ଭୁବନେଶ୍ୱର: କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ ୟୁନିଅନ । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ବିଭିନ୍ନ ଶ୍ରମିକ ସଂଗଠନ ଦେଇଥିବା ଭାରତ ବନ୍ଦ ଡାକରାକୁ କଂଗ୍ରେସ, ବାମଦଳ ସହ ରାଜନୈତିକ ଦଳର ସମର୍ଥନ ମିଳିଛି । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ର ଦାବି ଦେଶବ୍ୟାପି ୩୦ କୋଟିରୁ ଅଧିକ ଲୋକ ବନ୍ଦ ପାଳନରେ ସାମିଲ ହେବେ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଦେଶବ୍ୟାପି ବନ୍ଦ ପାଳନ ହେବ । ଭାରତ ବନ୍ଦ ଯୋଗୁଁ ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିଛି । ଭାରତ ବନ୍ଦର ପ୍ରଭାବ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଛକ ଛକରେ ଆନ୍ଦୋଳନ କରି ବସ ଚଳାଚଳରେ ବାଧାପ୍ରାପ୍ତ ଉପୁଜିଛି । ସେହିପରି ରାଉରକେଲା ସହରରେ ମଧ୍ୟ ଦେଖିବାକୁ ମିଳିଛି । ସେଠାରେ ଦୋକାନ ବଜାର ବନ୍ଦ ରହିଛି । ୧୨ ଦଫା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ । ଟ୍ରେଡ ୟୁନିଅନ ନେତାମାନେ ବାଲେଶ୍ୱର ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ପିକେଟିଂ ଓ ଭାରତ ସରକାରଙ୍କ ବିରୋଧରେ ନାରା ଦେଇ ପ୍ରତିବାଦ କରୁଛନ୍ତି । ଓଡ଼ିଶାରେ ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଳରୋକ, ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ବିକ୍ଷୋଭ କରିବା ଯୋଜନା ରହିଛି । ୨୧ ନଭେମ୍ବର ୨୦୨୫ ରେ ନୂଆ ଶ୍ରମ କୋଡ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରି ଆସୁଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ସରକାରଙ୍କ “ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍”କୁ ଆଗକୁ ବଢ଼ାଇବା ପାଇଁ ଶ୍ରମିକଙ୍କ ରକ୍ତ ଶୋଷଣ କରି କର୍ପୋରେଟ୍ ଓ ମାଲିକମାନଙ୍କୁ ଅତ୍ୟଧିକ ଲାଭ ଦେବା ଏହାର ଲକ୍ଷ୍ୟ ବୋଲି ଅଭିଯୋଗ କରି ଆସୁଛନ୍ତି ।










