27.1 C
Bhubaneswar
Monday, December 8, 2025
Homeଦେଶ ବିଦେଶମଧ୍ୟପ୍ରାଚ୍ୟରେ ଇସ୍ରାଏଲର ମାନଚିତ୍ର ବଦଳିଲା

ମଧ୍ୟପ୍ରାଚ୍ୟରେ ଇସ୍ରାଏଲର ମାନଚିତ୍ର ବଦଳିଲା

ଜେରୁଜେଲମ୍‌: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗାଜା ଷ୍ଟ୍ରିପ୍‌କୁ ସମ୍ପୂର୍ଣ୍ଣ ଦଖଲ କରିବାକୁ ନିଜ ସେନାବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଗତ ଗୋଟିଏ ବର୍ଷ ମଧ୍ୟରେ ଇସ୍ରାଏଲ ସେନା ସିରିଆ, ଲେବାନନ୍ ଏବଂ ପାଲେଷ୍ଟାଇନ ଆଦି ୩ ଦେଶର ମୋଟ୍ ୪୨୦ କିଲୋମିଟର ପରିମିତ ଭୂଭାଗ ଉପରେ ବାସ୍ତବ ନିୟନ୍ତ୍ରଣ ସ୍ଥାପନ କରିଛି । ଏହାକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ଏବେ ନିଜ ଭୌଗୋଳିକ ମାନଚିତ୍ରକୁ ମଧ୍ୟ ପରିବର୍ତ୍ତନ କରିଛି । ନୂଆ ମାନଚିତ୍ରରେ ଇସ୍ରାଏଲ ଏସବୁ ଭୂଭାଗକୁ ନିଜର ବୋଲି ଦର୍ଶାଇଛି । ଇସ୍ରାଏଲ ପାଲେଷ୍ଟାଇନର ୧୨ କିଲୋମିଟର ପରିମିତ ଭୂଭାଗକୁ ଦଖଲ କରିଛି । ଏଥିରେ ୱେଷ୍ଟ ବ୍ୟାଙ୍କର ଅନେକ ଗ୍ରାମ ଏବଂ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି । ଏହି ସମ୍ପୂର୍ଣ୍ଣ ବିସ୍ତାର ସମୟରେ, ଇସ୍ରାଏଲ ପାଲେଷ୍ଟାଇନୀ ଜନସଂଖ୍ୟାକୁ କମାଇ ଦେଇଛି । ଅପରପକ୍ଷରେ ଏହି ଅଞ୍ଚଳରେ ନୂତନ ଇହୂଦୀ ବସତି ନିର୍ମାଣର ଗତି ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ଇସ୍ରାଏଲର ନଜର ଗାଜା ଉପରେ ରହିଛି । ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସାମରିକ ଚାପ ପ୍ରାୟ ୪୧ କିଲୋମିଟର ଲମ୍ବା ଗାଜା ଷ୍ଟ୍ରିପ୍ ଉପରେ ରହିଛି । ସୂଚନାଯୋଗ୍ୟ,ଅକ୍ଟୋବର ୨୦୨୩ରେ ଆରମ୍ଭ ହୋଇଥିବା ଗାଜା ଯୁଦ୍ଧ ପୂର୍ବରୁ, ଇସ୍ରାଏଲର କ୍ଷେତ୍ରଫଳ ପ୍ରାୟ ୨୨,୦୦୦ ବର୍ଗ କିଲୋମିଟର ଥିଲା । ଏହିକ୍ରମେ ଇସ୍ରାଏଲ ଅତି କମରେ ୪୨୦ କିଲୋମିଟର ନୂତନ ଅଞ୍ଚଳକୁ ନିଜର ଦଖଲକୁ ନେଇଛି । ଯଦିଓ ଏହି ଦଖଲ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ନୁହେଁ, କିନ୍ତୁ ବାସ୍ତବତା ହେଉଛି ଯେ, ଇସ୍ରାଏଲୀ ସେନା ଏହି ଅଞ୍ଚଳଗୁଡ଼ିକରେ ଏକ ଦୃଢ଼ ଉପସ୍ଥିତି ବଜାୟ ରଖିଛନ୍ତି ।

ଅଲ ଜଜିରା ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଡିସେମ୍ବର ୨୦୨୪ ଠାରୁ ସିରିଆର ଦକ୍ଷିଣ ଭାଗରେ ପ୍ରାୟ ୪୦୦ କିଲୋମିଟର ଅଞ୍ଚଳକୁ ଏକ ବଫର ଜୋନ୍ ଭାବରେ ଘୋଷଣା କରିଛି । ଏହା ହେଉଛି ସେହି ଅଞ୍ଚଳ ଯାହା ଇସ୍ରାଏଲକୁ ଲାଗି ରହିଛି । ସିରିଆ ସରକାର ଏହି ଅଞ୍ଚଳକୁ ପୁଣିଥରେ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଇସ୍ରାଏଲୀ ସେନା ଏଠାରେ ସମ୍ପୂର୍ଣ୍ଣ ଭାବରେ ମୁତୟନ ଏବଂ ପାଟ୍ରୋଲିଂ କରୁଛନ୍ତି । ସେହିପରି ଇସ୍ରାଏଲ୍ ସେନା ଲେବାନନ ସୀମା ଭିତରେ ୫ କିଲୋମିଟର ପର୍ଯ୍ୟନ୍ତ ଅନୁପ୍ରବେଶ କରିଛି । ଏହା ଇସ୍ରାଏଲ୍ ସେନାର ହିଜବୁଲ୍ଲା ବିରୋଧରେ ଅଭିଯାନର ଅଂଶ ସ୍ୱରୂପ । ଇସ୍ରାଏଲ ଏହାକୁ ଏକ ପ୍ରତିରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହୁଛି, କିନ୍ତୁ ଲେବାନନ ଏହାକୁ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି ଅଭିଯୋଗ କରିଛି । ଲେବାନନ୍‌ର ହିଜବୁଲ୍ଲା ସଂଗଠନ ଇତିମଧ୍ୟରେ ଅସ୍ତ୍ର ଛାଡିବା ପାଇଁ ଇସ୍ରାଏଲ୍ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ହିଜବୁଲ୍ଲା ସ୍ପଷ୍ଟ କରିଛି ଯେ ଇସ୍ରାଏଲ ଦକ୍ଷିଣ ଲେବାନନରୁ ପ୍ରତ୍ୟାହାର ନ କରିବା ଏବଂ ବାକି ଥିବା ପାଞ୍ଚଟି ବିବାଦୀୟ ସ୍ଥାନର ସମାଧାନ ନ କରିବା ପର୍ଯ୍ୟନ୍ତ ଏହା ଅସ୍ତ୍ରତ୍ୟାଗ କରିବା ପାଇଁ କୌଣସି ଆଲୋଚନା କରିବ ନାହିଁ କିମ୍ବା କୌଣସି ପଦକ୍ଷେପ ନେବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking