15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଭାରତୀୟ ଛାତ୍ର ଚିନ୍ମୟ ଦେଓର

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଭାରତୀୟ ଛାତ୍ର ଚିନ୍ମୟ ଦେଓର

ନୂଆଦିଲ୍ଲୀ: ୨୧ ବର୍ଷୀୟ ଭାରତୀୟ ଛାତ୍ର ଚିନ୍ମୟ ଦେଓର ଏବେ ଆମେରିକା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି। ରିପୋର୍ଟ ଅନୁସାରେ ଚିନ୍ମୟ, ଚୀନ୍ ଏବଂ ନେପାଳର କିଛି ଛାତ୍ରଙ୍କ ସହ ମିଶି ଆମେରିକାର ଗୃହ ସୁରକ୍ଷା ବିଭାଗ (ଡିଏଚ୍‌ଏସ୍‌) ଏବଂ ପ୍ରବାସୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଆମେରିକୀୟ କୋର୍ଟରେ ମାମଲା ରୁଜୁ କରିଛନ୍ତି। ବାସ୍ତବରେ ଚିନ୍ମୟ ଏବଂ ଅନ୍ୟ ଦେଶର କିଛି ଛାତ୍ରମାନେ, ଆମେରିକା ସରକାର ସେମାନଙ୍କ ଛାତ୍ର ପ୍ରବାସ ସ୍ଥିତିକୁ ବେଆଇନ୍ ଭାବେ ସମାପ୍ତ କରିଦେଇଥିବା ଏବଂ ସେମାନଙ୍କୁ ସ୍ୱଦେଶ ଫେରିଯିବା ପାଇଁ ବାଧ୍ୟ କରୁଥିବା ସମ୍ପର୍କରେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ଚିନ୍ମୟ ଦେଓରଙ୍କ ସହ ନେପାଳର ଛାତ୍ର ଯୋଗେଶ ଜୋଶୀ ଏବଂ ଚୀନ୍‌ର ୨ ଛାତ୍ର ସିଆନଗ୍ୟୁନ୍ ବୁ ଏବଂ କ୍ୟୁଇ ୟାଙ୍ଗ୍ ଆମେରିକାରେ ଅଧ୍ୟୟନ କରୁଥିବା ବେଳେ ଆମେରିକାର ସରକାରଙ୍କ ନୂଆ ପ୍ରବାସ ନୀତି ଲାଗୁ ହେବାଯୋଗୁ ସେମାନଙ୍କ ଛାତ୍ର ପ୍ରବାସ ସ୍ଥିତି ସ୍ୱତଃପ୍ରବୃତ୍ତ ଭାବେ ଉଚ୍ଛେଦ ହୋଇଯାଇଛି। ତେବେ ଏହି ଛାତ୍ରମାନେ ଏବେ ଆମେରିକା ସରକାରଙ୍କ ଛାତ୍ର ଏବଂ ବିନିମୟ ପରିଦର୍ଶକ ସୂଚନା ପ୍ରଣାଳୀ (ଏସ୍‌ଇଭିଆଇଏସ୍‌) ଅନ୍ତର୍ଗତ ସେମାନଙ୍କର ଛାତ୍ର ପ୍ରବାସ ସ୍ଥିତିକୁ “ପର୍ଯ୍ୟାପ୍ତ ସୂଚନା ଏବଂ ବ୍ୟାଖ୍ୟା ବିନା’ ବେଆଇନ ଭାବରେ ସମାପ୍ତ କରାଯାଇଥିବା ଅଭିଯୋଗ କରିଛନ୍ତି। ଏମାନେ ସମସ୍ତେ ଆମେରିକୀୟ ସିଭିଲ ଲିବର୍ଟିଜ୍ ୟୁନିଅନ୍ (ଏସିଏଲ୍‌ୟୁ) ମିଚିଗାନ୍ ମାଧ୍ୟମରେ ମାମଲା ରୁଜୁ କରିଛନ୍ତି।

ପ୍ରକାଶ, ଚିନ୍ମୟ ଦେଓର ୨୦୨୧ରୁ ୱେନ୍ ଷ୍ଟେଟ୍ ୟୁନିଭରସିଟିରେ କମ୍ପ୍ୟୁଟର ସାଇନ୍ସ ପଢ଼ୁଛନ୍ତି। ସେହିପରି ଚୀନ୍ ଛାତ୍ର ସିଆଙ୍ଗୟୁନ୍ ଅଗଷ୍ଟ ୨୦୨୩ରୁ ମିଶିଗାନ୍ ବିଶ୍ୱବିଦ୍ୟାଳୟରେ ମେକାନିକାଲ୍ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରୁଛନ୍ତି। ଚୀନ୍‌ର ଅନ୍ୟତମ ଛାତ୍ରୀ କ୍ୟୁୟି ୟାଙ୍ଗ୍ ମଧ୍ୟ ମିଶିଗନ୍ ବିଶ୍ୱବିଦ୍ୟାଳୟରେ ଏବେ ପରିବେଶ ଏବଂ ସ୍ଥାୟୀତ୍ୱ ବିଷୟରେ ପିଏଚ୍‌ଡି କରୁଛନ୍ତି। ନେପାଳର ଯୋଶେଶ ଯୋଶୀ ନାମକ ଛାତ୍ରଜଣକ ମଧ୍ୟ ୱେନ୍ ଷ୍ଟେଟ୍ ୟୁନିଭରସିଟିର ପିଏଚଡି ଛାତ୍ର, ଯେଉଁଠାରେ ସେ ଅଗଷ୍ଟ ୨୦୨୧ ଠାରୁ ଶରୀର ଗଠନ ଏବଂ କୋଷ ଜୀବବିଜ୍ଞାନ ଅଧ୍ୟୟନ କରୁଛନ୍ତି। ଚିନ୍ମୟ ଦେଓରଙ୍କୁ ବାଦ୍‌ଦେଲେ ବାକି ଛାତ୍ରମାନେ ଭିନ୍ନ ଭିନ୍ନ ସମୟରେ ଅଗଷ୍ଟ ୨୦୨୧ ପୂର୍ବରୁ ଏଫ୍‌-୧ ଭିସା ଆଧାରରେ ଆମେରିକା ପ୍ରବେଶ କରିଥିଲେ। କିନ୍ତୁ ଚିନ୍ମୟ ଦେଓର ୨୦୦୪ରେ ନିଜ ପରିବାର ଏଚ୍‌-୪ ଭିସା ଆଧାରରେ ଆମେରିକାରେ ପ୍ରବେଶ କରିଥିଲେ। ମିଶିଗାନ୍‌ରେ ହାଇସ୍କୁଲ ସମାପ୍ତ କରିବା ପରେ ସେ ଏଚ୍‌-୪ ଭିସା ମାନ୍ୟତା ଆଧାରରେ ୱେନ୍ ଷ୍ଟେଟ୍ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ। ତେବେ ୨୦୨୨ରେ ତାଙ୍କ ଏଚ୍‌-୪ ଭିସା ସ୍ଥିତି ସମାପ୍ତ ହେବା ପରେ ତାଙ୍କୁ ଏଫ୍‌-୧ ଭିସା ହାସଲ କରିବାକୁ ଅନୁମତି ଦିାଯାଇଥିଲା।

ସମ୍ପ୍ରତି ସେ ନିଜ ପରିବାର ସହ କ୍ୟାଣ୍ଟନରେ ରହୁଛନ୍ତି। ଚିନ୍ମୟ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଆମେରିକାରେ ରହିବା ଦିନ ଠାରୁ ଆଜି ଯାଏ କେବେବି କୌଣସି ଅପରାଧ ପାଇଁ ତାଙ୍କୁ ଅଭିଯୁକ୍ତ କିମ୍ବା ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ। ଥରେ ଦ୍ରୁତଗତିରେ ଗାଡି ଚଳାଇବା ଏବଂ ଥରେ ପାର୍କିଂ ନିୟମ ଉଲ୍ଲଂଘନ ବ୍ୟତୀତ (ଯାହା ପାଇଁ ସେ ତୁରନ୍ତ ଜରିମାନା ଦେଇଥିଲେ), ତାଙ୍କ ବିରୁଦ୍ଧରେ କୌଣସି ନାଗରିକ ଉଲ୍ଲଂଘନ, ମୋଟର ଯାନ କୋଡ୍ ଉଲ୍ଲଂଘନ କିମ୍ବା ଇମିଗ୍ରେସନ୍ ଆଇନ ଉଲ୍ଲଂଘନର ଅଭିଯୋଗ ଆସିନାହିଁ। ଏପରିକି ସେ କୌଣସି ରାଜନୈତିକ ପ୍ରସଙ୍ଗ ଉପରେ କ୍ୟାମ୍ପସ ପ୍ରତିବାଦରେ ମଧ୍ୟ କେବେ ବି ସକ୍ରିୟ ନଥିଲେ। ତାଙ୍କର ଅପରାଧିକ, ନାଗରିକ ଏବଂ ପ୍ରବାସନ ରେକର୍ଡ ପ୍ରାୟ ସାଫ୍‌ସୁତୁରା ରହିଛି। ଏସବୁ ବାଦ୍ ତାଙ୍କ ନାମରେ ଥିବା ଏଫ୍‌-୧ ଭିସା ରଦ୍ଦ କରାଯାଇଥିବା ନେଇ ମଧ୍ୟ ତାଙ୍କୁ ଷ୍ଟେଟ୍ ଡିପାର୍ଟମେଣ୍ଟରୁ କୌଣସି ନୋଟିସ୍ ମିଳିନାହିଁ। ତଥାପି ଆକସ୍ମିକ ଭାବେ ଏଫ୍‌-୧ ଭିସା (ଛାତ୍ର ମାନ୍ୟତା) ସମାପ୍ତ ହୋଇଯାଇଥିବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଇ-ମେଲ୍ ଯୋଗେ ସୂଚୀତ କରାଯାଇଛି। ଏସବୁ ବ୍ୟତୀତ ଯଦି ତାଙ୍କୁ ଯୁକ୍ତରାଷ୍ଟ୍ରରୁ ବାହାର କରାଯାଏ, ତେବେ ସେ ନିଜ ମା’ ବାପା ଏବଂ ଭଉଣୀଙ୍କ ଠାରୁ ମଧ୍ୟ ଅଲଗା ହୋଇଯିବେ, ଯେଉଁମାନେ ସମସ୍ତେ ଆଇନଗତ ଭାବରେ ମିଚିଗାନର କ୍ୟାଣ୍ଟନରେ ବାସ କରୁଛନ୍ତି ବୋଲି ସେ ଦର୍ଶାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking