32.1 C
Bhubaneswar
Sunday, March 8, 2026
Homeଓଡିଶା୧୯୭୧ ପାକିସ୍ତାନ ସହ ଯୁଦ୍ଧରେ ଆମେରିକାର ଧମକକୁ ଡରି ନ ଥିଲେ ଇନ୍ଦିରା ଗାନ୍ଧି

୧୯୭୧ ପାକିସ୍ତାନ ସହ ଯୁଦ୍ଧରେ ଆମେରିକାର ଧମକକୁ ଡରି ନ ଥିଲେ ଇନ୍ଦିରା ଗାନ୍ଧି

ନୂଆପଡ଼ା / ଭୁବନେଶ୍ୱର: ୧୯୭୧ ବଙ୍ଗଳାଦେଶ ମୁକ୍ତି ଆନ୍ଦୋଳନ ନେଇ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଆମେରିକାର ସପ୍ତମ ଫ୍ଲିଟ୍ ପ୍ରେରଣ ଧମକ ଆଗରେ ମୁଣ୍ଡ ନୂଆଁଇ ନ ଥିଲେ ଇନ୍ଦିରା ଗାନ୍ଧି। କିନ୍ତୁ ଟ୍ରମ୍ପ ଟାରିଫ୍ ଯୁଦ୍ଧର ଧମକ ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାରମ୍ବାର ଡରାଇବା ସତ୍ତ୍ବେ ତାଙ୍କ ପାଟିରୁ ଶବ୍ଦଟିଏ ବାହାରୁନି। ସାଂପ୍ରତିକ ରାଜନୈତିକ ପରସ୍ଥିତିରେ ଭାରତ ଇନ୍ଦିରା ଗାନ୍ଧିଙ୍କ ପରି ସାହସୀ ନେତୃତ୍ବକୁ ଝୁରୁଛି ବୋଲି ତାଙ୍କ ୪୧ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ପିସିସି ସଭାପତି ଭକ୍ତଚରଣ ଦାସ ପ୍ରକାଶ କରିଛନ୍ତି। ସ୍ଥାନୀୟ ଖୁଣ୍ଟିଆ ଭବନରେ ଆୟୋଜିତ ଶ୍ରଦ୍ଧାଂଜଳି ସଭାରେ ସଭାପତିତ୍ବ କରି ଶ୍ରୀ ଦାସ କହିଥିଲେ, ଦେଶର ଗରିବ ଲୋକଙ୍କ ବିକାଶ ପାଇଁ ଇନ୍ଦିରା ଗାନ୍ଧିଙ୍କ ବିଂଶସୂତ୍ରୀ କାର୍ଯ୍ୟକ୍ରମକୁ ଚିରକାଳ ମନେ ରଖିବେ। କୋରାପୁଟ-ନବରଙ୍ଗପୁର ପରି ଜିଲ୍ଲାମାନଙ୍କରେ ଆଜି ମଧ୍ୟ ଇନ୍ଦିରାଙ୍କ ନାମରେ କଂଗ୍ରେସକୁ ଭୋଟ ମିଳେ। ତେବେ କେବଳ ଗାନ୍ଧୀ-ନେହେରୁ-ଇନ୍ଦିରା-ପଟେଲଙ୍କ ଜୟନ୍ତୀ ଓ ଶ୍ରାଦ୍ଧଦିବସ ପାଳନ କରିଦେଲେ କଂଗ୍ରେସ କର୍ମୀଙ୍କ ଦାୟିତ୍ବ ସରିଯାଏ ନାହିଁ। ସେମାନଙ୍କ ଜୀବନାଦର୍ଶକୁ ଅନୁକରଣ କଲେ ନିଜର ଓ ଦଳର ପ୍ରଭୂତ ହିତସାଧନ ସମ୍ଭବ ବୋଲି ସେ ମତ ଦେଇଥିଲେ। ସେହିପରି ଲୌହମାନବ ସର୍ଦ୍ଦାର ପଟେଲଙ୍କ ଜୀବନାଦର୍ଶ ଏ ଜାତି ପାଇଁ ଏକ ବଡ଼ ମାର୍ଗଦର୍ଶିକା ବୋଲି ସେ ପ୍ରକାଶ କରିଥିଲେ।

ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଂଜଳି ସଭାରେ ଶୁକ୍ରବାର ସକାଳେ ଇନ୍ଦିରା ଗାନ୍ଧିଙ୍କ ପୁଣ୍ୟତିଥି ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପାଳନ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଆଇସିସି ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, ଦେଶର ସ୍ବାଧୀନତା ସଂଗ୍ରାମରେ ସାମାନ୍ୟତମ ଧାରଣା ନ ଥିବା ମୌଳବାଦୀମାନେ ନେହେରୁ-ପଟେଲଙ୍କ ସମ୍ପର୍କକୁ ନେଇ ମନଗଢ଼ା କାହାଣୀମାନ କହି ଲୋକଙ୍କୁ ଭ୍ରମିତ କରୁଛନ୍ତି। ନେହେରୁଙ୍କ ସହ ସର୍ଦ୍ଦାର ପଟେଲଙ୍କର ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ଥିଲା ଓ ସେ ହିଁ ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବା ଚାହିଥିଲେ। କଂଗ୍ରେସର ନେତା ଓ କର୍ମୀମାନେ କଂଗ୍ରେସର ଗୌରବମୟ ଅତୀତ ବିଷୟରେ ଭଲଭାବେ ପଢ଼ାପଢ଼ି କଲେ ଆରଏସ୍‌ଏସ ପରି ସଂଗଠନମାନେ ବିଭ୍ରାନ୍ତି ସୃଷ୍ଟି କରିପାରିବେନି ବୋଲି ସେ ପରାମର୍ଶ ଦେଇଥିଲେ।

ସଭା ପ୍ରାରମ୍ଭରେ ଇନ୍ଦିରା ଓ ପଟେଲଙ୍କ ଫଟୋଚିତ୍ରରେ ମଂଚାସୀନ ଅତିଥିମାନେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ଏହାପରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଶ୍ରଦ୍ଧାଂଜଳି ବାର୍ତ୍ତା ଶ୍ରୋତାମାନଙ୍କୁ ଶୁଣାଇଦିଆଯାଇଥିଲା। ମଂଚରେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ବରୂପ ଦାଶ, ଉପସଭାପତି ସସ୍ମିତା ବେହେରା, ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷି ବାହିନୀପତି, ରାଜଗାଂଗପୁର ବିଧାୟକ ଡା.ରାଜନ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଡ.ହମିଦ ହୁସେନ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking