27.1 C
Bhubaneswar
Wednesday, December 24, 2025
Homeଓଡିଶାଗଣଶିକ୍ଷା ବିଭାଗର ନିର୍ଦ୍ଦେଶ; ଏଣିକି ସ୍କୁଲରେ ସିସି କ୍ୟାମେରା ବାଧ୍ୟତାମୂଳକ

ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ; ଏଣିକି ସ୍କୁଲରେ ସିସି କ୍ୟାମେରା ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏନେଇ ଅନେକଥର ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରି ନଥିଲା। ଅର୍ଥ ଅଭାବ ଦର୍ଶାଇ ଅନେକ ସ୍କୁଲର କର୍ତ୍ତୃପକ୍ଷ ନିୟମକୁ ଅବମାନନା କରୁଥିବା ବେଳେ ଅନେକ ସ୍କୁଲରେ ଭିତ୍ତିଭୂମି ନଥିବା ଦର୍ଶାଇ ସମ୍ପୃକ୍ତ ସ୍କୁଲରେ ନିର୍ଦ୍ଦେଶକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଇ ନାହିଁ। ଏଣିକି ପିଲାଙ୍କୁ ଜଗିବା ଲାଗି ସବୁ ସ୍କୁଲରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯିବ। ଏନେଇ ଯାହା ଖର୍ଚ୍ଚ ହେବ ତାହା ସମଗ୍ରଶିକ୍ଷା ଯୋଜନାରୁ ବ୍ୟୟ କରାଯିବ। ଆସନ୍ତା ଶିକ୍ଷାବର୍ଷ ଆରମ୍ଭରୁ ଏହି ସୁବିଧା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟର ଘରୋଇ ସ୍କୁଲରେ ଯେପରି ସୁରକ୍ଷା ବ୍ୟବସ୍ଥାକୁ ଗରୁତ୍ୱ ଦିଆଯାଉଛି ସେହିଭଳି ଢଙ୍ଗରେ ମଧ୍ୟ ସରକାରୀ ସ୍କୁଲରେ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ।

ତେବେ ପୂର୍ବରୁ ସୁରକ୍ଷା ଲାଗି ସ୍କୁଲର ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଥିବା ବେଳେ ବର୍ତ୍ତମାନ ଡିଜିଟାଲ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ସବୁ ସ୍କୁଲର ମୁଖ୍ୟ ଫାଟକ ପାଖରେ ଗୋଟିଏ ଲେଖାଏଁ ସିସି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ କେତେ ପିଲା ସ୍କୁଲ ଆସୁଛନ୍ତି ଏବଂ କେଉଁ ପିଲା ଅନୁପସ୍ଥିତ ରହୁଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ିବ। ରାଜ୍ୟରେ ମୋଟ୍ ୬୭ହଜାର ୮୭୨ଟି ସ୍କୁଲ ରହିଛି। ତେବେ ଏହି ସ୍କୁଲ ଗୁଡିକରେ ଗୋଟିଏ ଲେଖାଏଁ ସିସି କ୍ୟାମେରା ବ୍ୟବସ୍ଥା ରହିବ। ସେହିପରି ଯେଉଁ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀ କକ୍ଷ ରହିଛି ଏବଂ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷ ଥିବା ସ୍କୁଲରେ ଗୋଟିଟିଏ ଲେଖାଏଁ ସିସି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି।

ପ୍ରଥମରୁ ଅଷ୍ଟମ ଏବଂ ଦଶମଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷ ଥିବା ସ୍କୁଲରେ ୨ଟି ଲେଖାଏଁ ସିସି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଗତ ମାସର କ୍ୟାମେରାର ରେକଡିଂ ସ୍କୁଲ ପ୍ରଧାନଶିକ୍ଷକ ବ୍ଲକଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ। ଫଳରେ ରାଜ୍ୟର ସବୁ ସ୍କୁଲର ଦୈନିନ୍ଦିନର କ୍ୟାମେରା ରେକଡିଂ ବିଭାଗ ପାଖରେ ରହିବ। ଆବଶ୍ୟକ ସମୟରେ ସେସବୁ ଯାଞ୍ଚ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରାଥମିକ ଏବଂ ଉପପ୍ରାଥମିକ ସ୍କୁଲରେ ସିସି କ୍ୟାମେରା ଲଗାଯିବ। ତେବେ ଏହି ପର୍ଯ୍ୟାୟରେ ପ୍ରଥମ ତାଲିକାରେ କେବଳ ୩୬ହଜାର ୭୦ଟି ସ୍କୁଲ ଥିବା ବେଳେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ମିଶିକି ଥିବା ୧୮ହଜାର ୭୧୨ଟି ଏବଂ କେବଳ ୩୩୦୭ଟି ଉଚ୍ଚପ୍ରାଥମିକ ସ୍କୁଲରେ ସିସି କ୍ୟାମେରା ଲଗାଯିବ। ମୋଟ୍ ଉପରେ ୫୮ହଜାର ୮୯ଟି ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ସିସି କ୍ୟାମେରା ବାବଦରେ ଖର୍ଚ୍ଚ ହେବ ୮କୋଟି ୭୧ଲକ୍ଷ ୩୩ହଜାର ୫ଶହ ଟଙ୍କା।

ଏହି ଟଙ୍କା ସମଗ୍ର ଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନରୁ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏହାବ୍ୟତୀତ ପରୀକ୍ଷା ସମୟରେ ଏହି ବ୍ୟବସ୍ଥା ବେଶ ସହାୟକ ହେବ ବୋଲି ଆଶା କରାଯାଉଛି। ଯେଉଁ ସ୍କୁଲରେ ଏହି ବ୍ୟବସ୍ଥା ନଥିବା ଜଣାପଡ଼ିବ ସେହି ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି। ଏହି ବ୍ୟବସ୍ଥା ସମ୍ପର୍କରେ କିଛି ସ୍କୁଲର ଶିକ୍ଷକମାନେ କହିଛନ୍ତି ଯେ, ଏପରି ବ୍ୟବସ୍ଥା ଦ୍ୱାରା ପିଲାଙ୍କ ଉପସ୍ଥାନ, ସୁରକ୍ଷା, ବିଦ୍ୟାଳୟର ପରିଚୟ ଏବଂ ଗୁଣାତ୍ମକଶିକ୍ଷା କ୍ଷେତ୍ରରେ ବେଶ ସହାୟକ ହେବ। ସେହିପରି ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ସମସ୍ତ ସରକାରୀ ସ୍କୁଲର ଭିତ୍ତିଭୂମି ଯାଞ୍ଚ କରାଯିବ। ସରକାରୀ ନିୟମ ମୁତାବକ ବ୍ୟବସ୍ଥାରେ ଏହି ବ୍ୟବସ୍ଥା ଲାଗୁ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking