18.1 C
Bhubaneswar
Friday, February 13, 2026
Homeଓଡିଶାଅନଭିଜ୍ଞଙ୍କ ହାତରେ ଥିଲା ପହଣ୍ଡି ଡୋରି

ଅନଭିଜ୍ଞଙ୍କ ହାତରେ ଥିଲା ପହଣ୍ଡି ଡୋରି

ପୁରୀ : ପୁରୀ: ପହଣ୍ଡି ବେଳେ ବଡ଼ଠାକୁରଙ୍କୁ ଯେଉଁଭଳି ଚାରମାଳ ଉପରେ ପକାଇ ଦିଆଗଲା, ତାହା ଭକ୍ତ ମହଲକୁ ଆଲୋଡ଼ିତ କରିଛି। ଦାୟିତ୍ବରେ ଥିବା ସେବକଙ୍କ ବେଖିଆଲ ମନୋଭାବ, ଅଂହକାର, ଆତ୍ମବଡ଼ିମା ପାଇଁ ଆଜି ଏଭଳି ଅଘଟଣ ଘଟିଗଲା ବୋଲି ଅଭିଯୋଗ ଉଠିଲାଣି। ଅପରପକ୍ଷେ, ପହଣ୍ଡି ବେଳେ ଯେଉଁ ଅଭିଜ୍ଞ ସେବକମାନେ ରହିବା କଥା, ସେମାନେ ନ ଥିଲେ। ତାଙ୍କ ବଦଳରେ ଅନଭିଜ୍ଞ ଯୁବକଙ୍କ ହାତରେ ଥିଲା ଠାକୁରଙ୍କ ପହଣ୍ଡି ଡୋରି। ଯେଉଁଥିପାଇଁ ପହଣ୍ଡି ପାଇଁ ଠାକୁରଙ୍କ ପଛ ପାର୍ଶ୍ବରେ ଲାଗିଥିବା ପାଟ ଡୋରି ଖସି ଯାଇଥିଲା। ଆଉ ବଡ଼ଠାକୁରଙ୍କ ସହ ଏତେ ବଡ଼ ଅଘଟଣ ଘଟିଗଲା।
ପହଣ୍ଡି ବେଳେ ତିନି ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ବ ହେଉଛି ତିନି ବାଡ଼ଗ୍ରାହୀଙ୍କର। କିନ୍ତୁ ତିନି ବାଡ଼ଗ୍ରାହୀ ବି ଏହି ସମୟରେ ନ ଥିଲେ। ସ୍ବତ୍ତ୍ବଲିପି ଅନୁଯାୟୀ, ଠାକୁରଙ୍କ ପିଠି ପଟେ ସୁଆର ମହାସୁଆର ଓ ସମ୍ମୁଖ ଭାଗରେ ଦଇତାପତି ରହିବା କଥା। ଏମାନଙ୍କୁ ପୂଜାପଣ୍ଡା, ପୁଷ୍ପାଳକ, ପ୍ରତିହାରୀ ସହଯୋଗ କରିବା କଥା। କିଏ ଭୁଜ ତଳେ, କିଏ ଅଣ୍ଟା ପାଖରେ ରହିବେ, ତାହା ବି ପୂର୍ବ ନିର୍ଦ୍ଧାରିତ। କିନ୍ତୁ ଗତକାଲି ଯେଉଁମାନେ ପହଣ୍ଡି ପାଇଁ ରଥରେ ଚଢ଼ିଥିଲେ, ସେମାନେ ପହଣ୍ଡି ଅପେକ୍ଷା ମୋବାଇଲ୍‌ରେ ଅଧିକ ମାତିଥିଲେ। ମୋବାଇଲ୍‌ରେ ଫଟୋ ଉଠାଇବା, ସେଲ୍‌ଫି ନେବାରେ ବ୍ୟସ୍ତ ଥିଲେ। କ୍ୟାମେରା ଆଗରେ କେମିତି ଆସିବେ, ସେଥିପାଇଁ ପ୍ରତିଯୋଗିତା ଚାଲିଥିଲା। ସମସ୍ତଙ୍କ ଅଣ୍ଟାରେ ମାଳମାଳ ମୋବାଇଲ୍‌ ବନ୍ଧା ହୋଇଥିଲା। ଏଭଳି ସ୍ଥିତିରେ ଏମାନେ ମୋବାଇଲ୍‌ ସମ୍ଭାଳୁଥିଲେ ନା ପହଣ୍ଡି ଜଗୁଥିଲେ, ଭକ୍ତ ମହଲ ସେ ନେଇ ପ୍ରଶ୍ନ ଉଠାଇଛନ୍ତି। ଜନୈକ ବରିଷ୍ଠ ସୁପକାର ସେବକ କହିଛନ୍ତି, ପାଟଡୋରି ଠାକୁରଙ୍କ ପଛପାର୍ଶ୍ବ ପଟାରେ ଓ ଅଣ୍ଟାରେ ଲାଗିଥାଏ। ଠାକୁରଙ୍କ ପଛପାର୍ଶ୍ବ ପଟାରେ ତିନିରୁ ଚାରି ଘେରା ବୁଲାଯିବା ପରେ ଦୁଇପାର୍ଶ୍ବ ଦୁଇ ପଟକୁ ଯାଇଥାଏ। ଦୁଇପାର୍ଶ୍ବରୁ ସେବକମାନେ ଏହାକୁ ଭିଡ଼ି ରଖିଥାନ୍ତି। ରଥ ଉପରେ ଥିବା ସୁଆର ମହାସୁଆର ସେବକମାନେ ଏହି ପାଟଡୋରିକୁ କାଠରେ ଗୁଡ଼ାଇ ରଖିଥାନ୍ତି। ଚାରମାଳରୁ ଠାକୁର ଓହ୍ଲାଇବା ବେଳେ କାଠରୁ ପାଟଡୋରି ଧୀରେ ଧୀରେ ଖସାଇଥାନ୍ତି। ଚାରମାଳରୁ ଓହ୍ଲାଇବା ବେଳେ କେବଳ ପିଠି ପଟେ ଥିବା ସେବକମାନେ ପାଟ ଡୋରି ଟାଣିଥାନ୍ତି। ଆଗପଟେ ଥିବା ଦଇତାପତିମାନେ ଅଣ୍ଟା ପାଟଡୋରି ସମ୍ଭାଳିଥାନ୍ତି। ଏମାନେ ଚାରମାଳରୁ ଓହ୍ଲାଇବା ବେଳେ ଅଣ୍ଟା ପାଟଡୋରି ଟାଣିନଥାନ୍ତି। କିନ୍ତୁ ଗତକାଲି ଏହି ପାଟଡୋରି ଠିକ୍‌ରେ ବନ୍ଧା ହୋଇନଥିଲା। ଯେଉଁଥିପାଇଁ ବଡ଼ଠାକୁର ପଡ଼ିଗଲେ। ଗତବର୍ଷ ବି ପହଣ୍ଡି ବେଳେ ଚାରମାଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପଡ଼ି ଯାଇଥିଲେ। ଏହାକୁ ସେ ସମୟରେ ଗୁରୁତ୍ବ ଦିଆଯାଇନଥିଲା। ଠାକୁର ଆଉଜି ଯାଇଥିଲେ କହି ବିଭ୍ରାନ୍ତ କରାଗଲା। କେହି ଚେତିଲେନି। ଯାହାର ପରିଣାମ ଆଜି ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking