25.1 C
Bhubaneswar
Saturday, February 14, 2026
Homeଓଡିଶାରାଜ୍ୟ ଗ୍ରନ୍ଥାଗାରରେ ପ୍ରେରଣାଦାୟକ ବକ୍ତୃତାମାଳା କାର୍ଯ୍ୟକ୍ରମ ଆୟୋଜିତ

ରାଜ୍ୟ ଗ୍ରନ୍ଥାଗାରରେ ପ୍ରେରଣାଦାୟକ ବକ୍ତୃତାମାଳା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପ୍ରେରଣାଦାୟକ ବକ୍ତୃତାମାଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ସୁନାମଧନ୍ୟ ପ୍ରତିଷ୍ଠିତ ମହିଳାମାନେ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେବେ।

ଆଜି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଡ଼କ୍ଟର ପଦ୍ମା ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।ଡ଼କ୍ଟର ମହାନ୍ତି ବର୍ତ୍ତମାନ ପରିବେଶ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଆଞ୍ଚଳିକ କାର୍ଯ୍ୟାଳୟର ଉପ ମହାନିରୀକ୍ଷକ (ଜଙ୍ଗଲ) ଭାବେ କାର୍ଯ୍ୟରତ।ନିଜର ଅଭିଭାଷଣରେ ସେ ମହିଳା ମାନଙ୍କର ସଶକ୍ତ ସମାଜ ଗଠନରେ ରହିଥିବା ଗୁରତ୍ୱପୂର୍ଣ୍ଣ ଭୂମିକା ଓ ଦାୟିତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ। ମହିଳାମାନେ ହେଲେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସମସ୍ତେ ନିଜ ଜୀବନରେ ସଫଳତା ଅର୍ଜନ କରିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର, ଗ୍ରନ୍ଥାଗାରର ସମସ୍ତ କର୍ମଚାରୀ ଓ ପାଠକ-ପାଠିକାମାନେ ଯୋଗଦେଇଥିଲେ। ପ୍ରକାଶଯୋଗ୍ୟ ଯେ, ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ ରାଜ୍ୟ ଗ୍ରନ୍ଥାଗାରରେ ଏକ ପୁସ୍ତକ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି। ଏହି ପ୍ରଦର୍ଶନୀରେ ଓଡ଼ିଆ ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖିକାମାନଙ୍କ ଦ୍ୱାରା ଲିଖିତ ପୁସ୍ତକଗୁଡ଼ିକୁ ସ୍ଥାନିତ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking