31.1 C
Bhubaneswar
Wednesday, March 25, 2026
Homeଓଡିଶାଜିନ୍ଦଲ ଫାଉଣ୍ଡେସନ ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ଜନ୍ମ ଦିବସରେ ସେବା ଦିବସ ପାଳିତ

ଜିନ୍ଦଲ ଫାଉଣ୍ଡେସନ ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ଜନ୍ମ ଦିବସରେ ସେବା ଦିବସ ପାଳିତ

ଭୁବନେଶ୍ୱର : ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ସାମାଜିକ ସଂଗଠନ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏହାର ଅଧ୍ୟକ୍ଷା ତଥା ବିଶିଷ୍ଟ ସମାଜସେବୀ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କୁଚିପୁଡ଼ି ନୃତ୍ୟାଙ୍ଗନା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ଜନ୍ମ ଦିବସକୁ ଅକ୍ଟୋବର ୨୦ ଦିନ ସେବା ଦିବସ ଭାବେ ଦେଶବ୍ୟାପୀ ପାଳନ କରାଯାଇଛି । ସାମୁଦାୟିକ ବିକାଶ ପାଇଁ ଶ୍ରୀମତୀ ଜିନ୍ଦଲଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଆଧାର କରି ସେବା ଦିବସ ପାଳନ ଅବସରରେ ଜିନ୍ଦଲ ଫାଉଣ୍ଡେସନର ଦେଶବ୍ୟାପୀ ଥିବା ସମସ୍ତ ପ୍ରତିଷ୍ଠାନ ମାନଙ୍କ ଦ୍ବାରା ବହୁ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି ଉପଲକ୍ଷେ ସାମାଜିକ ସେବା ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇବା ଅବସରରେ ଶ୍ରୀମତୀ ଜିନ୍ଦଲ କହିଛନ୍ତି, “ଆପଣମାନଙ୍କ ଶୁଭେଚ୍ଛା ଓ ମୋ ଜନ୍ମଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ବାସ୍ତବରେ କୃତଜ୍ଞ । ଆପଣମାନଙ୍କ ସହଯୋଗ ସମାଜର କଲ୍ୟାଣ ପାଇଁ ଅଧିକ ଉଦ୍ୟମ କରିବାକୁ ମତେ ବହୁତ ଶକ୍ତି ଯୋଗାଉଛି । ଆମେମାନେ ଏକାଠି ସମାଜରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ସହ ସାମାଜିକ ଦୁର୍ବଳ ଲୋକମାନଙ୍କ ମୁହଁରେ ହସ ଫୁଟାଇପାରିବା’ ।

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ହରିୟାଣା ଓ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର, ପଶୁ ଚିକିତ୍ସା ଶିବିର ଆୟୋଜନ ସମେତ ବୟସ୍କ, ଡାକ୍ତରଖାନାରେ ଥିବା ରୋଗୀ, ଶିଶୁଗୃହ ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ସାମାଜିକ ସ୍ୱେଚ୍ଛାସେବୀ, ଓପି ଜିନ୍ଦଲ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପରିବେଶପ୍ରେମୀଙ୍କ ପକ୍ଷରୁ ହଜାର ହଜାର ସଂଖ୍ୟାରେ ବୃକ୍ଷରୋପଣ କରାଯାଇଥିଲା । ଏହା ସହିତ ଫାଉଣ୍ଡେସନ ପକ୍ଷରୁ ଗରିବଲୋକଙ୍କୁ ମଶାରି, କମ୍ବଳ ଓ ଶାଢୀ ମଧ୍ୟ ପ୍ରଦାନ କରାଯାଇଥିଲା । ଛତିଶଗଡ଼ରେ ଓପି ଜିନ୍ଦଲ ଡାକ୍ତରଖାନା ପକ୍ଷରୁ ବିଭିନ୍ନ ଜରାନିବାସ, ଅନାଥାଶ୍ରମ ଓ ଆଶ୍ରୟଗୃହରେ ସ୍ୱାସ୍ଥ୍ୟଶିବିର ଆୟୋଜନ କରାଯାଇଥିଲା । ରାୟଗଡ଼, ଅନୁଗୁଳ, ପତ୍ରାତୁ, ଓ ବଡବିଲରେ ଥିବା ଓପି ଜିନ୍ଦଲ ସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ସ୍ୱଚ୍ଛ ଭାରତ ଅଭିଯାନ ଓ କଳାକୃତି କାର୍ଯ୍ୟକ୍ରମ, ଗୋସେବା, ଡାକ୍ତରଖାନା ଓ ଅନାଥାଶ୍ରମରେ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରାଯାଇଥିଲା ।

ଟେନ୍ସା ଓ କାଶିଆର ପାରିପାର୍ଶ୍ୱିକ ଅଞ୍ଚଳର ଲୋକଙ୍କ ସେବା ପାଇଁ ଏକ ଆମ୍ବୁଲାନ୍ସର ଲୋକାର୍ପଣ କରାଯାଇଛି । ଏହା ସହିତ ଆଦିବାସୀ ଯୁବକମାନଙ୍କ ମଧ୍ୟରେ ଫୁଟବଲ ମ୍ୟାଚର ଆୟୋଜନ କରାଯାଇଥିଲା । ଶ୍ରୀମତୀ ଜିନ୍ଦଲଙ୍କୁ ସୃଜନୀ ମାଧ୍ୟମରେ ସମ୍ମାନ ଜଣାଇବା ପାଇଁ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଅନ୍ତେବାସୀଙ୍କ ମଧ୍ୟରେ ଏକ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପଥପ୍ରାନ୍ତ ନାଟକ ମାଧ୍ୟମରେ ଦକ୍ଷତା ବିକାଶର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଦକ୍ଷତା ବିକାଶ କେନ୍ଦ୍ର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୁଦାୟିକ ସମ୍ପତ୍ତିର ମରାମତି, ଅନାଥାଶ୍ରମରେ ସ୍ୱାସ୍ଥ୍ୟ ପରୀକ୍ଷା, ଫୁଟବଲ୍ ମ୍ୟାଚ ଓ କବାଡି ତାଲିମ ଶିବିରର ଆୟୋଜନ କରାଯାଇଥିଲା । ଦେଶବ୍ୟାପୀ ଏଭଳି କାର୍ଯ୍ୟକ୍ରମ ଜରିଆରେ ଜନ୍ମଦିନ ପାଳନ କରି ସାମୁଦାୟିକ ସଶକ୍ତିକରଣ ପାଇଁ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କର ନିରନ୍ତର ଉଦ୍ୟମକୁ ସମ୍ମାନ ପ୍ରଦାନ କରାଯାଇଛି ।

ବହୁମୁଖୀ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଜରିଆରେ ୧୫ ନିୟୁତ ଲୋକଙ୍କ ଜୀବନରେ ରୂପାନ୍ତରଣ ଆଣିଥିବା ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷତା ସହ ଶ୍ରୀମତି ଶାଲୁ ଜିନ୍ଦଲ ରାୟଗଡ଼ସ୍ଥିତ ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର ଚ୍ୟାନସେଲର ଏବଂ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ଭାଇସ ପ୍ରେସିଡେଣ୍ଟ ମଧ୍ୟ ଅଛନ୍ତି । ଏହା ସହିତ ସେ ଜାତୀୟ ବାଲ ଭବନର ପୂର୍ବତନ ଅଧ୍ୟକ୍ଷା, ୟଙ୍ଗ ଫିକି ଲେଡିଜ ଅର୍ଗନାଇଜେସନ (YFLO)ର ପ୍ରତିଷ୍ଠାତା ସଭାପତି ଅଟନ୍ତି । କୁଚିପୁଡ଼ି ନୃତ୍ୟାଙ୍ଗନା ଭାବେ ଶ୍ରୀମତୀ ଜିନ୍ଦଲଙ୍କର ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଖ୍ୟାତି ରହିଛି । ଏଥିପାଇଁ ତାଙ୍କୁ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ସମ୍ମାନ ଓ ପୁରସ୍କାର ମିଳିଛି । ସାମାଜିକ ବିକାଶ କ୍ଷେତ୍ରରେ ପ୍ରଭାବଶାଳୀ ନେତୃତ୍ୱ ପାଇଁ ତାଙ୍କୁ ଲଣ୍ଡନରେ ଗୋଲ୍ଡେନ ପିକକ ଆଓ୍ୱାର୍ଡ, ସିଙ୍ଗାପୁରରେ ସିଏମଓ ଏସିଆ ବେଷ୍ଟ ସୋସିଆଲ ଏଣ୍ଟ୍ରୋପ୍ରନ୍ୟୋର ଆଓ୍ୱାର୍ଡ, ଚିକାଗୋରେ ଡି ଟ୍ରାଇବ ପକ୍ଷରୁ ଇଣ୍ଟରନ୍ୟାସନାଲ ଓମେନ ଅଫ୍ ଦ ଇୟର ଆଓ୍ୱାର୍ଡ ଓ ସିଏସଆର ଟାଇମ୍ସ ପକ୍ଷରୁ ଲାଇଫ୍ ଟାଇମ ଆଚିଭମେଣ୍ଟ ଆଓ୍ୱାର୍ଡ ଭଳି ଅନେକ ପୁରସ୍କାର ଓ ସମ୍ମାନ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking