20.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଗାଜାଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ଭୟଙ୍କର ଏୟାରଷ୍ଟ୍ରାଇକ୍‌; ୬ ୟୁଏନ୍ ଅଧିକାରୀଙ୍କ ସମେତ ୩୪ ମୃତ

ଗାଜାଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ଭୟଙ୍କର ଏୟାରଷ୍ଟ୍ରାଇକ୍‌; ୬ ୟୁଏନ୍ ଅଧିକାରୀଙ୍କ ସମେତ ୩୪ ମୃତ

କାଇରୋ: ପାଲେଷ୍ଟାଇନ୍‌ର ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍ ସେନା ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ କରାଯାଇଥିବା ଘନଘନ ଏୟାରଷ୍ଟ୍ରାଇକ୍‌ରେ ଅତି କମରେ  ୩୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ଜଣ ୟୁଏନ୍ (ମିଳିତ ଜାତିସଂଘ)ର ଅଧିକାରୀ ମଧ୍ୟ ସାମିଲ ଥିବା ଜଣାପଡିଛି । ଏନେଇ ୟୁଏନ୍ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି । କେନ୍ଦ୍ରୀୟ ଗାଜାର ନୁସୈରତ୍ ଅଞ୍ଚଳରେ ଇସ୍ରାଏଲ ସେନା ଏୟାରଷ୍ଟ୍ରାଇକ୍ କରିବା ପୂର୍ବକ ବୋମାବର୍ଷା କରିଥିବା ବେଳେ ଏଥିରେ ଅନେକ ଘର, ଅଟ୍ଟାଳିକା ସବୁ ଧ୍ୱଂସ ହୋଇଯାଇଛି । ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ପିଲା ଥିବା ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ କରିଛି ।  ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ନୁସୈରତ୍ ଅଞ୍ଚଳରେ ପ୍ରାୟ ୧୨ ହଜାର ପାଲେଷ୍ଟାଇନ୍ ବିସ୍ଥାପିତ ନାଗରିକଙ୍କୁ ଥଇଥାନ କରାଯାଇଥିବା ବେଳେ ଏମାନଙ୍କୁ ଟାର୍ଗେଟ୍ କରିଛି ଇସ୍ରାଏଲ୍ ସେନା । ଗାଜା ଷ୍ଟ୍ରିପ୍‌ରେ ସକ୍ରିୟ ଥିବା ହମାସ୍ ଉଗ୍ରବାଦୀଙ୍କୁ ଟାର୍ଗେଟ୍ କରିବା ପୂର୍ବକ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏହି ଆକ୍ରମଣରେ ଶତାଧିକ ଲୋକ ଗୁରୁତର ଆହତ ହୋଇଥିବା ମଧ୍ୟ ଜଣାପଡିଛି ।
ପ୍ରକାଶ, ମିଳିତ ଜାତିସଂଘ (ୟୁଏନ୍‌) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏଠାରେ (ଗାଜା ଷ୍ଟ୍ରିପ୍‌)ରେ ପୋଲିଓ ଟିକାକରଣ ଅଭିଯାନ ଚଳାଇବା ପାଇଁ ଉଭୟ ପକ୍ଷଙ୍କୁ ସାମୟିକ ଯୁଦ୍ଧ ବିରତି ପାଇଁ ଆହ୍ୱାନ କରିଥିବା ବେଳେ ଇସ୍ରାଏଲ୍ ପକ୍ଷରୁ ଏପ୍ରକାର ଆକ୍ରମଣ ଜାରି ରହିଛି । ଗାଜା ଷ୍ଟ୍ରିପ୍‌ରେ ବିଗତ ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ପୋଲିଓ ମାମଲା ଠାବ କରାଯାଇଛି । ଏଠାରେ ଏକ ନବଜାତକ ପୋଲିଓ ସଂକ୍ରମିତ ହୋଇପଡିଥିବା ଜଣାପଡିବା ପରେ ଏଠାରେ ତୁରନ୍ତ ଟିକାକରଣ କରିବା ପାଇଁ ହୁ’ ଏବଂ ୟୁଏନ୍ ପକ୍ଷରୁ ପଦକ୍ଷେପ ଆରମ୍ଭ କରାଯାଇଥିଲା । ଉଭୟ ଇସ୍ରାଏଲ ଏବଂ ହମାସକୁ ସାମୟିକ ଯୁଦ୍ଧ ବିରତି ଘୋଷଣା କରିବା ତଥା ତତ୍‌ସମ୍ପର୍କୀତ ନିୟମଗୁଡ଼ିକୁ ପାଳନ କରିବା ନେଇ ଅନୁରୋଧ କରାଯାଇଥିଲା । ଉଭୟ ପକ୍ଷ ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଥିଲେ ଏବଂ ପ୍ରତି ୩ ଦିନର ଅନ୍ତରାଳରେ ୪ ଦଫା ଯୁଦ୍ଧ ବିରତି ପାଳନ କରିବାକୁ ସହମତି ପ୍ରକାଶ କରିଥିଲେ । ବର୍ତ୍ତମାନ ସୁଦ୍ଧା ପାଲେଷ୍ଟାଇନ୍‌ର ଉତ୍ତର ଏବଂ କେନ୍ଦ୍ରୀୟ ଅଞ୍ଚଳଗୁଡ଼ିକରେ ପିଲାମାନଙ୍କୁ ପୋଲିଓ ଟିକାକରଣ କରାଯାଇସାରିଛି । ଏବେ ପୂର୍ବ ଏବଂ ପଶ୍ଚିମ ପ୍ରାନ୍ତରେ ଟିକାକରଣ ହେବା ବାକି ରହିଛି । ଏସବୁ ମଧ୍ୟରେ ଇସ୍ରାଏଲ୍ ସେନା ସାମରିକ ଆକ୍ରମଣ କରାଯାଇଛି ।
ଇସ୍ରାଏଲ-ହମାସ ଯୁଦ୍ଧକୁ ୧୧ତମ ମାସ ଅତିକ୍ରମ କରିଛି । ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଉଭୟ ପକ୍ଷ ମଧ୍ୟରେ ଦ୍ୱିପାକ୍ଷିକ ଲଢ଼େଇ ଆରମ୍ଭ ହୋଇଥିଲା । ତେବେ ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା କେବଳ ଗାଜା ଷ୍ଟ୍ରିପ୍‌ର ୫୦ ହଜାରରୁ ଊର୍ଦ୍ଧ୍ୱ (ପାଲେଷ୍ଟାଇନ୍ ନାଗରିକ) ମୃତ୍ୟୁବରଣ କରିଛନ୍ତି । ସେହିପରି ହଜାର ହଜାର ଇସ୍ରାଏଲ୍ ସୈନିକ ମଧ୍ୟ ହମାସ୍ ଆକ୍ରମଣରେ ଏଠାରେ ପ୍ରାଣ ହରାଇଛନ୍ତି । ପ୍ରାୟ ୨.୩ ନିୟୁତ ଜନସଂଖ୍ୟା ବିସ୍ଥାପିତ ହୋଇଛନ୍ତି ଏବଂ ଗାଜାରେ କ୍ଷୁଧା ସଙ୍କଟଜନିତ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଯୁଦ୍ଧ ନିୟମ ଉଲ୍ଲଂଘନ ତଥା ସାଧାରଣ ଲୋକଙ୍କୁ ହତ୍ୟା କରିଥିବା ଭଳି ଅଭିଯୋଗରେ ଛନ୍ଦି ହୋଇପଡିଥିବା ଇସ୍ରାଏଲ୍ ଅନ୍ତର୍ଜାତୀୟ କୋର୍ଟରେ ହୋଇଥିବା ଜନଶୁଣାଣି ପ୍ରକ୍ରିୟାରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking