ନୂଆଦିଲ୍ଲୀ: ବିଶ୍ୱରେ ମୁସଲମାନ ସମ୍ପ୍ରଦାୟ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଧାର୍ମିକ ଗୋଷ୍ଠୀ ଭାବରେ ଉଭା ହୋଇଛି। ବିଶ୍ୱରେ ଖ୍ରୀଷ୍ଟିଆନ ଜନସଂଖ୍ୟା ହ୍ରାସ ପାଇଛି। ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଏକ ସାମ୍ପ୍ରତିକ ରିପୋର୍ଟରେ ପ୍ରକାଶିତ ହୋଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବାଧିକ ମୁସଲମାନ ଥିବା ଦେଶ ହେବ। ରିପୋର୍ଟ ଅନୁଯାୟୀ, ମୁସଲମାନ ଜନସଂଖ୍ୟା ୩୪୭ ନିୟୁତ ବୃଦ୍ଧି ପାଇଛି। ଏହି ବୃଦ୍ଧି ସମସ୍ତ ଧର୍ମର ମିଳିତ ଅଭିବୃଦ୍ଧି ଅପେକ୍ଷା ଅଧିକ। ବିଶ୍ୱ ସ୍ତରରେ ମୁସଲମାନଙ୍କ ଅଂଶ ୨୦୧୦ରେ ୨୩.୯ ପ୍ରତିଶତରୁ ୨୦୨୦ରେ ୨୫.୬ ପ୍ରତିଶତକୁ ବୃଦ୍ଧି ପାଇଛି। ପ୍ୟୁର ବରିଷ୍ଠ ଜନସଂଖ୍ୟା ବିଶାରଦ ହାକେଟ କହିଛନ୍ତି, ମୁସଲମାନଙ୍କ ମଧ୍ୟରେ ଶିଶୁ ଜନ୍ମହାର ମୃତ୍ୟୁହାର ଅପେକ୍ଷା ଅଧିକ।
ରିପୋର୍ଟ ଅନୁଯାୟୀ, ୨୦୧୦ ରୁ ୨୦୨୦ ମଧ୍ୟରେ ହିନ୍ଦୁ ଜନସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ପାଇଛି, ଯାହା ବିଶ୍ୱ ଜନସଂଖ୍ୟା ବୃଦ୍ଧି ସହିତ ପ୍ରାୟ ସମାନ। ୨୦୨୦ ମସିହାରେ ହିନ୍ଦୁଙ୍କ ସଂଖ୍ୟା ୧.୨ ବିଲିୟନ ଥିଲା, ଯାହା ବିଶ୍ୱ ଜନସଂଖ୍ୟାର ୧୪.୯ ପ୍ରତିଶତ। ଭାରତରେ ହିନ୍ଦୁ ଜନସଂଖ୍ୟା ୨୦୧୦ରେ ୮୦ ପ୍ରତିଶତରୁ ହ୍ରାସ ପାଇ ୨୦୨୦ ମସିହାରେ ୭୯ ପ୍ରତିଶତରେ ପହଞ୍ଚିଥିଲା। ସେହିପରି ମୁସଲମାନ ଜନସଂଖ୍ୟା ୧୪.୩ ପ୍ରତିଶତରୁ ୧୫.୨ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଭାରତରେ ମୁସଲମାନ ଜନସଂଖ୍ୟା ୩୫.୬ ନିୟୁତ ବୃଦ୍ଧି ପାଇଛି। ବିଶ୍ୱରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୨.୧୮ ବିଲିୟନରୁ ୨.୩୦ ବିଲିୟନକୁ ବୃଦ୍ଧି ପାଇଛି, କିନ୍ତୁ ବିଶ୍ୱ ଅଂଶ ୩୦.୬ ପ୍ରତିଶତରୁ ୨୮.୮ ପ୍ରତିଶତକୁ ହ୍ରାସ ପାଇଛି। ଏହି ହ୍ରାସ ମୁଖ୍ୟତଃ ଧର୍ମ ପରିତ୍ୟାଗ କରିବା ଯୋଗୁ ହୋଇଛି, ବିଶେଷକରି ୟୁରୋପ, ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆ ଲୋକ ରହିଛନ୍ତି। ନାସ୍ତିକଙ୍କ ସଂଖ୍ୟା ୨୭୦ ନିୟୁତ ବୃଦ୍ଧି ପାଇ ୧.୯ ବିଲିୟନ ହୋଇଛି, ଯାହା ବିଶ୍ୱ ଜନସଂଖ୍ୟାର ୨୪.୨ ପ୍ରତିଶତ। ମୁସଲମାନମାନଙ୍କ ପରେ ଏହି ଗୋଷ୍ଠୀ ଦ୍ୱିତୀୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଗୋଷ୍ଠୀ। ନାସ୍ତିକ ଜନସଂଖ୍ୟାର ୭୮.୩ ପ୍ରତିଶତ କେବଳ ଚାଇନାରେ ବାସ କରନ୍ତି।










