ଶ୍ରୀନଗର: ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ଏବଂ ନ୍ୟାସନାଲ କନ୍ଫରେନ୍ସ (ଏନ୍ସି) ମଧ୍ୟରେ ମେଣ୍ଟ ଗଠନ ହୋଇଛି । ଉଭୟ ଦଳ ଏଠାରେ ମେଣ୍ଟ ଧର୍ମ ପାଳନ ପୂର୍ବକ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସୋମବାର ଦିନ ଉଭୟ ଦଳଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଫର୍ମୁଲା ମଧ୍ୟ ଚୂଡାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ରିପୋର୍ଟ ଅନୁସାରେ କଂଗ୍ରେସ ଏଠାରେ ୩୨ ଆସନରେ ପ୍ରାର୍ଥୀ ଦେବ । ସେହିପରି ଏନ୍ସି ୫୧ ଆସନରେ ପ୍ରାର୍ଥୀ ଦେବ । ଜମ୍ମୁ କାଶ୍ମୀରର ମୋଟ୍ ୯୦ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ ଉଭୟ ଦଳ ଏହି ଆସନ ଭାଗବଣ୍ଟା ଫର୍ମୁଲାକୁ ଆପଣାଇଛନ୍ତି । ଅନ୍ୟପକ୍ଷେ ବାକି ୭ଟି ଆସନ ମଧ୍ୟରୁ ୫ଟି ଆସନରେ ଉଭୟ ଦଳ ବନ୍ଧୁତାପୂର୍ଣ୍ଣ ଭାବେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କୁହାଯାଉଛି । ବାକି ୨ଟି ଆସନକୁ ସହଯୋଗୀ ଦଳ ସିପିଆଇଏମ୍ ଓ ପାନ୍ଥର୍ସ ପାର୍ଟି ପାଇଁ (ଗୋଟିଏ ଲେଖାଏ) ଉଭୟ ଦଳ ଛାଡିବେ । ସିଟ୍ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଦୁଇ ଦଳ ପକ୍ଷରୁ ଗୋଟିଏ ମିଳିତ ବିବୃତି ଜାରି କରାଯାଇଛି । ସେହିପରି କଂଗ୍ରେସର ଜମ୍ମୁ-କାଶ୍ମୀର ମୁଖ୍ୟ ତାରିକ୍ ହମିଦ୍ କରାର ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ମୋଟ ୯୦ଟି ଆସନରେ ଭୋଟିଂ ହେବ । ସେପ୍େଟମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ୨୫ରେ ଦ୍ୱିତୀୟ ଓ ଅକ୍ଟୋବାର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ଅଗଷ୍ଟ ୨୭ ରହିଛି । ଅକ୍ଟୋବର ୪ରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।










