ହରାରେ: ଭାରତ ଓ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଶନିବାର ହରାରେ ସ୍ପୋର୍ଟ୍ସ କ୍ଲବ୍ରେ ଖେଳାଯିବ । ସିନିୟର୍ ଖେଳାଳିଙ୍କ ଅନୁପସ୍ଥିତିରେ ଶୁବମନ୍ ଗିଲ୍ଙ୍କ ନେତୃତ୍ୱାଧୀନ ଯୁବ ବାହିନୀ ପାଇଁ ଏହି ସିରିଜ୍ ଅଗ୍ନିପରୀକ୍ଷା ପରି ହେବ । ସିନିୟର୍ ଖେଳାଳିଙ୍କ ଅନୁପସ୍ଥିତିରେ ଅନ୍ତର୍ଜାତୀୟ ଅନୁଭୂତି ନଥିବା ବହୁ ଆଇପିଏଲ୍ ଯୁବ ତାରକାଙ୍କୁ ନେଇ ବିସିସିଆଇ ଏହି ଟିମ୍ ଗଠନ କରିଛି । ସେମାନଙ୍କୁ ଜିମ୍ବାୱେ ପରିବେଶରେ ନିଜକୁ ଖାପ ଖୁଆଇ ଟିମ୍ର ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବେ । ସେହିପରି ତିନିଜଣ ପ୍ରମୁଖ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡ଼େଜାଙ୍କ ସନ୍ନ୍ୟାସ ପରେ ସବୁଠୁ ଛୋଟ ଅନ୍ତର୍ଜାତୀୟ ଫର୍ମାଟ୍ରେ ଏହି ସିରିଜ୍ ଭାରତର ଭବିଷ୍ୟତ ସ୍ଥିର କରିବ । ଜିମ୍ବାୱେ ବିପକ୍ଷରେ ଏହି ଫର୍ମାଟ୍ରେ ଭାରତର ରେକର୍ଡ ବହୁତ ଉନ୍ନତ ରହିଛି । ତେବେ ଶୁବମନ ଗିଲ୍ଙ୍କ ପାଇଁ ଏହି ସିରିଜ୍ ଏକ ନୂଆ ଚ୍ୟାଲେଞ୍ଜ୍ ହେବ । ସେ ରିଜର୍ଭ ଖେଳାଳି ଭାବେ ବିଶ୍ୱକପ୍ ଟିମ୍ରେ ସାମିଲ ହୋଇଥିଲେ ମଧ୍ୟ ଖୁବ୍ଶୀଘ୍ର ସ୍ୱଦେଶ ଫେରିଆସିଥିଲେ । ଆଇପିଏଲ୍ରେ ଛାପ ଛାଡ଼ିଥିବା ଅଭିଷେକ ଶର୍ମା, ରିୟାନ୍ ପରାଗ, ତୁଷାର ଦେଶପାଣ୍ଡେ ଏବଂ ହର୍ଷିତ ରାଣାଙ୍କ ପରି ଖେଳାଳିଙ୍କୁ ଟିମ୍ରେ ସାମିଲ କରାଯାଇଛି । ସେମାନଙ୍କୁ ସୁଯୋଗ ମିଳିଲେ ଜିମ୍ବାୱେ ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରି ଟିମ୍ରେ ସ୍ଥାନ ପକ୍କା କରିବାକୁ ଚାହିଁବେ । ଆସନ୍ତାକାଲିର ମ୍ୟାଚ୍ରେ ଭାରତ ପକ୍ଷରୁ ଅଭିଷେକ ଶର୍ମା, ରିୟାନ୍ ପରାଗ, ଧ୍ରୁବ ଜୁରେଲ୍, ହର୍ଷିତ ରାଣା ପଦାର୍ପଣ କରିବା ସୁଯୋଗ ପାଇପାରନ୍ତି ।
ଅନ୍ୟପକ୍ଷରେ ସିକନ୍ଦର ରଜାଙ୍କ ନେତୃତ୍ୱରେ ଅନେକ ଯୁବ ଖେଳାଳି ସାମିଲ ଜିମ୍ବାୱେ ବର୍ତ୍ତମାନ ସମୟରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଉଦୀୟମାନ ଟିମ୍ ମଧ୍ୟରୁ ଅନ୍ୟତମ । ଅବଶ୍ୟ ଗତ କିଛି ସମୟ ଧରି ଜିମ୍ବାୱେର ପ୍ରଦର୍ଶନ ଆଶାନୁରୂପ ରହିନାହିଁ । ଜିମ୍ବାୱେ ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା । କ୍ୱାଲିଫାଇଙ୍ଗ୍ ରାଉଣ୍ଡ୍ରେ ଉଗାଣ୍ଡା ଭଳି ଟିମ୍ଠାରୁ ହାରିଯାଇଥିଲା । ନୂଆ କୋଚିଂ ଷ୍ଟାଫ୍ ସହ ସିରିଜ୍କୁ ଆସିଥିବା ଜିମ୍ବାୱେ ଉନ୍ନତ ପ୍ରଦର୍ଶନ କରି ଫର୍ମକୁ ଫେରିବା ଲକ୍ଷ୍ୟରେ ରହିବ ।
ଭାରତ ନିକଟରେ ଇତିହାସ ରଚିବା ସୁଯୋଗ
ଜିମ୍ବାୱେ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଭାରତ ନିକଟରେ ଇତିହାସର ରଚିବା ସୁଯୋଗ ରହିଛି । ଶନିବାରର ମ୍ୟାଚ୍ରେ ଗିଲ୍ଙ୍କ ଯୁବ ବାହିନୀ ଯଦି ଜିମ୍ବାୱେକୁ ହରାଇଦିଏ, ଟି-୨୦ ଫର୍ମାଟ୍ରେ ଏହା ଟିମ୍ ଇଣ୍ଡିଆର ଲଗାତାର ୧୩ ବିଜୟ ହେବ । ଏହା ସହିତ ଟେଷ୍ଟ୍ ଖେଳୁଥିବା ଦେଶ ମଧ୍ୟରେ ଳଗଳତାର ୧୩ ମ୍ୟାଚ୍ ଜିତିବାରେ ଭାରତ ପ୍ରଥମ ଟିମ୍ ହେବ । ଟିମ୍ ଇଣ୍ଡିଆ ୨୦୨୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲଗାତାର ୧୨ ମ୍ୟାଚ୍ ଜିତି ଆଫଗାନିସ୍ତାନ ସମକକ୍ଷ ରହିଛି । ବରମୁଡା ଓ ମାଲେସିଆ ଲଗାତାର ୧୩ ମ୍ୟାଚ୍ ଜିତିଛନ୍ତି । ତେବେ ଏହି ଦୁଇ ଦେଶ ଟେଷ୍ଟ୍ ଖେଳୁ ନାହାନ୍ତି ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ଶୁବମନ ଗିଲ୍ (କ୍ୟାପ୍ଟେନ୍), ଅଭିଷେକ ଶର୍ମା, ଋତୁରାଜ ଗାଏକ୍ୱାଡ୍, ରିୟାନ୍ ପରାଗ, ଧ୍ରୁବ ଜୁରେଲ (ୱିକେଟ୍କିପର୍), ରିଙ୍କୁ ସିଂହ, ୱାଶିଂଟନ୍ ସୁନ୍ଦର, ଆଭେସ୍ ଖାନ୍, ଖଲିଲ୍ ଅହମଦ, ମୁକେଶ କୁମାର, ରବି ବିଷ୍ଣୋଇ ।
ସମ୍ଭାବ୍ୟ ଜିମ୍ବାୱେ ଏକାଦଶ: ଇନୋସେଣ୍ଟ୍ କେୟା, ମିଲ୍ଟନ୍ ଶୁମ୍ବା, ଡାୟନ୍ ମାୟର୍ସ, ୱେସ୍ଲେ ମଧେୱେରେ, ସିକନ୍ଦର ରଜା (କ୍ୟାପ୍ଟେନ୍), ବ୍ରାଏନ୍ ବେନେଟ୍, କ୍ଲାଇଭ୍ ମଦଣ୍ଡେ (ୱିକେଟ୍କିପର୍), ତେନ୍ଦଇ ଚତାରା, ୱେଲିଂଟନ୍ ମସାକାଦ୍ଜା, ବ୍ଲେସିଂ ମୁଜରବାନୀ, ଲ୍ୟୁକ୍ ଜୋଙ୍ଗ୍ୱେ ।









