23.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶଇରାନ୍‌ରେ ଅଧିକ କଠୋର ହେଲା ହିଜାବ ଆଇନ; ଡ୍ରେସ୍ କୋଡ୍ ଉଲ୍ଲଂଘନକାରୀଙ୍କୁ ମୃତ୍ୟୁଦଣ୍ଡ

ଇରାନ୍‌ରେ ଅଧିକ କଠୋର ହେଲା ହିଜାବ ଆଇନ; ଡ୍ରେସ୍ କୋଡ୍ ଉଲ୍ଲଂଘନକାରୀଙ୍କୁ ମୃତ୍ୟୁଦଣ୍ଡ

ତେହେରାନ: ଇରାନ୍‌ରେ ହିଜାବ ଆଇନ୍‌କୁ ପୂର୍ବାପେକ୍ଷା ଅଧିକ କଠୋର କରାଯାଇଛି। ଇରାନ୍ ହିଜାବ ସମ୍ବନ୍ଧରେ ଏକ ନୂତନ ନିୟମ ଲାଗୁ କରିଛି ଯାହା ବିବାଦୀୟ ହୋଇପଡିଛି। ନୂଆ ହିଜାବ ନିୟମ ଅନୁଯାୟୀ, ଯଦି ମହିଳାମାନେ ହିଜାବର ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ପୂର୍ବରୁ ହିଜାବ ନିୟମର ଉଲ୍ଲଂଘନକାରୀ ମହିଳାଙ୍କୁ ସର୍ବସାଧାରଣରେ ୫୦ରୁ ୧୦୦ କୋଡି ଚାବୁକ ମାଡ଼ ଦିଆଯିବାର ନିୟମ ରହିଥିବା ବେଳେ ଏବେ ନୂଆ ହିଜାବ ଆଇନର ଧାରା ୬୦ ଅନୁଯାୟୀ ଦୋଷୀ ମହିଳାଙ୍କୁ ପ୍ରଥମ ଥର ଦୋଷ କ୍ଷେତ୍ରରେ ଜରିମାନା, ଚାପୁଡ଼ା, କୋରଡା ମାଡ଼ କିମ୍ବା କଠୋର ଜେଲ ଦଣ୍ଡ ମିଳିବାର ପ୍ରାବଧାନ କରାଯାଇଛି। ସେହିପରି ଯଦି ଜଣେ ମହିଳା ଏହି ନିୟମକୁ ଏକାଧିକ ଥର ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ୧୫ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ମୃତ୍ୟୁଦଣ୍ଡ ଭୋଗିବାକୁ ପଡିପାରେ। ଏହା ବ୍ୟତୀତ ଇରାନ କର୍ତ୍ତୃପକ୍ଷ ମଧ୍ୟ ଏକ ବିବାଦୀୟ ହିଜାବ କ୍ଲିନିକ ଖୋଲିବାକୁ ଘୋଷଣା କରିଛନ୍ତି ଯାହାର ଉଦ୍ଦେଶ୍ୟ ହିଜାବର ନିୟମକୁ କାର୍ଯ୍ୟକାରୀ କରିବା। ଏତଦବ୍ୟତୀତ ଯଦି କୌଣସି ବିଦେଶୀ ଗଣମାଧ୍ୟମ କିମ୍ବା ସଂଗଠନ ଇରାନରେ ହିଜାବ ବିରୋଧୀ ମତ ପ୍ରଚାର କରନ୍ତି, ତେବେ ତାଙ୍କୁ ୧୦ବର୍ଷ ଜେଲଦଣ୍ଡ ଏବଂ ୧୨,୫୦୦ ପାଉଣ୍ଡ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ। ଆହୁରି ମଧ୍ୟ, ଯଦି କେହି ଜଣେ ମହିଳା ଗିରଫଦାରୀକୁ ଅଟକାଇବାକୁ କିମ୍ବା ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ମଧ୍ୟ ଦଣ୍ଡିତ କରାଯିବ।

୧୯୭୯ର ଇସଲାମିକ ବିପ୍ଳବ ପରଠାରୁ, ଇରାନରେ ମହିଳାମାନଙ୍କ ପାଇଁ ସର୍ବସାଧାରଣ ସ୍ଥାନରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା। ଏହା ସତ୍ତ୍ୱେ ୨୦୨୨ ମସିହାରେ, ଏହି ହିଜାବ ନିୟମ ବିରୁଦ୍ଧରେ ସାରା ଦେଶରେ ବ୍ୟାପକ ବିରୋଧ କରାଯାଇଥିଲା। ୧୬ ସେପ୍େଟମ୍ବର ୨୦୨୨ରେ ୨୨ବର୍ଷୀୟ ମହସା ଆମିନୀଙ୍କ ପୁଲିସ୍ ହେପାଜତରେ ମୃତ୍ୟୁ ହେବା ଘଟଣା ଏହି ବିରୋଧର ମୁଖ୍ୟ କାରଣ ସାଜିଥିଲା। ଡ୍ରେସ୍ କୋଡ୍ ଉଲ୍ଲଂଘନ ମାମଲାରେ ମହସା ଆମିନୀଙ୍କୁ ପୁଲିସ ଗିରଫ କରିଥିଲା। ତାଙ୍କ ମୃତ୍ୟୁ ପରେ ସାରା ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା ଯେଉଁଥିରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସରକାର ବିରୋଧକୁ ଦମନ କରିବା ପାଇଁ ହଜାର ହଜାର ଲୋକଙ୍କୁ ଗିରଫ କରିଥିଲେ। ତେବେ ଏହି ଘଟଣାର ୨ ବର୍ଷ ପରେ ଇରାନ୍ ସରକାର ହିଜାବ ନିୟମକୁ ଆହୁରି କଠୋର କରିଛନ୍ତି। ଇରାନରେ ଲାଗୁ ହୋଇଥିବା ଏହି ନୂତନ ନିୟମ କେବଳ ଦେଶ ଭିତରେ ନୁହେଁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ବିବାଦର କାରଣ ପାଲଟିଛି। ମାନବ ଅଧିକାର ସଂଗଠନ ଏବଂ ବିଶ୍ୱ ସମୁଦାୟ ଏହି ଆଇନଗୁଡିକ ବିରୋଧରେ ମହିଳା ଅଧିକାରର ଉଲ୍ଲଂଘନ ବୋଲି ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ, ଏହି ପଦକ୍ଷେପ ମହିଳାଙ୍କ ସ୍ୱାଧୀନତା ଏବଂ ଅଧିକାରକୁ ଉଲ୍ଲଂଘନ କରୁଛି। ତେବେ ଏହି ଆଇନର ଉଦ୍ଦେଶ୍ୟ ହେଉଛି ସମାଜରେ ହିଜାବ ସଂସ୍କୃତିର ପବିତ୍ରତା ବଜାୟ ରଖିବା ଏବଂ ମହିଳାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଡ୍ରେସ୍ କୋଡ୍ ଗ୍ରହଣ କରିବାକୁ ଉତ୍ସାହିତ କରିବା ବୋଲି ଇରାନ ସରକାର ସଫେଇ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking