28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଗାଜାରେ ସାମରିକ ଅଭିଯାନକୁ ବ୍ୟାପକ କଲା ଇସ୍ରାଏଲ

ଗାଜାରେ ସାମରିକ ଅଭିଯାନକୁ ବ୍ୟାପକ କଲା ଇସ୍ରାଏଲ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ନୂଆ ମୋଡ଼ରେ ପହଞ୍ଚିଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଘୋଷଣା କରିଛନ୍ତି ଯେ ଇସ୍ରାଏଲ ଗାଜା ଷ୍ଟ୍ରିପ୍‌ରେ ତାର ସାମରିକ ଅଭିଯାନକୁ ବିସ୍ତାର କରୁଛି ଏବଂ ଏହାର ବୃହତ୍ ଅଞ୍ଚଳକୁ “ସୁରକ୍ଷା ଜୋନ୍‌” ଭାବେ ଅଧିକାର କରିବାକୁ ଯୋଜନା କରୁଛି। ଏହି ଘୋଷଣା ଅନୁସାରେ, ଇସ୍ରାଏଲ ସେନା (ଆଇଡିଏଫ୍‌) ଗାଜାରେ ଆକାଶ, ସ୍ଥଳ ଏବଂ ସମୁଦ୍ର ମାଧ୍ୟମରେ ଅଭିଯାନକୁ ତୀବ୍ର କରିବ। ଯାହା ଦ୍ୱାରା ହମାସର ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରାଯାଇ ପାରିବ ଏବଂ ଅପହୃତ ଇସ୍ରାଏଲୀ ନାଗରିକମାନଙ୍କୁ ମୁକ୍ତ କରାଯାଇ ପାରିବ। ଏହି ନୂତନ ଅଭିଯାନରେ ଗାଜାର ଦକ୍ଷିଣ ଅଞ୍ଚଳରୁ ବୃହତ୍ ସଂଖ୍ୟାରେ ପାଲେଷ୍ଟାଇନୀ ନାଗରିକଙ୍କୁ ସ୍ଥାନାନ୍ତର କରାଯିବାର ଯୋଜନା ରହିଛି। କାଟ୍ଜ କହିଛନ୍ତି ଯେ, “ଏହି ଅଭିଯାନ ହମାସ ଉପରେ ଚାପ ବଢ଼ାଇବ ଏବଂ ଗାଜାର ଜନସାଧାରଣଙ୍କୁ ହମାସକୁ ହଟାଇ ଅପହୃତ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ପ୍ରୋତ୍ସାହିତ କରିବ।” ସେ ଆହୁରି କହିଛନ୍ତି ଯେ, ଏହା ଯୁଦ୍ଧ ଶେଷ କରିବାର ଏକମାତ୍ର ଉପାୟ।

ଏହି ଘୋଷଣା ପରେ ଗାଜାରେ ଇସ୍ରାଏଲୀ ସେନା ବୋମା ବର୍ଷଣ ଜାରି ରହିଛି। ସୂଚନା ଅନୁସାରେ, ଗତ ରାତିରେ ହୋଇଥିବା ଆକ୍ରମଣରେ ଅନ୍ତତଃ ୧୭ ଜଣ ପାଲେଷ୍ଟାଇନୀ ନିହତ ହୋଇଛନ୍ତି। ଯେଉଁଥିରେ ମହିଳା ଏବଂ ଶିଶୁ ମଧ୍ୟ ରହିଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୮ରେ ଇସ୍ରାଏଲ ଏକ ଦୁଇ ମାସିଆ ଯୁଦ୍ଧବିରତି ଭାଙ୍ଗି ଗାଜା ଉପରେ ପୁନର୍ବାର ଆକ୍ରମଣ ଆରମ୍ଭ କରିଥିଲା। ଯାହା ଫଳରେ ଏପର୍ଯ୍ୟନ୍ତ ୫୦,୦୦୦ରୁ ଅଧିକ ପାଲେଷ୍ଟାଇନୀ ନିହତ ହୋଇଛନ୍ତି ବୋଲି ହମାସ ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି। ଇସ୍ରାଏଲର ଏହି ପଦକ୍ଷେପକୁ ଅପହୃତ ଇସ୍ରାଏଲୀଙ୍କ ପରିବାର ସଦସ୍ୟମାନେ ତୀବ୍ର ବିରୋଧ କରିଛନ୍ତି। ହୋଷ୍ଟେଜ୍ ଫ୍ୟାମିଲି ଫୋରମ୍ କହିଛି ଯେ, “ଏହି ଅଭିଯାନ ଅପହୃତ ବ୍ୟକ୍ତିଙ୍କୁ ମୁକ୍ତ କରିବା ପରିବର୍ତ୍ତେ ସେମାନଙ୍କ ଜୀବନକୁ ଆହୁରି ବିପଦରେ ପକାଉଛି। ସେମାନେ ଇସ୍ରାଏଲ ସରକାରଙ୍କୁ ଏକ ଚୁକ୍ତି ମାଧ୍ୟମରେ ଅପହୃତ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଏବଂ ଯୁଦ୍ଧ ଶେଷ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଇଜିପ୍ଟ ଏବଂ କତାର ପୁନର୍ବାର ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଛନ୍ତି। ହମାସ ଏକ ଇଜିପ୍ଟୀୟ ପ୍ରସ୍ତାବକୁ ଗ୍ରହଣ କରିଥିବା ବେଳେ ଇସ୍ରାଏଲ ନିଜର ଏକ ପ୍ରସ୍ତାବ ରଖିଛି। ତେବେ, ଏହି ନୂତନ ସାମରିକ ଅଭିଯାନ ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିପାରେ ବୋଲି ଆଶଙ୍କା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking