24.1 C
Bhubaneswar
Tuesday, January 20, 2026
Homeଦେଶ ବିଦେଶଇସ୍ରାଏଲ୍‌ର ରାତି ତମାମ ବୋମାମାଡ଼; ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ

ଇସ୍ରାଏଲ୍‌ର ରାତି ତମାମ ବୋମାମାଡ଼; ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ

ଜେରୁଜେଲମ୍ : ଦିନକ ପୂର୍ବେ ଅର୍ଥାତ୍ ଶୁକ୍ରବାର ଲେବାନନର ଦକ୍ଷିଣ ବେରୁତ ସହରରେ ଇସ୍ରାଏଲ ଜାରି ରଖିଥିବା ଏୟାରଷ୍ଟ୍ରାଇକ୍‌ରେ ହିଜବୁଲ୍ଲା ଉଗ୍ରବାଦୀ ସଂଗଠନ ମୁଖ୍ୟ ହସନ ନସରଲ୍ଲା ଏବଂ ତା’ ଝିଅ ଜୈନାବ ପ୍ରାଣ ହରାଇଥିବା ସୂଚନା ମିଳିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ପକ୍ଷରୁ ଶନିବାର ଏସମ୍ପର୍କରେ ସ୍ପଷ୍ଟ କରାଯାଇଛି। ନସରଲ୍ଲା ଅନେକ ଇସ୍ରାଏଲ ନାଗରିକ ଏବଂ ସୈନିକଙ୍କ ହତ୍ୟାର ଅଭିଯୁକ୍ତ ଥିବା ସହ ହଜାର ହଜାର ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡ ଥିଲା ବୋଲି ଆଇଡିଏଫ୍ ଦର୍ଶାଇଛି। ଆଇଡିଏଫ୍ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ ଜରିଆରେ କୁହାଯାଇଛି ଯେ, ନସରଲ୍ଲା ଏଣିକି ଦୁନିଆକୁ ଆତଙ୍କିତ କରିପାରିବ ନାହିଁ। ଆଇଡିଏଫ୍ ମୁଖପାତ୍ର ଡାନିଏଲ ହାଗୋରି କହିଛନ୍ତି, ଆମେ ଆତଙ୍କବାଦୀ ସଂଗଠନ ହିଜବୁଲ୍ଳା ମୁଖ୍ୟ ହସନ ନସରଲ୍ଲା ଏବଂ ଦକ୍ଷିଣ କମାଣ୍ଡର ଅଲି କରାକୀଙ୍କ ସମେତ ଅନେକ ହିଜବୁଲ୍ଲା କମାଣ୍ଡରଙ୍କୁ ନିପାତ କରିଛୁ। ଆଇଡିଏଫ୍ ରିପୋର୍ଟ ଅନୁସାରେ ୬୪ ବର୍ଷୀୟ ନସରଲ୍ଲା ବେରୁତ ସ୍ଥିତ ହିଜବୁଲ୍ଲାର ମୁଖ୍ୟାଳୟରେ ଥିବା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଶୁକ୍ରବାର ଇସ୍ରାଏଲ ବାୟୁସେନା ଏଠାରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହି ସମୟରେ ତା’ ସହ ଝିଅ ଜୈନାବ ଥିବାରୁ ସେ ମଧ୍ୟ ମୃତ୍ୟୁବରଣ କରିଛନ୍ତି।

ଅନ୍ୟପକ୍ଷେ ଇସ୍ରାଏଲ୍ ସେନାର ଏପ୍ରକାର ଦୃଢ଼ୋକ୍ତିକୁ ସ୍ପଷ୍ଟ କରିବାକୁ ଯାଇ ହିଜବୁଲ୍ଲା ପକ୍ଷରୁ ମଧ୍ୟ ଘଟଣାକୁ ସ୍ୱୀକାର କରାଯାଇଛି। ଶୁକ୍ରବାର ଇସ୍ରାଏଲ ଦକ୍ଷିଣ ଲେବାନନରେ କରିଥିବା ଏୟାର ଷ୍ଟ୍ରାଇକ୍‌ରେ ସଂଗଠନର ମୁଖ୍ୟ ଶେଖ୍ ହସନ ନସରଲ୍ଲା ପ୍ରାଣ ହରାଇଥିବା ହିଜବୁଲ୍ଲା ଶନିବାର ସନ୍ଧ୍ୟାରେ ଏକ ବିବୃତି ଜାରି ପୂର୍ବକ ସ୍ପଷ୍ଟ କରିଛି। ସେହିପରି ନସରଲ୍ଲାଙ୍କୁ ଜଣେ ସହିଦ୍‌ର ମାନ୍ୟତା ଦେବା ପୂର୍ବକ ହିଜବୁଲ୍ଲା ପୁରା ଦେଶରେ ତାଙ୍କ ପାଇଁ ଶୋକପ୍ରାର୍ଥନା କରିଥିବା ମଧ୍ୟ ନିଜ ଟିଭି ଚ୍ୟାନେଲ ଅଲ୍ ମନାର ଟିଭିରେ ପ୍ରକାଶ କରିଛି। ହିଜବୁଲ୍ଲା ଦର୍ଶାଇଛି ଯେ, ନସରଲ୍ଲା ପ୍ରାଣ ହରାଇଥିଲେ ମଧ୍ୟ ହିଜବୁଲ୍ଲା ଗାଜା ଓ ପାଲେଷ୍ଟାଇନ ସପକ୍ଷରେ ଯୁଦ୍ଧ ଜାରି ରଖିବ। ଏଥିସହ ଲେବାନନ ଓ ଏହାର ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ହିଜବୁଲ୍ଲା ସଂଗଠନ କଦାପି ପଛଘୁଞ୍ଚା ଦେବନାହିଁ ବୋଲି ସ୍ପଷ୍ଟ କରିଛି।

ପ୍ରକାଶ, ଗତ ୩୨ ବର୍ଷ ଧରି ନସରଲ୍ଲା ହିଜବୁଲ୍ଲାର ନେତୃତ୍ୱ ନେଇଆସୁଥିଲା। ଏବେ ତା’ର ମୃତ୍ୟୁ ସଂଗଠନ ପାଇଁ ଶକ୍ତ ଝଟ୍‌କା ସଦୃଶ ହୋଇଛି। ଫଳରେ ପ୍ରତିଶୋଧ ପରାୟଣ ହୋଇପଡିଥିବା ହିଜବୁଲ୍ଲା ପକ୍ଷରୁ ଏବେ ଇସ୍ରାଏଲ ଉପରେ ଆକ୍ରମଣକୁ ଜୋରଦାର କରାଯିବା ନେଇ ଏକ ଆଶଙ୍କା ସୃଷ୍ଟି ହୋଇଛି। ୨୦୨୩ ଅକ୍ଟୋବର ୭ରୁ ପାଲେଷ୍ଟାଇନ୍‌ର ଗାଜାଷ୍ଟ୍ରିପ୍‌ରେ ହମାସ ସହ ଲଢ଼େଇ ଆରମ୍ଭ କରିଥିଲା। ଏହାର ଦିନକ ପରେ ଗାଜା ସମର୍ଥନରେ ଲେବାନନ୍ ସ୍ଥିତ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ସେବାଠାରୁ ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଚାଲିଥିବା ଲଢ଼େଇ ମଧ୍ୟରେ ଏବେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟିଛି। ଏସବୁ ମଧ୍ୟରେ ଇସ୍ରାଏଲ ଯୁଦ୍ଧ ବିମାନଗୁଡ଼ିକ ଦକ୍ଷିଣ ବେରୁତରେ ଥିବା ହିଜବୁଲ୍ଲାର ଠିକଣାଗୁଡ଼ିକରେ ଆକାଶମାର୍ଗରୁ ବୋମାବର୍ଷା ଜାରି ରଖିଛନ୍ତି। ଶୁକ୍ରବାର ରାତି ତମାମ୍ ଇସ୍ରାଏଲ ସେନା ପକ୍ଷରୁ ଏଠାରେ ବୋମାମାଡ଼ ହୋଇଥିଲା। ଏଥିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ତଥ୍ୟ ବାହାରକୁ ଆସିନଥିଲେ ମଧ୍ୟ ହଜାର ହଜାର ଘର, ସ୍କୁଲ, କଲେଜ, ହସ୍ପିଟାଲ ଆଦି ଧ୍ୱଂସ ପାଇଯାଇଥିବା ଦେଖିବାକୁ ମିଳିଛି। ପ୍ରକାଶ, ଲେବାନନରେ ହିଜବୁଲ୍ଲା ଉଗ୍ରବାଦୀ ସଂଗଠନ ସମ୍ପୂର୍ଣ୍ଣ ନିପାତ ନ ହେବା ଯାଏ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଜାତିସଂଘ ସାଧାରଣ ସଭାରେ ସ୍ପଷ୍ଟ କରିସାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking