18.1 C
Bhubaneswar
Monday, February 2, 2026
Homeଓଡିଶାକମ୍ପାନୀ କ’ଣ ସରକାରଙ୍କ ବାପ -ଭକ୍ତ

କମ୍ପାନୀ କ’ଣ ସରକାରଙ୍କ ବାପ -ଭକ୍ତ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନର ହଜାର ହଜାର ଏକ ଜଙ୍ଗଲଜମି ଏସଡବ୍ଲୁ କମ୍ପାନୀକୁ ହସ୍ତାନ୍ତର କରି ସ୍ଥାନୀୟ ଲୋକଙ୍କ ଜୀବନଜୀବିକାକୁ ସଂକଟରେ ପକାଇବା ବିରୋଧରେ ଏରସମା ଅଞ୍ଚଳରେ ପଦଯାତ୍ରାକରି ପିସିସି ସଭାପତି ଭକ୍ତ ଚରଣ ଦାସ ଢ଼ିଙ୍କିଆ ଠାରେ ପହଞ୍ôଚ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେଇଥିଲେ । ଉଦବୋଧନ ଦେଇ କହିଥିଲେ ଯେ ତତ୍‌କାଳୀନ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ନିୟମଗିରି ପର୍ବତ ଧ୍ୱଂସକରି ଖଣିଜ ସମ୍ପଦ ଉତ୍ତୋଳନ କରିବେ । ନିୟମଗିରିରେ ବସବାସ କରୁଥିବା ଆଦିବାସୀ ସମୁଦାୟ ବିସ୍ଥାପିତ ହୋଇ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହୋଇଥାନ୍ତେ । କିନ୍ତୁ ସରକାରଙ୍କ ଏହି ନିତି ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ ଆରମ୍ଭ ହେଲା ଶେଷରେ ସୁପ୍ରିମକୋର୍ଟ ମଧ୍ୟ ସରକାରଙ୍କ ଏହି ଉଦ୍ୟମକୁ ରଦ୍ଦ କଲେ । ସେତେବେଳେ ଆପଣଙ୍କୁ ଅଞ୍ଚଳକୁ ଆସିବାପାଇଁ ମୋର ବହୁତ ଇଛାଥିଲା । ମୁଁ ସେହି ଆନ୍ଦୋଳନରେ ଆଦିବାସୀ ଗାଁରେ ଗାଁରେ ଶୋଉଥିଲି । ଆଦିବାସୀମାନଙ୍କୁ ଜାଗୃତ କରୁଥିଲି ଏବଂ ଆମ୍ଭମାନଙ୍କ ମିଳିତ ଅହିଂସାତ୍ମକ ବିରୋଧ ଯୋଗୁଁ ସରକାର ଖଣିଖନନ ପାଇଁ ସକ୍ଷମ ହୋଇନଥିଲା । ସୁନ୍ଦରଗଡ଼ ରାଜଗାଙ୍ଗପୁର ଠାରେ ଠିକ ଏଭଳି ସରକାର ଏବଂ ଖଣି କମ୍ପାନୀଙ୍କ ବେନିୟମ କାର୍ଯ୍ୟପାଇଁ ୧୦ ହଜାର ଆଦିବାସୀ ଏବଂ ସାଧାରଣ ଜନତା ଏକତ୍ରିତ ହୋଇ ରାସ୍ତାରେ ବସି ଆନ୍ଦୋଳନ କରିଛନ୍ତି । ଆମେ ଯାଇ ସେମାନଙ୍କ ସାଙ୍ଗରେ ଆନ୍ଦୋଳନରେ ମିଶିଛୁ । ବର୍ତ୍ତମାନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଛି । କଂଗ୍ରେସ ଛାଡ଼ିବ ନାହିଁ । ନ୍ୟାୟ ନମିଳିଲା ପର୍ଯ୍ୟନ୍ତ ସହଯୋଗ ଜାରି ରହିବ । ଯେଉଁମାନେ ବିସ୍ଥାପିତ ହେବେ ସେମାନଙ୍କ ଜମି ବଦଳରେ ଜମି, ଘର ବଦଳରେ ଘର ଓ ଜୀବିକା ବଦଳରେ ଜୀବିକା ନଦେଲା ପର୍ଯ୍ୟନ୍ତ ବିସ୍ଥାପନର ପ୍ରଶ୍ନ ଉଠୁନାହିଁ । ଆମ ନେତା ରାହୁଲ ଗାନ୍ଧୀଙ୍କ ଉଦ୍ୟମରେ ୨୦୧୩ ରେ ସରକାର ବଜାର ଦରରେ ଜମି ମୂଲ୍ୟ ପୈଠ କରିବାପାଇଁ ଆଇନ କରିଥିଲେ । ତେବେ ଯେଉଁ ସରକାରକୁ ଆମେ ଭୋଟ ଦେଇଛୁ, ନିର୍ବାଚିତ କରିଛୁ, ସରକାର ଗଢ଼ିଛୁ ସେହି ସରକାର ଆମ ଜମି, ଜଳ, ଜଙ୍ଗଲକୁ କିଭଳି ହିସାବରେ ଏହି ସରକାର ଖଣି କମ୍ପାନୀଙ୍କ ହାତରେ ଟେକି ଦେଉଛନ୍ତି । ବୋଧହୁଏ ସରକାର ଚିନ୍ତା କରୁଛନ୍ତି ସାଧାରଣ ଜନତାଙ୍କ କାମ ଓ ଅଧିକାର କେବଳ ଭୋଟ ଦେବା । ସମ୍ବିଧାନ ଆମକୁ ଅଧିକାର ଦେଇଛି ଯୁବକ, ଛାତ୍ର ଜାଗନ୍ତୁ, ମା ମାଟିର ଡାକରା ଆସିଛି ସତସିଂହର ବଳ ନେଇ ଅଗେଇ ଆସନ୍ତୁ ଏବଂ ନିଜର ଅଧିକାର ହାସଲ କରିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖନ୍ତୁ ।

ଏହି ଧରାପୃଷ୍ଠ ଆମର ଏଥରେ ଯାହା ଅଛି ଆମମାନଙ୍କ । ଗରିବ, ଦଳିତ, ବଞ୍ଚିତ ଏବଂ ସମାଜରେ ଶେଷରେ ଥିବା ବ୍ୟକ୍ତି ନ୍ୟାୟ ପାଇବା ଉଚିତ । କମ୍ପାନୀ କଣ ସରକାରଙ୍କ ବାପ? ଯାହା ଚାହିଁବେ ତାହା ସମର୍ପି ଦେବେ? ୨୨୨ ମିଲିୟନଟନ କୋଇଲା ଉତ୍ପାଦନ ହେଉଛି କିନ୍ତୁ ୨୦୨ ମିଲିୟନ ଟନ ବାହାରକୁ ରପ୍ତାନୀ ହେଉଛି । ଆମେ କେବଳ ୨୦ ଟନ ବ୍ୟବହାର କରୁଛୁ । ଯେଉଁମାନେ ଆମଠୁ କୋଇଲା ନେଉଛନ୍ତି ସେମାନେ କୋଇଲାରୁ ବିଜୁଳି କରି ଚାଷୀଙ୍କୁ ମାଗଣା ବିଜୁଳି ପ୍ରଦାନ କରୁଛନ୍ତି । ଆମେ ଉତ୍ପାଦନକାରୀ ହୋଇସୁଦ୍ଧା ଆମ ଚାଷୀଙ୍କ ଠାରୁ କଷ୍ଟସାଧ୍ୟ ବିଜୁଳି ମୂଲ୍ୟ ଆଦାୟ କରୁଛୁ । କଳକାରଖାନା ମନଇଛା ପ୍ରଦୁଷଣ କରୁଛନ୍ତି । ସରକାରଙ୍କର କୌଣସି କଟକଣା ନାହିଁ । ୧୫୦-୨୦୦ ବର୍ଷ ଧରି ବସବାସ କରୁଥିବା ଲୋକଙ୍କୁ ସରକାର ପଟାଦେଉ ନାହିଁ । ଯାହା ସେମାନଙ୍କ ଅଧିକାର ପରିସରଭୁକ୍ତ । ନିୟମଗିରିର ଆଦିବାସୀମାନେ ଅସ୍ତ୍ରଶସ୍ତ୍ର ଧରି ବୁଲନ୍ତି । କିନ୍ତୁ ଆପଣ ଶୁଣିନଥିବେ ସେମାନେ କେବେ କାହାପ୍ରତି ହିଂସାତ୍ମକ ବ୍ୟବହାର କରିଅଛନ୍ତି । ରାଜ୍ୟର ସମସ୍ତ ପାହାଡ଼ ପର୍ବତ ଅଞ୍ଚଳରେ ରହୁଥିବା ନିରୀହ ଆଦିବାସୀ ସମୁହଙ୍କୁ ଆଜି ସରକାରଙ୍କ ତରଫରୁ ଦୁର୍ଦ୍ଦଶାର ସମ୍ମୁଖିନ ହେବାକୁ ପଡ଼ୁଛି । ଶିଳ୍ପପତିମାନଙ୍କ ପାଇଁ ନିରୀହ ଆଦିବାସୀଙ୍କୁ ଅନ୍ୟାୟ ଏବଂ ବର୍ବରୋଚିତ ଢ଼ଙ୍ଗରେ ବିସ୍ଥାପନ କରାଯାଉଛି । ନାଥୁରାମ ଗଡ଼ସେ ଯେ ଗାନ୍ଧୀଜୀଙ୍କ ହତ୍ୟାକାରୀ ସିଏ ବିଜେପିର ହିରୋ । ସେମାନଙ୍କ ବିଚାର ହିଂସାତ୍ମକ । ସେଥିପାଇଁ ସେମାନେ ସାଧାରଣ ଜନତାଙ୍କ ପ୍ରତି ଏଭଳି ନିଷ୍ଠୁର ବ୍ୟବହାର କରିପାରୁଛନ୍ତି ।

ମୁଁ ଆପଣଙ୍କୁ ଏତିକି କହିବାକୁ ଚାହେଁ ଆପଣ ଏକଜୁଟ ହୁଅନ୍ତୁ । ଏହି ମାଟି, ପାଣି, ପବନ ଆପଣଙ୍କ ନିଜର ଏହି ଅଞ୍ଚଳ ସେମାନଙ୍କୁ ଛାଡ଼ିବାକୁ ପଡ଼ିବ । ଆପଣଙ୍କୁ ନୁହେଁ । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଅହିଂସାତ୍ମକ ଉପାୟରେ ଅଧିକାର ଓ ନ୍ୟାୟ ପାଇଁ ଆନ୍ଦୋଳନ କରନ୍ତୁ । କଂଗ୍ରେସ ଦଳ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ ଏବଂ ସମର୍ଥନ କରିବ । ଢ଼ିଙ୍କିଆରେ ଆୟୋଜିତ ଏହି ବିଶାଳ ସମାବେଶରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ଦେବୀ ପ୍ରସାଦ ନାୟକ, ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ପିନାକୀ ନାରାୟଣ ଦାସ, ପିସିସି ଉପସଭାପତି ଡ. ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ନଟବାର ବାରିକ, ନିରଞ୍ଜନ ନାୟକ ଏବଂ ଅନେକ ମହିଳା ନେତ୍ରୀଙ୍କ ସମେତ ହଜାର ହଜାର କଂଗ୍ରେସ କର୍ମୀ ଏବଂ ସାଧାରଣ ଜନତା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking