ଚେନ୍ନାଇ: ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଖେଳାଯାଇଥିବା ସୁପର-୮ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ରେ ଭାରତ, ଜିମ୍ବାୱେକୁ ୭୨ ରନ୍ରେ ପରାସ୍ତ କରିବାରେ ସଫଳ ହୋଇଛି। ଏହି ବିଜୟ ସହ ଭାରତ ସେମିଫାଇନାଲ୍କୁ ଉନ୍ନୀତ ହେବା ଆଶାକୁ ଉଜ୍ଜୀବିତ ରଖିପାରିଛି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଥିଲା। ଭାରତ ସୁପର-୮ର ପ୍ରଥମ ମ୍ୟାଚ୍ରେ ସାଉଥ୍ ଆଫ୍ରିକା ଠାରୁ ୭୬ ରନ୍ ବ୍ୟବଧାନରେ ପରାଜିତ ହୋଇଥିବା ବେଳେ ସେମିଫାଇନାଲ୍ ଆଶା ମଳିନ ପଡ଼ିଯାଇଥିଲା। ତେବେ ଆଜିର ଏହି ବିଜୟ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ ଫେରାଇଆଣିବାରେ ସହାୟକ ହେବ ବୋଲି କୁହାଯାଉଛି।
ଟସ୍ ହାରିବା ପରେ ଭାରତ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା। ଅନ୍ୟପକ୍ଷେ ଦଳର ଦୁଇ ଓପନର ସଞ୍ଜୁ ସାମସନ୍ ଏବଂ ଅଭିଷେକ ଶର୍ମା ପ୍ରଥମରୁ ହିଁ ରନ୍ ବର୍ଷା କରିବା ଆରମ୍ଭ କରିଦେଇଥିଲେ। ଉଭୟ ଜିମ୍ବାୱେର ବୋଲିଂ ଲାଇନ୍ ଲେଙ୍ଗଥ୍କୁ ବିଗାଡିବାକୁ ଭରପୁର ଚେଷ୍ଟା କରିଥିଲେ ଏବଂ ଅନେକାଂଶରେ ସଫଳ ମଧ୍ୟ ହୋଇଥିଲେ। ସଞ୍ଜୁ ସାମସନ୍ ୧୫ ବଲ୍ରୁ ୨୪ ରନ୍ କରି ପାଭିଲିୟନ୍ ଫେରିଥିଲେ ମଧ୍ୟ ୨ ଛକା ଏବଂ ୧ ଚୌକା ମାରି ଦଳକୁ ପ୍ରାରମ୍ଭିକ ମଜୁବତ୍ ସ୍ଥିତି ପ୍ରଦାନ କରିଥିଲେ। ଅନ୍ୟପକ୍ଷେ ଆଜିର ମ୍ୟାଚ୍ରେ ଅଭିଷେକଙ୍କ ବ୍ୟାଟ୍ ବର୍ଷିଥିଲା। ସେ ମାତ୍ର ୩୦ ବଲ୍ରୁ ୫୫ ରନ୍ କରିଥିଲେ ଯେଉଁଥିରେ ୪ ଛକା ଏବଂ ୪ ଚୌକା ସାମିଲ ଥିଲା। ସେହିପରି ଇଶାନ୍ କିଷନ୍ ଗୁରୁତ୍ୱପୂର୍ଣ୍ଣ ୩୮ ରନ୍ ଯୋଡିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୩ ରନ୍, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୫୦ ରନ୍ ସହ ତିଳକ ବର୍ମାଙ୍କ ଗୁରୁତ୍ୱପୂର୍ଣ୍ଣ ୪୪ ରନ୍ ଦଳକୁ ଏକ ମଜବୁତ୍ ସ୍ଥିତିରେ ପହଞ୍ଚାଇଦେଇଥିଲା। ୨୦ ଓଭର ଶେଷ ସୁଦ୍ଧା ଭାରତୀୟ ଦଳ ମାତ୍ର ୪ ୱିକେଟ୍ ହରାଇ ୨୫୬ ରନ୍ କରିଥିଲା। ଅନ୍ୟପକ୍ଷେ ଜିମ୍ବାୱେ ୨୫୭ ରନ୍ର ବିଜୟ ଲକ୍ଷ୍ୟ ନେି ପଡିଆକୁ ଓହ୍ଲାଇଥିଲେ ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଗୋଟିଏ ପଟେ ବ୍ରିଆନ୍ ବେନେଟ୍ ୯୭ ରନ୍ କରି ଅପରାଜିତ ରହିଥିଲେ ମଧ୍ୟ ଦଳର ଅନ୍ୟ କୌଣସି ଖେଳାଳି ତାଙ୍କୁ ସହଯୋଗ ଦେଇପାରିନଥିଲେ। ଅଧିନାୟକ ସିକନ୍ଦର ରଜା ୩୧ ରନ୍ କରି ଆଉଟ୍ ହେବା ପରେ ଦଳର ଅନ୍ୟ ଖେଳାଳିମାନେ ସମ୍ପୁର୍ଣ୍ଣ ରୂପେ ବିଫଳ ହୋଇଥିଲେ। ଜିମ୍ବାୱେ ୨୦ ଓଭର ସୁଦ୍ଧା ୬ ୱିକେଟ୍ ହରାଇ ୧୮୪ ରନ୍ ହିଁ କରିପାରିଥିଲା। ଆଜିର ମ୍ୟାଚ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି।










