13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଯୁଦ୍ଧ ଯୋଗୁଁ ଆର୍ଥିକ ଯନ୍ତ୍ରଣାରେ ଛଟପଟ ଇସ୍ରାଏଲ

ଯୁଦ୍ଧ ଯୋଗୁଁ ଆର୍ଥିକ ଯନ୍ତ୍ରଣାରେ ଛଟପଟ ଇସ୍ରାଏଲ

ତେଲଆଭିଭ୍‌: ପାଲେଷ୍ଟାଇନର ହମାସ ଓ ଲେବାନନ୍‌ର ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ବିରୋଧରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧ ମଣିଷ ଜୀବନକୁ ଦୟନୀୟ କରିଦେଇଛି। ଇସ୍ରାଏଲର ଆକ୍ରମଣରେ ପାଲେଷ୍ଟାଇନ ଓ ଲେବାନନ୍‌ରେ ହଜାର ହଜାର ସାଧାରଣ ନାଗରିକଙ୍କ ଜୀବନହାନି ଘଟୁଥିବାବେଳେ ଅନେକ ଆହତ ହେଉଛନ୍ତି। ଅନ୍ୟପଟେ ଏହି ଯୁଦ୍ଧ ଇସ୍ରାଏଲକୁ ଆର୍ଥିକ ଯନ୍ତ୍ରଣାରେ ପକାଇଛି। ଇସ୍ରାଏଲର ସାମରିକ ବ୍ୟୟ ଭାର ବଢିବାରେ ଲାଗିଛି। ଯୁଦ୍ଧ ଯୋଗୁଁ ଦେଶର ଆର୍ଥିକସ୍ଥିତି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଯୁଦ୍ଧବ୍ୟୟ ଭାର ବହନ କରିବା ଲାଗି ସରକାର ଲୋକଙ୍କ ଉପରେ ଟିକସ ବଢାଇ ଚାଲିଛନ୍ତି। ଏହା ସହିତ ବିଭିନ୍ନ ପ୍ରକାର ସରକାରୀ ଯୋଜନାକୁ ହ୍ରାସ କରାଯାଉଛି। ଏପରି କି ଭିତ୍ତିଭୂମି ବିକାଶ ଭଳି କାର‌୍ୟ୍ୟସବୁକୁ ବନ୍ଦ କରିଦିଆଯାଇଛି। ଦେଶର ସମସ୍ତ ଆୟ ଯୁଦ୍ଧାସ୍ତ୍ର କ୍ରୟ, ତିଆରି ଓ ସେନା ପାଇଁ ଖର୍ଚ୍ଚ କରାଯାଉଛି। ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର କହିବା ଅନୁଯାୟୀ ଗତବର୍ଷ ଇସ୍ରାଏଲର ମାସିକ ସାମରିକ ବ୍ୟୟ ୪୭୦ କୋଟି ଡଲାର ରହିଥିଲା। ଗତବର୍ଷ ଅକ୍ଟୋବର ୭ରୁ ଇସ୍ରାଏଲ ହମାସ ବିରୋଧରେ ଯୁଦ୍ଧ ଚଳାଇଛି।

ଏହି ଯୁଦ୍ଧ ପୂର୍ବରୁ ଇସ୍ରାଏଲର ମାସିକ ସାମରିକ ବ୍ୟୟ ୧୮୦କୋଟି ଡଲାର ଥିଲା। ଗତବର୍ଷ ଇସ୍ରାଏଲର ପ୍ରତିରକ୍ଷା ବାବଦ ଖର୍ଚ୍ଚ ୨୭୫୦କୋଟି ଡଲାର ରହିଥିଲା। ଇସ୍ରାଏଲର ପ୍ରତିରକ୍ଷା ଖର୍ଚ୍ଚ କାନାଡା ଓ ଫ୍ରାନ୍ସ ଭଳି ରାଷ୍ଟ୍ରର ଖର୍ଚ୍ଚ ଠାରୁ ଅଧିକ। ସେହିପରି ରୁଷ୍ ସହିତ ଦୁଇବର୍ଷ ହେଲା ଯୁଦ୍ଧ ଚଳାଇଥିବା ୟୁକ୍ରେନ ଏହାର ମୋଟ ବଜେଟ୍‌ର ଅର୍ଦ୍ଧାଧିକ ପ୍ରତିରକ୍ଷା ବାବଦରେ ଖର୍ଚ୍ଚ କରୁଛି। ଯୁଦ୍ଧ ଯୋଗୁଁ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି ଆଗାମୀ ଦିନରେ ଦୁଇ ଦେଶ ଅର୍ଥନୀତି ଉପରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବାକୁ ଯାଉଛି। ହମାସ ଆକ୍ରମଣର ତିନିମାସ ପରେ ଇସ୍ରାଏଲର ଅର୍ଥନୀତି ୫.୬ % ହ୍ରାସ ପାଇଥିଲା।

ଯୁଦ୍ଧ ଯୋଗୁଁ ଇସ୍ରାଏଲ ଉପରେ ଆର୍ଥିକ ବୋଝ ବଢିଥିବାବେଳେ ଶ୍ରମିକ ଯୋଗାଣ ପ୍ରଭାବିତ ହୋଇଛି। ଏଠାକୁ ବାହାର ଦେଶର ଶ୍ରମିକ କାମ କରିବାକୁ ଯାଉ ନାହାନ୍ତି। ଦେଶରେ ଯେଉଁ ଶ୍ରମିକମାନେ ଉପଲବ୍ଧ ସେମାନେ ସାମରିକ କାର‌୍ୟ୍ୟରେ ନିୟୋଜିତ ହୋଇଛନ୍ତି। ସେହିପରି ଯୁଦ୍ଧ ଯୋଗୁଁ ନୂଆ ବ୍ୟବସାୟ ଆରମ୍ଭ ହୋଇପାରୁ ନାହିଁ। ବିମାନ ସେବା ବାଧାପ୍ରାପ୍ତ ଯୋଗୁଁ ଏଠାକୁ ପର‌୍ୟ୍ୟଟକ ଆସୁ ନାହାନ୍ତି। ଇସ୍ରାଏଲର ଆକ୍ରମଣ ଯୋଗୁଁ ପାଲେଷ୍ଟାଇନର ଗାଜାରେ ୯୦ପ୍ରତିଶତ ଲୋକ ବାସହରା ହୋଇପଡିଛନ୍ତି। ଏଠାକାର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ଧରାଶାୟୀ ହୋଇପଡିଛି। ଲୋକଙ୍କ ପାଖରେ କୌଣସି ନିଯୁକ୍ତି ସୁଯୋଗ ନାହିଁ। ୱେଷ୍ଟବ୍ୟାଙ୍କର ଅର୍ଥନୀତି ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇଛି। ହଜାର ହଜାର ପାଲେଷ୍ଟାଇନ ନାଗରିକ ସେମାନଙ୍କ ନିଯୁକ୍ତି ହରାଇଛନ୍ତି। ବିଶ୍ବବ୍ୟାଙ୍କର କହିବା ଅନୁଯାୟୀ ପାଲେଷ୍ଟାଇନ ୱେଷ୍ଟବ୍ୟାଙ୍କର ଅର୍ଥନୀତି ୨୫ଧ ସଂକୁଚିତ ହୋଇଛି। ଇସ୍ରାଏଲର ଆଇଟି ସେକ୍ଟର ଟିକସ ଆଦାୟର ମୁଖ୍ୟ ଉତ୍ସ। ଆଇଟି ସେକ୍ଟରରୁ ୨୫୦କୋଟି ଡଲାର ଟିକସ ଆଦାୟ ହୋଇଛି। ଯୁଦ୍ଧ ପୂର୍ବରୁ ଇସ୍ରାଏଲକୁ ଆମେରିକା ପ୍ରତିରକ୍ଷା ସହାୟତା ବାବଦରେ ବାର୍ଷିକ ୩୮୦ କୋଟି ଡଲାର ପ୍ରଦାନ କରୁଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking