ନିଜ ମନ୍ତବ୍ୟର ଆତ୍ମସମୀକ୍ଷା କରନ୍ତୁ
ନୂଆପଡ଼ାବାସୀ ଉଚିତ ଜବାବ୍ ଦେବା ପାଇଁ ପ୍ରସ୍ତୁତ ହେଲେଣି
ଭୁବନେଶ୍ୱର (ବିପିନ୍ ସିଂ): ବିଜେଡି ଓ ନବୀନ ବାବୁ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଅଣଦେଖା କରିଥିବା ନେଇ ଆଜି ଜୟ ଢୋଲକିଆ ଏବଂ ତାଙ୍କ ମାତା ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହାର ତୀବ୍ର ନିନ୍ଦା କରିଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା । ସେ କହିଛନ୍ତି ଯେ, ଜୟଙ୍କ ଅଭିଯୋଗ ଦୁର୍ଭାଗ୍ୟଜନକ ଓ ନିରାଧାର । ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଥା ଆଶୀର୍ବାଦରେ ତିନି ଥର ବିଧାୟକ ଭାବେ ଜିତିଥିଲେ ସ୍ୱର୍ଗତ ରାଜୁ ଢୋଲକିଆ । ସ୍ୱର୍ଗତ ରାଜୁ ଢୋଲକିଆଙ୍କୁ ନବୀନ ବାବୁ ମଧ୍ୟ ମନ୍ତ୍ରୀ କରିଥିଲେ । ନୂଆପଡାରେ ବିକାଶ ଯାହା ବି ହୋଇଛି ତାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଯୋଗୁଁ ହୋଇଛି । ରାଜେନ୍ଦ୍ରଙ୍କ ବିଚାରଧାରାକୁ ହତ୍ୟା କରି ଜୟ ଢୋଲକିଆ ବିଜେପିକୁ ଯାଇ ଡାହା ମିଛ କହୁଛନ୍ତି । ଜୟ ନିଜ ମନ୍ତବ୍ୟର ଆତ୍ମସମୀକ୍ଷା କରନ୍ତୁ ।
ଶ୍ରୀ ଦାସବର୍ମା କହିଥିଲେ ଯେ, ଜୟ ସ୍ପଷ୍ଟ ଭାବେ କହିଥିଲେ, ମୁଁ ନବୀନ ପଟ୍ଟନାୟକଙ୍କ ସହ ଅଛି, ବିଜୁ ବିଚାରଧାର ସହ ଅଛି । ନବୀନ ବାବୁ ମୋତେ ଆଶୀର୍ବାଦ କରିଛନ୍ତି ନୂଆପଡାରେ ପ୍ରାର୍ଥୀ ହେବା ପାଇଁ । ତା ପରେ ଦିଲ୍ଲୀରେ କ’ଣ ଡିଲ୍ ହେଲା ଯେ, ସେ ବିଜେଡି ଛାଡି ବିଜେପି ପଳାଇଲେ । ତାହାକୁ ଜୟ ଢୋଲକିଆ ସ୍ପଷ୍ଟ କରିବା ଉଚିତ । ରାଜେନ୍ଦ୍ର ଢୋଲକିଆଙ୍କ ବିଚାରଧାରାକୁ ହତ୍ୟା କରି ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଜୟ ଢୋଲକିଆ ଯେଉଁ ଅପଚେଷ୍ଟା କରୁଛନ୍ତି, ସେଥିରେ ସେ ସଫଳ ହେବେ ନାହିଁ । ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ହେବା ପରେ ଦଳ ସଭାପତି ନବୀନ ପଟ୍ଟନାୟକ ତାଙ୍କ ସହ ଯୋଗାଯୋଗରେ ଥିଲେ ।
ନବୀନ ବାବୁଙ୍କ ନିର୍ଦେଶରେ ଚେନ୍ନାଇରୁ ରାଜୁ ଭାଇଙ୍କ ମରଶରୀର ଆଣିବା ପାଇଁ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ପ୍ରେମୀ ଓ ଢୋଲକିଆ ପ୍ରେମୀ ଏକାଠି ହୋଇଥିଲେ । ନବୀନ ବାବୁ ଦିଲ୍ଲୀରେ ଥିବାରୁ ଭର୍ଚୁଆଲରେ ଯୋଗ ଦେଇଥିଲେ । ଜୟ ଢୋଲକିଆଙ୍କ ରାଜନୈତିକ ପଟ୍ଟ ପରିବର୍ତ୍ତନ ପାଇଁ ଯେଉଁ ଡିଲ ହୋଇଛି ତାହାର ଆଜି ପର୍ଦ୍ଦାଫାଶ ହୋଇଛି । ନୂଆପଡାବାସୀ ଏହାର ସଠିକ୍ ଜବାବ ଦେବେ । ବିଜୁ ବିଚାରଧାରା ଓ ରାଜୁ ଢୋଲକିଆଙ୍କ ଜୀବନବ୍ୟାପୀ ଯେଉଁ ସଂଘର୍ଷ ରହିଛି, ତାହାକୁ ଯିଏ ହତ୍ୟା କରିଛି ନୂଆପଡାବାସୀ ହିଁ ତା’ର ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।










