15.1 C
Bhubaneswar
Friday, January 16, 2026
Homeଖେଳସଞ୍ଜୁ ଓ ତିଳକଙ୍କ ଶତକ; ଅର୍ଶଦୀପ୍‌ଙ୍କୁ ୩ ୱିକେଟ୍‌, ଭାରତ ୧୩୫ ରନ୍‌ରେ ବିଜୟୀ

ସଞ୍ଜୁ ଓ ତିଳକଙ୍କ ଶତକ; ଅର୍ଶଦୀପ୍‌ଙ୍କୁ ୩ ୱିକେଟ୍‌, ଭାରତ ୧୩୫ ରନ୍‌ରେ ବିଜୟୀ

ଜୋହାନ୍ସବର୍ଗ: ଭାରତ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଘରୋଇ ସାଉଥ୍ ଆଫ୍ରିକାକୁ ବିପୁଳ ୧୩୫ ରନ୍‌ରେ ହରାଇ ଦେଇଛି। ଏହା ସହିତ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ୪ ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୩-୧ରେ ଜିତିନେଇଛି। ସ୍ଥାନୀୟ ଦ ୱାଣ୍ଡରର୍ସ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ସଞ୍ଜୁ ସାମ୍‌ସମ୍ ଓ ତିଳକ ବର୍ମାଙ୍କ ଶତକ ସହାୟତାରେ ଭାରତ ୧ ୱିକେଟ୍ ହରାଇ ଏହି ଫର୍ମାଟ୍‌ର ଦ୍ୱିତୀୟ ସର୍ବାଧିକ ସ୍କୋର୍ ୨୮୩ ରନ୍ କରିଥିଲା। ଜବାବରେ ସାଉଥ୍ ଆଫ୍ରିକା ୧୮.୨ ଓଭର୍‌ରେ ୧୪୮ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା। ୨୮୪ ରନ୍‌ର ବଡ଼ ଲକ୍ଷ୍ୟକୁ ପିଛା କରୁଥିବା ଘରୋଇ ଟିମ୍ ୩ ଓଭର୍‌ରେ ମାତ୍ର ୧୦ ରନ୍ ମଧ୍ୟରେ ଚାରିଜଣ ଶୀର୍ଷ ବ୍ୟାଟର୍‌ଙ୍କୁ ହରାଇଥିଲା। ଏହାପରେ ଟ୍ରିଷ୍ଟନ୍ ଷ୍ଟବ୍ସ (୪୩) ଓ ଡେଭିଡ୍ ମିଲର୍ ଇନିଂସ୍ ସମ୍ଭାଳି ୫ମ ୱିକେଟ୍ ପାଇଁ ୮୬ ରନ୍ ଯୋଡ଼ିଥିଲେ। ଦୁହେଁ ଦୁଇଟି ବଲ୍ ବ୍ୟବଧାନରେ ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ମାର୍କୋ ଜାନ୍‌ସେନ୍ ୨୯ ଓ ଗେରାଲ୍ଡ କୁଏଟ୍‌ଜି ୧୨ ରନ୍ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ ୨-୨ ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବି ବିଷ୍ଣୋଇ ୧-୧ ସଫଳତା ମିଳିଛି।

ଟସ୍ ଜିତି ବ୍ୟାଟିଂ ନେଇଥିବା ଭାରତ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା। ପାୱାର ପ୍ଲେ ମଧ୍ୟରେ ସଞ୍ଜୁ ସାମ୍‌ସନ୍ ଓ ଅଭିଷେକ ଶର୍ମା ୭୩ ରନ୍‌ର ଭାଗୀଦାରି କରିଥିଲେ। ତେବେ ଅଭିଷେକ ୧୮ ବଲ୍‌ରୁ ୨ ଚୌକା ଓ ୪ ଛକା ସହାୟତାରେ ୩୬ ରନ୍ କରିଥିବା ବେଳେ ଲୁଥୋ ସିପାମ୍ଲାଙ୍କ ବଲ୍‌ରେ ୱିକେଟ୍ ପଛରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ସଞ୍ଜୁଙ୍କ ସହ ତିଳକ ବର୍ମା ଧୂଆଁଧାର ବ୍ୟାଟିଂ କରି ୮୫ ବଲ୍‌ରେ ୨୧୦ ରନ୍‌ର ରେକର୍ଡ ଭାଗୀଦାରି କରିଥିଲେ। ଇତିମଧ୍ୟରେ ଗତ ଦୁଇଟି ମ୍ୟାଚ୍‌ରେ ଖାତା ଖୋଲିପାରି ନଥିବା ସଞ୍ଜୁ ୫୧ ବଲ୍‌ରେ ଶତକ ପୂରଣ କରିଥିଲେ। ଏହା ତାଙ୍କର ଟି-୨୦ ଅନ୍ତର୍ଜାତୀୟରେ ୩ୟ ଶତକ ହୋଇଥିବା ବେଳେ ଚଳିତ କ୍ୟାଲେଣ୍ଡର ବର୍ଷରେ ତିନି ଟି-୨୦ ଶତକ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି। ସଞ୍ଜୁ ୫୬ ବଲ୍‌ରେ ୬ ଚୌକା ଓ ୯ ଚୌକା ସହାୟତାରେ ୧୦୯ ରନ୍ କରି ଅପରାଜିତ ରହିଥିଲେ। ସେହିପରି ତିଳକ ବର୍ମା ମଧ୍ୟ ଲଗାତାର ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଏପରି କରିବାରେ ସେ ବିଶ୍ୱର ପଞ୍ଚମ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଫ୍ରାନ୍ସର ଗୁସ୍ତାଭ ମାକ୍‌କେଅନ୍‌, ରିଲି ରୁସୋ, ଫିଲ୍ ସଲ୍ଟ ଓ ସଞ୍ଜୁ ସାମ୍‌ସନ୍ ଏହି କାରନାମା କରିଛନ୍ତି। ତିଳକ ୪୭ ବଲ୍‌ରେ ୯ ଚୌକା ଓ ୧୦ ଛକା ସହାୟତାରେ ଅପରାଜିତ ୧୨୦ ରନ୍ କରି ଫେରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking