ୍ତ୍ରୀ ତଥା ବିବାଦୀୟ ନେତା ବିନୋଦ ଆର୍ଯ୍ୟଙ୍କ ପୁଅ। ବିନୋଦ ଆର୍ଯ୍ୟଙ୍କ ନାମରେ ମଧ୍ୟ ଅନେକ ଅପରାଧିକ ମାମଲା ରହିଥିବା ବେଳେ ଦଳରେ ବିଶୃଙ୍ଖଳିତ ଆଚରଣ ଯୋଗୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

ଅଙ୍କିତାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ୍ ରିସୋର୍ଟର୍ ମାଲିକ ପୁଲକିତ ଆର୍ଯ୍ୟ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ସନ୍ଦେହ ପରିସରକୁ ନେଇଥିଲା ଏବଂ ଜେରା କରିବା ଆରମ୍ଭ କରିଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ରିସୋର୍ଟକୁ ଆସୁଥିବା ଭିଆଇପିମାନଙ୍କୁ ସେବା ଯୋଗାଇଦେବା ପାଇଁ ଅଙ୍କିତାଙ୍କୁ କୁହାଯାଉଥିଲା, କିନ୍ତୁ ସେ ମନା କରିଦେଉଥିଲେ। ଏପରିକି ଅଧିକାଂଶ ଥର ସେହି ଭିଆଇପିଙ୍କ ସମ୍ମୁଖରେ ହିଁ ଅଙ୍କିତା, ପୁଲକିତଙ୍କ ମୁହଁ ଉପରେ ମନା କରିଦେଉଥିଲେ। ଏଥିରେ ପୁଲକିତ ବେଶ ଅପମାନିତ ବୋଧ କରୁଥିଲେ। ଏହି କାରଣରୁ ସେ ଏବଂ ତାଙ୍କର ଦୁଇ ସହଯୋଗୀ ତଥା ରିସୋର୍ଟ କର୍ମଚାରୀ ସୌରଭ ଭାସ୍କର ଏବଂ ଅଙ୍କିତ ଗୁପ୍ତା ଯୋଜନା ପୂର୍ବକ ଅଙ୍କିତାଙ୍କୁ କାର ଯୋଗେ ରିସୋର୍ଟ ଠାରୁ ପ୍ରାୟ ୧୦କିମି ଦୂର ଏକ ସ୍ଥାନକୁ ନେଇଯାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପରେ ୩ ଦୋଷୀ ସଂଘବଦ୍ଧ ଭାବେ ଅଙ୍କିତାଙ୍କ ହାତଗୋଡ ବାନ୍ଧି କେନାଲ୍‌କୁ ଫିଙ୍ଗିଦେଇଥିଲେ ଏବଂ ସେଠାରୁ ଚାଲିଆସିଥିଲେ। ପରେ ଯେତେବେଳେ ଅଙ୍କିତା ଘରକୁ ନଆସିବା ନେଇ ତାଙ୍କ ପରିବାର ଲୋକେ ପୁଲକିତଙ୍କ ରିସୋର୍ଟକୁ ଯାଇ ପଚାରନ୍ତି ସେତେବେଳେ ପୁଲକିତ ଉତ୍ତର ଦେଇଥିଲେ ଯେ ଅଙ୍କିତା ତାଙ୍କ ରିସୋର୍ଟକୁ ମଧ୍ୟ କିଛି ଦିନ ଧରି ଆସିନାହାନ୍ତି। ଏହାପରେ ପୁଲକିତଙ୍କ ଉପରେ ସେମାନଙ୍କ ସନ୍ଦେହ ବଢ଼ିଥିଲା ଏବଂ ସେମାନେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଫଳରେ ସେମାନଙ୍କୁ ଧମକ ମିଳିବା ଏବଂ ଗୁଣ୍ଡା ଲଗାଇ ମାରଧର କରାଯିବା ଆରମ୍ଭ ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking