21.1 C
Bhubaneswar
Wednesday, January 14, 2026
Homeଖେଳଆଇପିଏଲ୍‌ : ରାଜସ୍ଥାନକୁ ୮ ୱିକେଟରେ ହରାଇଲା କେକେଆର୍

ଆଇପିଏଲ୍‌ : ରାଜସ୍ଥାନକୁ ୮ ୱିକେଟରେ ହରାଇଲା କେକେଆର୍

ଗୁଆହାଟୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୫ ସିଜନ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ବିଜୟ ଖାତା ଖୋଲିଛି। ବୁଧବାର ଖେଳାଯାଇଥିବା ସିଜନ୍‌ର ୬ଷ୍ଠ ମ୍ୟାଚ୍‌ରେ କେକେଆର୍ ୮ ୱିକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ଚଳିତ ସିଜନ୍‌ରେ ରାଜସ୍ଥାନ ରୟାଲ୍ସର ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ସ୍ଥାନୀୟ ବରାସାପାରା ଷ୍ଟାଡିୟମ୍‌ରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭର୍‌ରେ ୯ ୱିକେଟ୍ ହରାଇ ୧୫୧ ରନ୍ କରିଥିଲା। ଜବାବରେ କୋଲ୍‌କାତା ୧୭.୩ ଓଭର୍‌ରେ ୨ ୱିକେଟ୍ ବିନିମୟରେ ୧୫୩ ରନ୍ କରି ମ୍ୟାଚ୍ ନିଜ ନାମରେ କରିନେଇଛି। ଏହା ପୂର୍ବରୁ କେକେଆର୍ ଉଦ୍‌ଘାଟନୀ ମ୍ୟାଚ୍‌ରେ ଆର୍‌ସିବି ହାତରୁ ପରାଜିତ ହୋଇଥିବା ବେଳେ ରାଜସ୍ଥାନ ରୟାଲ୍ସ ଏକ ହାଇସ୍କୋରିଂ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦଠାରୁ ହାରିଥିଲା।

