ଭୁବନେଶ୍ୱର: ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମି କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ଟି ଗ୍ରୀଡ୍ ସବଷ୍ଟେସନ୍ ଏବଂ ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନର ଲୋକାର୍ପଣ କରିଛନ୍ତି। ବିଦ୍ୟୁତ୍ ସେବାକୁ ଅଧିକ ସୁଦୃଢ଼ ଏବଂ ନିରବଚ୍ଛିନ୍ନ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପ ଗୁଡ଼ିକର ଶୁଭାରମ୍ଭ କରାଯାଇଛି। ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ବିଦ୍ୟୁତ୍ ଶକ୍ତି ବ୍ୟବସ୍ଥାର ସଂପ୍ରସାରଣ କରାଯାଇଛି। ଏହା ସହିତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଦ୍ୟୁତ୍ ଶକ୍ତିର ଗୁରୁତ୍ୱକୁ ଉପଲବ୍ଧ କରି କଟକ SCB ମେଡିକାଲ ପରିସରରେ ନିର୍ମିତ ଅତିଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରୀଡ୍ ସବଷ୍ଟେସନର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।ଏହି ନୂତନ ପ୍ରକଳ୍ପ ଗୁଡ଼ିକ କାର୍ୟ୍ୟକାରୀ ହେବା ଫଳରେ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଲୋ-ଭୋଲଟେଜ୍ ସମସ୍ୟାର ସମାଧାନ ହେବା ସହ ଜନସାଧାରଣ ଉନ୍ନତ ବିଦ୍ୟୁତ୍ ସେବା ପାଇପାରିବେ। ବିକଶିତ ଓଡ଼ିଶା ଗଠନ ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।










