25.1 C
Bhubaneswar
Wednesday, December 10, 2025
Homeଓଡିଶାଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସିଆର ସଭ୍ୟତାଗତ ସଂଯୋଗକୁ ନେଇ ଆୟୋଜନ ହେବ ଅନ୍ତର୍ଜାତୀୟ ସମ୍ମିଳନୀ

ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସିଆର ସଭ୍ୟତାଗତ ସଂଯୋଗକୁ ନେଇ ଆୟୋଜନ ହେବ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଇନଷ୍ଟିଚ୍ଯୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଭାରତ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସିଆର ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଥିବା ସାମାଜିକ, ସାହିତ୍ୟିକ, ସାଂସ୍କୃତିକ ଓ ସଭ୍ୟତାଗତ ସାମଞ୍ଜସ୍ୟକୁ ନେଇ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରାଯିବ। ଚଳିତ ମେ’ ମାସ ୨୪ ତାରିଖ ଏବଂ ୨୫ ତାରିଖ ଅର୍ଥାତ୍‌ ଦୁଇ ଦିନ ଧରି ଏହି ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରାଯିବ। “କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ସଭ୍ୟତାଗତ ସଂଯୋଗ” ଶୀର୍ଷକ ଉପରେ ଏହି ସମ୍ମିଳନୀ ଆୟୋଜିତ ହେବ। ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶା, ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ରାଷ୍ଟ୍ରମାନଙ୍କର ଶିକ୍ଷାବିତ୍‌, ଗବେଷକ, ସାହିତ୍ୟିକ,ସଂସ୍କୃତି ଗବେଷକ ପ୍ରମୁଖ ଯୋଗଦେବା ସହ ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଥିବା ସାମାଜିକ, ସାଂସ୍କୃତିକ ଓ ସଭ୍ୟତାଗତ ସାମଞ୍ଜସ୍ୟ ଉପରେ ଆଲୋଚନା କରିବେ। ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସମ୍ବନ୍ଧରେ ବିଭିନ୍ନ ବର୍ଗର ଜନସାଧାରଣ ଓ ବିଶେଷ ଭାବରେ ଯୁବପିଢ଼ିଙ୍କୁ ଅବଗତ କରାଇବା ନିମନ୍ତେ ସମ୍ମିଳନୀରେ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ ମଧ୍ୟ କରାଯିବ।

ସୂଚନାଯୋଗ୍ୟ ଯେ, ପ୍ରାଚୀନ କାଳରେ ଓଡ଼ିଆ ସାଧବପୁଅମାନେ ବାଣିଜ୍ୟ କରିବାକୁ ଜାଭା, ସୁମାତ୍ରା, ଇଣ୍ଡୋନେସିଆ ଆଦି ସ୍ଥାନକୁ ଯାଉଥିଲେ ଏବଂ ଏହି ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଓ ସାଂସ୍କୃତିକ ଭାବ ବିନିମୟର ଉଦାହରଣ ଆଜି ମଧ୍ୟ ଉଭୟ ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପରିଲକ୍ଷିତ ହେଉଛି। ଓଡ଼ିଶାର ପଶୁମୁଖା ନୃତ୍ୟ ଓ ବାଲିର ବାରୋଙ୍ଗ ନୃତ୍ୟ, ମୟୁରଭଞ୍ଜ ଜିଲ୍ଲାର ଛଉ ଓ ଇଣ୍ଡୋନେସିଆର ଗାବା-ଗାବା ନୃତ୍ୟ, ଓଡ଼ିଶାର ଧାରୁଆ ଜନଜାତିର ବିର୍ଲି ନୃତ୍ୟ ଏବଂ ଇଣ୍ଡୋନେସିଆର ଆଦିବାସୀ ନୃତ୍ୟ ଆଦି ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ମଧ୍ୟରେ ରହିଥିବା ସାଂସ୍କୃତିକ ବିନିମୟର ପରିଚୟ ପ୍ରଦାନ କରୁଛି। ଏହି ଦୁଇ ଦିବସୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଓଡ଼ିଶା ଓ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ମଧ୍ୟରେ ରହିଥିବା ସଭ୍ୟତାଗତ ସଂଯୋଗର ଇତିହାସକୁ ପୁନର୍ଜୀବିତ କରିବା ସହିତ ଯୁବପିଢ଼ିଙ୍କ ପାଇଁ ଏକ ଶୈକ୍ଷିକ ବିଷୟ ବସ୍ତୁ ଭଳି କାର୍ଯ୍ୟ କରିବ ବୋଲି ଜନସାଧାରଣରେ ମତପ୍ରକାଶିତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking