25.1 C
Bhubaneswar
Friday, December 27, 2024
Homeଦେଶ ବିଦେଶହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ନିଜ ଦଳର ପୂର୍ବତନ ନେତା ଜଗନ୍ ରେଡ୍ଡୀ, ୨ ଆଇପିଏସ୍‌ଙ୍କ...

ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ନିଜ ଦଳର ପୂର୍ବତନ ନେତା ଜଗନ୍ ରେଡ୍ଡୀ, ୨ ଆଇପିଏସ୍‌ଙ୍କ ବିରୋଧରେ ମାମଲା

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ୍ ରେଡ୍ଡୀ ଓ ୨ ଆଇପିଏସ୍ ଅଧିକାରୀଙ୍କୁ ମିଶାଇ ମୋଟ୍ ୪ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ଗୁଣ୍ଟୁର ଜିଲ୍ଲା ନଗରାମପାଲେମ ପୁଲିସ୍ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି । ରିପୋର୍ଟ ଅନୁସାରେ ଜଗନ୍ ରେଡ୍ଡୀଙ୍କ ଦଳ ୱାଇଏସ୍‌ଆର କଂଗ୍ରେସର ଜଣେ ପୂର୍ବତନ ନେତା ତଥା ନରସାପୁରମ୍ ଲୋକସଭା ଆସନରୁ ସାଂସଦ ରହିସାରିଥିବା ରଘୁରାମା କ୍ରିଷ୍ଣନ୍ ରାଜୁ, ଏବେ ଜଗନ୍ ଏବଂ ରାଜ୍ୟ ପୁଲିସ୍ ପ୍ରଶାସନରେ ଅଧିକାରୀ ଭାବେ ନିଯୁକ୍ତ ୨ ଆଇପିଏସ୍‌ଙ୍କ ସମେତ ୪ଜଣଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଜଗନଙ୍କ ସହ ଯେଉଁ ୨ ଆଇପିଏସ୍ ଅଧିକାରୀଙ୍କୁ ଏହି ମାମଲାରେ ଅଭିଯୁକ୍ତ ଭାବେ ଦର୍ଶାଯାଇଛି ସେମାନେ ହେଲେ ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ (ଗୁଇନ୍ଦା ବିଭାଗ) ପିଏସ୍‌ଆର ଅଞ୍ଜନୟୁଲୁ ଓ ସିଆଇଡିର ପୂର୍ବତନ ଅତିରିକ୍ତ ଏସ୍‌ପି ସୁନୀଲ କୁମାର । ଏହି ୩ଜଣଙ୍କ ବ୍ୟତୀତ ଗୁଣ୍ଟୁର ଜେନାଲରାଲ ହସ୍ପିଟାଲର ପୂର୍ବତନ ସୁପରିଟେଣ୍ଡେଣ୍ଟ୍ ଡାକ୍ତର ଜି ପ୍ରଭାତୀଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଛି । ଫଳରେ ପୁଲିସ୍ ଏହି ୩ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମଜନିତ ମାମଲା ରୁଜୁ କରିଛି ।

୬୨ ବର୍ଷୀୟ ରଘୁରାମା କ୍ରିଷ୍ଣନ୍ ରାଜୁ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ୨୦୨୧ ମେ’ରେ ଜଗନ ଓ ଉପରୋକ୍ତ ୨ ଆଇପିଏସ୍ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍ କୁଆଡେ ତାଙ୍କୁ ମିଛି ମାମଲାରେ ଛନ୍ଦି ଅଟକ ରଖିବା ସହ ଶାରୀରିକ ଭାବେ ନିର୍ଯାତନା ଦେଇଥିଲା । ତାଙ୍କୁ ଥାନା ହାଜତରେ ମାଡ଼ ମରାଯିବା ସହ ଛାତିରେ ବସି ଅଣନିଃଶ୍ୱାସୀ କରିଦିଆଯାଇଥିଲା । ସିଆଇଡି ଅଫିସର ପିଭି ସୁନୀଲ କୁମାର, ପିଏସ୍‌ଆର ଅଞ୍ଜନୟୁଲୁ ଓ ଆଉ କିଛି ଅଧିକାରୀ ବେଲ୍ଟ ଏବଂ ଲାଠିରେ ମାଡ଼ ମାରିଥିଲେ । ସେ ଜଣେ ହୃଦ୍‌ଘାତ ରୋଗୀ ହୋଇଥିବା ସତ୍ତ୍ୱେ ତାଙ୍କୁ ହୃଦଘାତ୍ ସମ୍ପର୍କିତ ମେଡିସିନ୍ ମଧ୍ୟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନଙ୍କ ନିର୍ଦ୍ଦେଶରେ ଦିଆଯାଇନଥିଲା ବୋଲି ରାଜୁ ଅଭିଯୋଗ କରିଛନ୍ତି । ରାଜୁଙ୍କ କହିବାନୁସାରେ ଜଗନ୍ ରାଜନୈତିକ ଆକ୍ରୋଶ ରଖି ଏସବୁ କରାଇଥିଲେ । ତେବେ ସେତେବେଳେ ଜଗନ୍‌ଙ୍କ ସରକାର ଥିବାରୁ ସେ ନ୍ୟାୟ ମିଳିବା ଆଶା ଛାଡିଦେଇଥିଲେ । ସୂଚନାଯୋଗ୍ୟ ରାଜୁ ଏବେ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ର ଜଣେ ସକ୍ରିୟ ନେତା ତଥା ଉଣ୍ଡି ଆସନରୁ ବିଧାୟକ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking