ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଗାମୀ ବିଧାନସଭା ନିର୍ବାଚନରେ ଗଣ୍ଡରୱାଲ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସୋମବାର ଏସମ୍ପର୍କରେ ତାଙ୍କ ଦଳର ବରିଷ୍ଠ ନେତାମାନେ ସୂଚନା ଦେଇଛନ୍ତି । ଗତ ରବିବାର ଦିନ ନ୍ୟାସନାଲ କନ୍ଫରେନ୍ସ (ଏନ୍ସି) ପକ୍ଷରୁ ଅନୁଷ୍ଠିତ ହୋଇଯାଇଥିବା ଦଳୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଏହି ନେତାମାନେ କହିଛନ୍ତି । ଏମାନଙ୍କ କହିବାନୁସାରେ ପୂର୍ବରୁ ଓମାର ଅବଦୁଲ୍ଲା ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଚିନ୍ତା କରିଥିଲେ । ଏସମ୍ପର୍କରେ ଗଣମାଧ୍ୟମକୁ ମଧ୍ୟ ସେ (ଓମାର ନିଜେ) ଏବଂ ତାଙ୍କ ବାପା ତଥା ଏନ୍ସି ମୁଖ୍ୟ ତଥା ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ସୂଚନା ଦେଇଥିଲେ ।
କିନ୍ତୁ ଏବେ ତାଙ୍କ (ଓମାର ଅବଦୁଲ୍ଲା) ନିର୍ବାଚନ ଲଢ଼ିବା ସମ୍ପର୍କରେ ଦଳ ନିଷ୍ପତ୍ତି ନେଇଛି । ଓମାରଙ୍କୁ ଏସମ୍ପର୍କରେ ଅନୁରୋଧ କରାଯିବା ପରେ ଓମାର ନିର୍ବାଚନ ଲଢ଼ିବା ନେଇ ସହମତି ପ୍ରକାଶ କରିଛନ୍ତି । ପ୍ରକାଶ, ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ରେ ଜମ୍ମୁ କାଶ୍ମୀରରେ ୩ଟି ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଅକ୍ଟୋବର ୪ ରେ ଭୋଟ୍ ଗଣନା ସହ ଫଳାଫଳ ଘୋଷଣା କରାଯିବ । ଜମ୍ମୁ କାଶ୍ମୀର ବିଧାନସଭା ଆସନ ସଂଖ୍ୟା ୧୨୯ ରହିଥିବା ବେଳେ ୯୦ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥାଏ । ବାକି ୨୯ଟି ଆସନ ମଧ୍ୟରୁ ୫ଟି ଆସନ ପାଇଁ ପ୍ରାର୍ଥୀ ମନୋନୀତ ହୋଇଥାନ୍ତି ଏବଂ ୨୪ଟି ଆସନ ପାକିସ୍ତାନ ଅଧିକୃତ କାଶ୍ମୀରର ପ୍ରଶାସନ ପାଇଁ ଉନ୍ମୁକ୍ତ ରହିଥାଏ ।
ଏନ୍ସିର ଉପାଧ୍ୟକ୍ଷ ଥିବା ଓମାର ଅବଦୁଲ୍ଲା ପୂର୍ବରୁ କହିଥିଲେ ଯେପର୍ଯ୍ୟନ୍ତ ଜମ୍ମୁ କାଶ୍ମୀର ଏକ କେନ୍ଦ୍ରଶାସିତ ପ୍ରଦେଶ ହୋଇରହିବ ସେପର୍ଯ୍ୟନ୍ତ ସେ ନିର୍ବାଚନ ଲଢ଼ିବେ ନାହିଁ । ଏହାପରେ ତାଙ୍କ ବାପା ତଥା ଏନ୍ସି ସଭାପତି ଫାରୁକ୍ ଅବଦୁଲ୍ଲା ମଧ୍ୟ କହିଥିଲେ ଯେ, ତାଙ୍କ ପୁଅ ଓମାର ଅବଦୁଲ୍ଲା ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । କିନ୍ତୁ ସେ (ଫାରୁକ୍ ନିଜେ) ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଲଢ଼େଇ ଜାରି ରଖିବେ । ଯେତେବେଳେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଏବଂ ଧାରା ୩୫ (ଏ) ପୁନଃ ଲାଗୁ ହୋଇଯିବ ସେତେବେଳେ ସେ ନିଜ ଆସନ ଖାଲିକରିଦେବେ । ପରେ ଓମାର ସେହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସୂଚନାଯୋଗ୍ୟ, ଓମର ଅବଦୁଲ୍ଲା ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଏନ୍ସିର ସଭାପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ଏତଦ୍ବ୍ୟତୀତ ସେ ୩ଥର ଲୋକସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ।
ନିକଟରେ ପିଡିପି ସୁପ୍ରିମୋ ମେହବୁବା ମୁଫ୍ତି ନିଜ ଦଳ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ଏଥିରେ ସେ ଜମ୍ମୁ କାଶ୍ମୀରବାସୀଙ୍କୁ ଧାରା ୩୭୦ ପୁନଃ ଲାଗୁ କରାଯିବା ଠାରୁ ଆରମ୍ଭ କରି ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏତଦ୍ବ୍ୟତୀତ ମେହବୁବା ଉଭୟ ନ୍ୟାଶନାଲ କନଫରେନ୍ସ (ଏନ୍ସି) ଓ କଂଗ୍ରେସ ସମ୍ମୁଖରେ ଏକ ପ୍ରସ୍ତାବ ମଧ୍ୟ ରଖିଛନ୍ତି । ଯଦି ଉଭୟ ଦଳ ମିଳିତ ଭାବେ ପିଡିପିର ନିର୍ବାଚନ ଇସ୍ତାହାରକୁ ସମର୍ଥନ କରନ୍ତି ଓ ଏହାକୁ କାର୍ଯ୍ୟକାରୀ କରିବାକୁ ଇଚ୍ଛା ପ୍ରକାଶ କରନ୍ତି, ତେବେ ପିଡିପି ସେମାନଙ୍କ ପାଇଁ ସମସ୍ତ ସିଟ୍ ଛାଡ଼ିଦେବ ଏବଂ ସମର୍ଥନ କରିବ । ପିଡିପି କୌଣସି ଆସନରେ ପ୍ରାର୍ଥୀ ଦେବ ନାହିଁ ବୋଲି ମୁଫ୍ତି ସ୍ପଷ୍ଟ କରିଛନ୍ତି । ଏହାର ଜବାବରେ ଆଜି ଓମାର କହିଛନ୍ତି, ଉଭୟ କଂଗ୍ରେସ ଏବଂ ଏନ୍ସି ମଧ୍ୟ ସମାନ ଆଭିମୁଖ୍ୟ ରଖିଛନ୍ତି । ସୁତରାଂ ଏନ୍ସି -କଂଗ୍ରେସ ଯେଉଁସବୁ ଆସନରେ ପ୍ରାର୍ଥୀଦେବେ ସେସବୁ ଆସନରେ ପିଡିପି ପ୍ରାର୍ଥୀ ନଦେବା ସମସ୍ତଙ୍କ ପାଇଁ ମଙ୍ଗଳକାରୀ ହେବ । ସୂଚନାଯୋଗ୍ୟ, ୨୦୧୯ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପର ଠାରୁ ଆଉ ବିଧାନସଭା ନିର୍ବାଚନ ହୋଇନଥିଲା । ଦୀର୍ଘ ୫ ବର୍ଷ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏବେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।









