30.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଟିଏମ୍‌ସି ସାଂସଦ ପଦରୁ ଇସ୍ତଫା ଦେଲେ ଜହ୍ୱର ସିରକାର

ଟିଏମ୍‌ସି ସାଂସଦ ପଦରୁ ଇସ୍ତଫା ଦେଲେ ଜହ୍ୱର ସିରକାର

କୋଲକାତା: କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ବର୍ଷୀୟା ମହିଳା ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ମଧ୍ୟ ଅନ୍ତର୍କନ୍ଦଳ ଜାରି ରହିଛି । ଏପ୍ରକାର ଏକ ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାରଙ୍କ ଏପ୍ରକାର ଉଦାସୀନ ନୀତିକୁ ଦଳର କେତେକ ବରିଷ୍ଠ ନେତାମାନେ ମଧ୍ୟ ସହଜରେ ବରଦାସ୍ତ କରିପାରୁନାହାନ୍ତି । ଏହାର ଏକ ଜ୍ୱଳନ୍ତ ପ୍ରମାଣ ଆଜି ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ରବିବାର ଟିଏମ୍‌ସିର ରାଜ୍ୟସଭା ସାଂସଦ ପଦରୁ ଆକସ୍ମିକ ଭାବେ ଇସ୍ତଫା ଦେଇଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ଜହ୍ୱର ସିରକାର୍ ।

ଜହ୍ୱର ସିରକାର ନିଜ ଇସ୍ତଫା ପତ୍ର ଦଳ ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଠାଇଥିବା ବେଳେ ଏସମ୍ପର୍କରେ ଏକ ଚିଠି ଲେଖି ମଧ୍ୟ ସୂଚୀତ କରିଛନ୍ତି । ଅନ୍ୟପକ୍ଷେ ଏସମ୍ପର୍କରେ ସେ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ମଧ୍ୟ ସୂଚନା ଦେଇଛନ୍ତି । ସିରକାର ମମତାଙ୍କୁ ଲେଖିଥିବା ଚିଠିରେ ନିଜ ବିଷୋଦ୍‌ଗାର ପ୍ରକାଶ କରିବା ପୂର୍ବକ ଉଲ୍ଲେଖ କରିଛନ୍ତି ଯେ, କୋଲକାତା ଆରଜି ମେଡିକାଲ କଲେଜ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଭାବେ ମମତା କିଛି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ବିଶ୍ୱାସ କରୁଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନିଜ ପୁରୁଣା ଅନ୍ଦାଜରେ ଏହି ଘଟଣାରେ ସିଧାସଳଖ ହସ୍ତକ୍ଷେପ କରିବେ ବୋଲି ସେ ଭାବୁଥିôଲେ । ସେଥିପାଇଁ ସେ ଆଜି ପର୍ଯ୍ୟନ୍ତ ଚୁପ୍ ରହି ରାଜ୍ୟସରକାରଙ୍କ ପଦକ୍ଷେପକୁ ଅପେକ୍ଷା କରିଥିଲେ । କିନ୍ତୁ ସେପରି କିଛି ବି ହୋଇନାହିଁ । ଅନ୍ୟପକ୍ଷେ ସମୟ ବିତିବା ସହ ତାଙ୍କର ଧୈର୍ଯ୍ୟଚ୍ୟୁତି ମଧ୍ୟ ହେବାରେ ଲାଗିଛି । ଦଳରେ ଦୁର୍ନୀତିଗ୍ରସ୍ତ ନେତା, ଅଧିକାରୀ ଏବଂ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ବଦଳରେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା, ଉଚ୍ଚ ପଦପଦବୀରେ ଅଧିଷ୍ଠିତ କରାଯିବାକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି । କେବଳ ଏହି କାରଣରୁ ସେ ଟିଏମ୍‌ସିର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ଅବଗତ କରାଇଛନ୍ତି । ଏଥିସହ ସେ ସବୁଦିନ ପାଇଁ ରାଜନୀତିରୁ ମଧ୍ୟ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଜହ୍ୱର ନିଜ ଚିଠିରେ ଉଲ୍ଳେଖ କରିଛନ୍ତି ଯେ, “ପଞ୍ଚାୟତ ଏବଂ ପୌରସଂସ୍ଥାଗୁଡ଼ିକରେ ଦଳର ନେତାମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି, ଯାହା ବଙ୍ଗଳାବାସୀଙ୍କୁ କ୍ଷତି ପହଞ୍ଚାଇଛି । ପଶ୍ଚିମବଙ୍ଗରେ ଚାଲିଥିବା ଆନ୍ଦୋଳନ ଟିଏମ୍‌ସି ସରକାରଙ୍କ ଅନିୟନ୍ତ୍ରିତ ପ୍ରାଧାନ୍ୟବାଦୀ ମନୋଭାବ ଏବଂ ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ ଜନସାଧାରଣଙ୍କ କ୍ରୋଧର ପ୍ରତିଫଳନ । ବର୍ତ୍ତମାନ ସମୟରେ ଟିଏମ୍‌ସି ବିରୋଧରେ ଜନଆକ୍ରୋଶ ଚରମସ୍ତରରେ ରହିଛି । ଆରଜି କର ମେଡିକାଲ କଲେଜ୍ ଘଟଣାରେ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ଦଳୀୟ ଭାବମୂର୍ତ୍ତିକୁ କ୍ଷୂଣ୍ଣ କରିଛି । ସରକାର ଏବେ ଯାହା ବି ପଦକ୍ଷେପ ନେଉଛନ୍ତି ତାହା ବହୁତ କମ୍ ଏବଂ ଅତ୍ୟନ୍ତ ବିଳମ୍ବିତ । ଯଦି ଦୁର୍ନୀତିଖୋର ଡାକ୍ତର ଏବଂ ପ୍ରଶାସକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଆନ୍ତା, ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସାଧାରଣ ଅବସ୍ଥା ଫେରିଆସନ୍ତାଣି ବୋଲି ସେ ଲେଖିଛନ୍ତି । ପ୍ରକାଶ, ଜହ୍ୱର ସିରସାର ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ । ସେ ୨୦୨୧ରେ ଟିଏମ୍‌ସିରେ ଯୋଗଦେଇଥିଲେ । ନିଜ ଚିଠିରେ ଟିଏମ୍‌ସି ତାଙ୍କୁ ଦେଶ ତଥା ରାଜ୍ୟବାସୀଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ, ମମତା ଏବଂ ଟିଏମ୍‌ସି ପ୍ରତି କୃତଜ୍ଞତା ବ୍ୟକ୍ତ କରିବାକୁ ଭୁଲିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking