– ୧୨.୮୮ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ
– ସିଙ୍ଗାପୁର, ମାଲେସିଆ, ଅଷ୍ଟ୍ରେଲିଆ ସହ ୧୬ ଦେଶ ସାମିଲ
ଭୁବନେଶ୍ୱର: ବିଶ୍ୱ ନିବେଶ ମାନଚିତ୍ରରେ ଓଡ଼ିଶା ଏବେ ଆକର୍ଷଣୀୟ ସ୍ଥାନ। ସମୁଦାୟ ୧୪୫ଟି ରାଜିନାମା (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି। ସମୁଦାୟ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ରାଜିନାମା ହୋଇଛି । କେମିକାଲସ୍, ପେଟ୍ରୋକେମିକାଲସ୍, ଟେକ୍ସଟାଇଲସ୍, ମାଇନଙ୍ଗ ଓ ମେଟାଲର୍ଜି, ନବୀକରଣୀୟ ଶକ୍ତି, ଆଇଟି, ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ ପରି ବିବିଧ କ୍ଷେତ୍ରରୁ ପୁଞ୍ଜିନିବେଶର ପ୍ରସ୍ତାବ ଆସିଛି। ଏହାଦ୍ୱାରା ରାଜ୍ୟରେ ୮ ଲକ୍ଷ ୯୪ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହିତ ରାଜ୍ୟରେ ସମାବେଶୀ ଅଭିବୃଦ୍ଧି ହୋଇପାରିବ। ଏମ୍ଓୟୁ ସ୍ୱାକ୍ଷର ବ୍ୟତୀତ ଆହୁରି ୩.୮୪ ଲକ୍ଷ କୋଟି ଟଙ୍କାର ୪୪୮ଟି ପୁଞ୍ଜିନିବେଶ ଅଭିପ୍ରାୟ ମଧ୍ୟ ଆମେ ନିର୍ଦ୍ଧାରିତ ଫର୍ମରେ ଗ୍ରହଣ କରିଛୁ। ଏହାଦ୍ୱାରା ୩.୯୨ ଲକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି। ଏମିତି ସମୁଦାୟ ୨୦ଟି ସେକ୍ଟରରେ ୫୯୩ଟି ପ୍ରକଳ୍ପ ପାଇଁ ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା ୧୨.୮୮ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ବୁଧବାର ଶେଷ ହୋଇଛି। ଏହି ଅବସରରେ ମୁଖମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ନିବେଶକ ମହାକୁମ୍ଭ ସଫଳ ହୋଇଛି। ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ୍ ଡେଲିଗେଟ୍, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକମାନେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏହାକୁ ସ୍ୱୟଂ ଉଦ୍ଘାଟନ କରି ଓଡ଼ିଶା ପ୍ରତି ତାଙ୍କର ସମର୍ଥନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଜୀ ନିଜେ ଉପସ୍ଥିତ ରହି ଓଡିଶାରେ ପୁଞ୍ଜି ନିବେଶ ପାଇଁ ‘ମୋଦୀ ଗ୍ୟାରେଣ୍ଟି’ ଦେଇଥିଲେ। ଶିଳ୍ପ ଜଗତକୁ ତାଙ୍କର ଭାଷା ଥିଲା ଓଡ଼ିଶା ହେଉଛି ଉତ୍କୃଷ୍ଟ । ଓଡ଼ିଶା ହେଉଛି ବର୍ତ୍ତମାନ ପାଇଁ ସର୍ବୋତ୍ତମ ସୁଯୋଗର ଭୂମି। ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ କୃତଜ୍ଞତା ପ୍ରକାଶ କରିବା ସହିତ ଓଡିଶାର ସାଢ଼େ ଚାରିକୋଟି ଜନସାଧାରଣଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରୁଛି। ଫଳରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡିଶାକୁ ଏକ ଗ୍ରୋଥ୍ ଇଞ୍ଜି୍ନ କରିବା ପାଇଁ ସେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସିଛନ୍ତି। ଡବଲ ଇଞ୍ଜିନ ସରକାରରେ ତାଙ୍କର ଯାହା ଭୂମିକା ରହିବା କଥା ତାକୁ ସେ ସମ୍ପୂର୍ଣ୍ଣ ଭାବେ ନିର୍ବାହ କରିଛନ୍ତି। ଏହାଦ୍ୱାରା ଦେଶର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ପାଇଁ ଆମର ଯେଉଁ ସଂକଳ୍ପ ରହିଛି, ଆମେ ତାହାର ନିକଟତର ହୋଇପାରିଛୁ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କନକ୍ଲେଭରେ ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ପରି ପାର୍ଟନର ଦେଶର ପ୍ରତିନିଧି ମାନଙ୍କ ସହିତ ୧୬ ଟି ଦେଶର ପ୍ରତିନିଧିଯୋଗ ଦେଇଥିଲେ। ଏହାଦ୍ୱାରା ବିଶ୍ୱ ନିବେଶ ମାନଚିତ୍ରରେ ଓଡ଼ିଶାର ଗୁରୁତ୍ୱ ବଡ଼ିଛି। ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ବୟନ ଶିଳ୍ପ ଓ ପୋଷାକ, ନବୀକରଣୀୟ ଶକ୍ତି, ସ୍କିଲଡ୍ ଇନ୍ ଓଡିଶା, ମହିଳାଙ୍କ ଉଦ୍ୟୋଗ ସ୍ଥାପନ, ପର୍ଯ୍ୟଟନ, ସର୍କୁଲାର ଇକୋନମି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟ, ଫାର୍ମା ଓ ବାୟୋଟେକ୍ ଏବଂ ଶିଳ୍ପ ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରୀୟ ଶିଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହିସବୁ କ୍ଷେତ୍ରଗୁଡିକରେ ପୁଞ୍ଜିନିବେଶ ଓ ଅଭିବୃଦ୍ଧି ପାଇଁ ବିଭିନ୍ନ ରଣନୀତି ଉପରେ ପ୍ରସ୍ତାବ ରଖାଯାଇଥିଲା। ଆଧୁନିକ ଓ ଆଗାମୀ ଦିନରେ ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମର ୱାର୍କଫୋର୍ସକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରଣନୀତି ଉପରେ ସ୍କିଲଡ୍ ଇନ୍ ଓଡିଶା ସେସନରେ ଆଲୋଚନା କରାଯାଇଥିଲା। ମହିଳା ଉଦ୍ୟମଶୀଳତା ଓ ଷ୍ଟାର୍ଟଅପ୍ ଓଡିଶା ଆଦି ସମ୍ପର୍କିତ ପ୍ୟାନେଲ ଡିସ୍କସନରେ ଅଭିନବ ଓ ସମାବେଶୀ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ନବୀକରଣୀୟ ଶକ୍ତି, ସର୍କୁଲାର ଇକୋନମି ଓ ଗ୍ରୀନ ଟେକ୍ନୋଲୋଜି ଆଦି ଆଲୋଚନାରେ ନିରନ୍ତର ବିକାଶ ପାଇଁ ଓଡିଶାର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଥିଲା। ବିଭିନ୍ନ ସଂସ୍ଥା ସହ ହୋଇଥିବା ଏମଓୟୁ ଯୋଗୁଁ ଓଡ଼ିଶାର ଶିଳ୍ପକ୍ଷେତ୍ରରେ କାୟାକଳ୍ପ ପରିବର୍ତ୍ତନ ସହ ବିଶସ୍ତରୀୟ ଶିଳ୍ପସଂସ୍ଥାଙ୍କ ସହିତ ସହଭାଗୀତାର ନୂଆ ଯୁଗ ଆରମ୍ଭ କରିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତକୁ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧତାର ସହ କାମ କରୁଛୁ। ଆଗାମୀ ଦିନରେ ମଧ୍ୟ ଏଥିପାଇଁ ଉଦ୍ୟମ ଜାରିରହିବ । ଏହି କନ୍କ୍ଲେଭର ସଫଳତା ପାଇଁ ଶିଳ୍ପ ବିଭାଗ, ଇପିକଲ, ଇଡକୋ, ସିଆଇଆଇ, ପିଡବ୍ଲ୍ୟୁସି ପରି ବିଭିନ୍ନ ସଂସ୍ଥା ଦ୍ୱାରା ଯୋଜନାବଦ୍ଧ ଭାବେ ପରିଶ୍ରମ କରିଛନ୍ତି । ସେମାନେ ଧନ୍ୟବାଦାର୍ହ। ଏହି ଦୁଇ ଦିନର କାର୍ଯ୍ୟକ୍ରମ ଗଣମାଧ୍ୟମ ଜରିଆରେ ଉତ୍କର୍ଷ ଓଡିଶାର ସମ୍ବାଦ ସମସ୍ତଙ୍କ ପାଖରେ ପହଞ୍ଚି ପାରିଛି। ଏଥିପାଇଁ ଗଣମାଧ୍ୟମ ସଂସ୍ଥା ଓ ଏଥିରେ କାମ କରୁଥିବା ସାମ୍ବାଦିକ ବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।