25.1 C
Bhubaneswar
Wednesday, March 5, 2025
Homeଖେଳଇଂଲଣ୍ଡକୁ ୧୫ ରନ୍‌ରେ ହରାଇଲା ଭାରତ

ଇଂଲଣ୍ଡକୁ ୧୫ ରନ୍‌ରେ ହରାଇଲା ଭାରତ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୪ର୍ଥ ଟି-୨୦ରେ ଇଂଲଣ୍ଡକୁ ୧୫ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହା ସହିତ ଭାରତ ଏହି ୫ ମ୍ୟାଚ ବିଶିଷ୍ଟ ସିରିଜକୁ କବଜା କରିନେଇଛି । ଭାରତ ପକ୍ଷରୁ ରଖାଯାଇଥିବା ୧୮୨ ରନ ଟାର୍ଗେଟ୍ ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ହ୍ୟାରୀ ବ୍ରୁକ ୫୧ ଓ ବେନ ଡକେଟ୍ ୩୯ ରନ କରିଥିଲେ । ସେହିପରି ଫିଲିପ ସଲ୍ଟ ୨୩ ରନ କରିଥିଲେ । ଭାରତ ପକ୍ଷରୁ ରବି ବିଷ୍ଣୋଇ ଓ ହର୍ଷିକ ରାଣା ୩ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି ୨ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୧୩ ରନରେ ଦଳ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ପରବର୍ତ୍ତି ବ୍ୟାଟରମାନେ ଭଲ ପ୍ରଦର୍ଶନ କରି ସ୍କୋରକୁ ଏକ ସମ୍ମାନଜନକ ସ୍ଥିତିକୁ ନେଇଯାଇଥିଲେ । ବିଶେଷକରି ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୦ ବଲରେ ୫୩ ରନ କରିଥିଲେ । ସେହିପରି ଶିବମ ଦୁବେ ମଧ୍ୟ ୩୪ ବଲରେ ୫୩ ରନ କରିଥିଲେ । ରିଙ୍କୁ ସିଂ ୩୦ ରନ ଓ ଅଭିଷେକ ଶର୍ମା ୨୯ ରନ କରିଥିଲେ । ଏହି ମ୍ୟାଚରେ ପାକିସ୍ତାନୀ ବଂଶୋଦ୍ଭବ ଦ୍ରୁତ ବୋଲର ସାକିବ ମେହମ୍ମୁଦ ପ୍ରଥମ ଓଭରରେ ୩ଟି ଓ୍ବିକେଟ ନେଇ ଆତଙ୍କ ଖେଳାଇଦେଇଥିଲେ । ସଞ୍ଜୁ ସାମସନ, ତିଲକ ବର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ସେହି ଓଭରରେ ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ। ସେ ନିଜ ପ୍ରଥମ ଓଭରରେ ୩ଟି ଯାକ ୱିକେଟ୍ ନେଇଥିଲେ। ସଞ୍ଜୁ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ତିଲକ ଓ ସୂର୍ଯ୍ୟ ଖାତା ଖୋଲି ପାରିନଥିଲେ। ସୂର୍ଯ୍ୟଙ୍କୁ ବ୍ରାଇଡନ୍ କାର୍ସେ ଧରିଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୮୧ ରନ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking