ଭୁବନେଶ୍ୱର: ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରି ନେତୃତ୍ୱ ନେଉଥିବା ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ ହାତ ଛାଡ଼ିଛନ୍ତି। ସେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଦେଇଛନ୍ତି। ଏଥିସହ ସେ ମଧ୍ୟ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ଜିଲ୍ଲା ସଭାପତିଙ୍କୁ ସମାନ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ନିଜ ଇସ୍ତଫାପତ୍ରରେ ଶ୍ରୀ ପାଙ୍ଗୀ ଲେଖଛନ୍ତି ଯେ, ଦଳକୁ ସମୟ ଦେଇ ପାରୁନଥିବାରୁ ସେ ଇସ୍ତଫା ଦେଇଛନ୍ତି। ଏଣିକି ସେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ଭାବେ ପରିଗଣିତ ହେବେ ନାହିଁ। ଜୟରାମ ପାଙ୍ଗୀ ପଟାଙ୍ଗୀରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୭ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ୨୦୦୯ରେ କୋରାପୁଟରୁ ଗିରିଧର ଗମାଙ୍ଗଙ୍କୁ ପରାଜିତ କରି ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୨ରେ ବିଜେପି ଛାଡି ପୁଣି କଂଗ୍ରେସରେ ସେ ଯୋଗ ଦେଇଥିଲେ। ସେବେଠାରୁ କଂଗ୍ରେସରେ ଥିଲେ। ଏବେ ଶ୍ରୀ ପାଙ୍ଗୀ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼ର ଆଦିବାସୀ ଅଧ୍ୟ୍ୟୁଷିତ କିଛି ଅଞ୍ଚଳକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ପ୍ରୟାସ କରିଛନ୍ତି। ସେଥିପାଇଁ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ସେ ଗଠନ କରିଛନ୍ତି। ଉକ୍ତ କାରଣରୁ ଶ୍ରୀ ପାଙ୍ଗୀ କଂଗ୍ରେସ ଛାଡ଼ିଥିବା କୁହାଯାଉଛି।