୧୫୨ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା କେକେଆର୍‌ର ଆରମ୍ଭ ମନ୍ଥର ଥିଲା। ୬.୧ ଓଭର୍‌ରେ ୪୧ ରନ୍ କରିଥିବା ବେଳେ ମୋଇନ୍ ଅଲୀଙ୍କ ରୂପରେ ପ୍ରଥମ ଟିମ୍‌କୁ ପ୍ରଥମ ଝଟ୍‌କା ଲାଗିଥିଲା। ୧୨ ବଲ୍‌ରେ ମୋଇନ୍ ୫ ରନ୍ କରିଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍ ହୋଇଥିଲେ। କ୍ୱିଣ୍ଟନ୍ ଡିକକ୍‌ଙ୍କ ସହ ଏହାପରେ ଯୋଗଦେଇଥିବା କ୍ୟାପ୍‌ଟେନ୍ ଆଜିଙ୍କ୍ୟ ରାହାଣେ ୧୫ ବଲ୍‌ରେ ଗୋଟିଏ ଲେଖାଏ ଚୌକା ଓ ଛକା ସହାୟତାରେ ୧୮ ରନ୍ କରିଥିବା ବେଳେ ୱାନିନ୍ଦୁ ହସାରଙ୍ଗାଙ୍କ ବଲ୍‌ରେ ତୁଷାର ଦେଶପାଣ୍ଡେଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ୭୦ ରନ୍‌ରେ ଟିମ୍ ୨ ୱିକେଟ୍ ହରାଇବା ପରେ ଡିକକ୍‌ଙ୍କ ସହ ମିଶି ଇମ୍ପାକ୍ଟ ପ୍ଲେୟର୍ ଅଙ୍ଗକୃଶ ରଘୁବଂଶୀ ଆଉ କୌଣସି ୱିକେଟ୍‌ର ପତନ ନଘଟାଇ ଟିମ୍‌କୁ ସିଜନ୍‌ର ପ୍ରଥମ ବିଜୟ ଦେଇଛନ୍ତି। ୩୬ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ଓପ୍ନର୍ ଡିକକ୍ ୬୧ ବଲ୍‌ରେ ୯୭ ରନ୍ କରି ଅପରାଜିତ ଫେରିଥିଲେ। ତାଙ୍କର ଏହି ଅର୍ଦ୍ଧଶତକୀୟ ଇନିଂସ୍‌ରେ ୮ ଚୌକା ଓ ୬ ଛକା ସାମିଲ ଥିଲା। ରଘୁବଂଶୀ ୧୭ ବଲ୍‌ରେ ଦୁଇ ଚୌକା ସହାୟତାରେ ଅପରାଜିତ ୨୨ ରନ୍ କରିଥିଲେ।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ୍ ଓ ସଞ୍ଜୁ ସାମ୍‌ସନ୍ ଜୋରଦାର ଆରମ୍ଭ କରିଥିଲେ। ଉଭୟ ୩ ଓଭର୍‌ରେ ୩୩ ରନ୍ ଯୋଡ଼ିଥିଲେ। ମାତ୍ର ବୈଭବ ଆରୋରାଙ୍କ ବଲ୍‌ରେ ଏକ ବଡ୍ ଶଟ୍ ଖେଳିବାକୁ ଯାଇ ସାମ୍‌ସନ୍ ବୋଲ୍ଡ ଆଉଟ୍ ହୋଇଥିଲେ। ଆଉଟ୍ ବେଳକୁ ସାମ୍‌ସନ୍ ୧୧ ବଲ୍‌ରେ ଦୁଇଟି ଚୌକା ସହାୟତାରେ ୧୩ ରନ୍ କରିଥିଲେ। ଏହାପରେ ବ୍ୟାଟିଂ ପାଇଁ ଆସିଥିବା କ୍ୟାପ୍‌ଟେନ୍ ରିୟାନ୍ ପରାଗ ଯଶସ୍ୱୀଙ୍କ ସହ ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ତେବେ ଦୁହେଁ ବଡ଼ ଇନିଂସ୍ ଖେଳିପାରି ନଥିଲେ। ପରାଗ ୧୫ ବଲ୍‌ରେ ତିନିଟି ଛକା ସହାୟତାରେ ୨୩ ରନ୍ କରିଥିବା ବେଳେ ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍‌ରେ କ୍ୱିଣ୍ଟନ୍ ଡି’କକ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ମୋଇନ୍ ଅଲୀ ଯଶସ୍ୱୀଙ୍କୁ ହର୍ଷିତ ରାଣାଙ୍କ ହାତରେ କ୍ୟାଚ୍ କରାଇଥିଲେ। ଯଶସ୍ୱୀ ୨୪ ବଲ୍‌ରୁ ଦୁଇଟି ଲେଖାଏ ଛକା ଓ ଚୌକା ସହାୟତାରେ ୨୯ ରନ୍ କରିଥିଲେ। ମଧ୍ୟକ୍ରମରେ ଧ୍ରୁବ ଜୁରେଲ୍ କିଛିଟା ସଂଘର୍ଷ କରିଥିଲେ। ୨୮ ବଲ୍‌ରେ ପାଞ୍ଚ ଚୌକା ସହାୟତାରେ ସେ ଟିମ୍ ପକ୍ଷରୁ ସର୍ବାଧିକ ୩୩ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୋଫ୍ରା ଆର୍ଚର୍ (୧୬)ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଦୁଇଅଙ୍କ ମଧ୍ୟ ଛୁଇଁପାରି ନଥିଲେ। କୋଲ୍‌କାତା ପକ୍ଷରୁ ଭୈବଭ ଆରୋରା, ହର୍ଷିତ ରାଣା, ମୋଇନ୍ ଅଲୀ ଓ ବରୁଣ ଚକ୍ରବର୍ତ୍ତୀ ୨-୨ ୱିକେଟ୍ ନେଇଥିବା ବେଳେ ସ୍ପେନ୍‌ସର୍ ଜନ୍‌ସନ୍ ଗୋଟିଏ ସଫଳତା ପାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking