28.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଲୋକସଭାରେ ପ୍ରବାସ ବିଲ୍ ଆଗତ; ବୈଧ ପାସପୋର୍ଟ ବିନା ପ୍ରବେଶ କଲେ ୫ ବର୍ଷ ଜେଲ୍‌

ଲୋକସଭାରେ ପ୍ରବାସ ବିଲ୍ ଆଗତ; ବୈଧ ପାସପୋର୍ଟ ବିନା ପ୍ରବେଶ କଲେ ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଭାରତକୁ ଆସୁଥିବା ବିଦେଶୀ ନାଗରିକଙ୍କ ଗତିବିଧିକୁ ସୁବ୍ୟବସ୍ଥିତ କରିବା ପାଇଁ, କେନ୍ଦ୍ର ସରକାର ମଙ୍ଗଳବାର ଲୋକସଭାରେ ପ୍ରବାସ ଏବଂ ବିଦେଶୀ ବିଲ୍‌-୨୦୨୫ ଆଗତ କରିଛନ୍ତି। ଏହି ବିଲ୍ ଅନୁଯାୟୀ, ଯଦି କେହି ବେଆଇନ ଭାବରେ କୌଣସି ବିଦେଶୀଙ୍କୁ ଦେଶ ମଧ୍ୟକୁ ଆଣନ୍ତି, ରହିବାକୁ ସୁଯୋଗ ଦିଅନ୍ତି କିମ୍ବା ବସତି ସ୍ଥାପନରେ ସହଯୋଗ କରନ୍ତି ତେବେ ତାଙ୍କୁ ୩ ବର୍ଷ ଜେଲ୍ କିମ୍ବା ୨ରୁ ୫ ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡିତ କରାଯାଇପାରେ। ସେହିପରି ଯେକୌଣସି ବିଦେଶୀଙ୍କ ପାଇଁ ଭାରତରେ ପ୍ରବେଶ କରିବା ପାଇଁ ‘ବୈଧ ପାସପୋର୍ଟ ଏବଂ ଭିସା’ ରଖିବା ବାଧ୍ୟତାମୂଳକ ହେବ। ଯଦି କୌଣସି ଶିକ୍ଷାଗତ କିମ୍ବା ଚିକିତ୍ସା ପ୍ରତିଷ୍ଠାନ, ହସ୍ପିଟାଲ କିମ୍ବା ଘରୋଇ ବାସସ୍ଥାନ ମାଲିକ ଜଣେ ବିଦେଶୀ ନାଗରିକଙ୍କୁ ରଖନ୍ତି, ତେବେ ସେମାନଙ୍କୁ ପ୍ରଥମେ ଏ ବିଷୟରେ ସରକାରଙ୍କୁ ଜଣାଇବାକୁ ପଡିବ। ଯଦି କୌଣସି ବିଦେଶୀ କୌଣସି ଶିକ୍ଷାନୁଷ୍ଠାନରେ ପ୍ରବେଶ କରନ୍ତି, ତେବେ ତାଙ୍କୁ ନିଜର ବିବରଣୀ ଏକ ଫର୍ମାଟରେ ପୂରଣ କରି ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ପଡିବ। ଏହି ନିୟମ ଅବମାନନା କ୍ଷେତ୍ରରେ ୫ ବର୍ଷ ଯାଏ ଜେଲ୍‌ଦଣ୍ଡ ତଥା ୫ ଲକ୍ଷ ଟଙ୍କାର ଜୋରିମାନାର ମଧ୍ୟ ପ୍ରାବଧାନ କରାଯାଇଛି।

ପ୍ରସ୍ତାବିତ ଆଇନ ଅନୁଯାୟୀ, ବିଦେଶୀ ନାଗରିକମାନଙ୍କୁ ବିଭିନ୍ନ ଆଇନ ଅନୁଯାୟୀ ଦଣ୍ଡିତ କରାଯାଇପାରିବ ଯେପରିକି ପାସପୋର୍ଟ ଆଇନ୍‌, ୧୯୨୦ ବିଦେଶୀ ପଞ୍ଜିକରଣ ଆଇନ, ୧୯୩୯ ବିଦେଶୀ ଆଇନ, ୧୯୪୬ ପ୍ରବାସ ଆଇନ ଇତ୍ୟାଦି। ତେବେ ବିରୋଧୀ ଦଳ ପକ୍ଷରୁ ଲୋକସଭାରେ ଏହି ବିଲ୍‌କୁ ବିରୋଧ କରାଯାଇଛି। ଲୋକସଭାରେ ବିଲ୍ ଆଗତ କରିବା ସମୟରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ଏହି ଆଇନର ଉଦ୍ଦେଶ୍ୟ ହେଉଛି ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବା। ଏହା ବ୍ୟତୀତ, ଭାରତରେ ଯାତ୍ରା ଏବଂ ରହଣି ସହିତ ଜଡିତ ନିୟମଗୁଡ଼ିକୁ ଆହୁରି କଠୋର କରାଯିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ବିଲ୍ ଅଣାଯାଇଛି। ଏହା ଅଧୀନରେ, ଯଦି ସରକାର କୌଣସି ବିଦେଶୀ ନାଗରିକଙ୍କ ଦ୍ୱାରା ବିପଦ ଅନୁଭବ କରନ୍ତି, ତେବେ ସରକାର ସେହି ବିଦେଶୀ ନାଗରିକଙ୍କୁ ଭାରତ ଆସିବାରୁ ରୋକିପାରିବେ।

ଶ୍ରୀ ରାୟଙ୍କ କହିବାନୁସାରେ “ଦେଶର ପ୍ରଗତି, ସାର୍ବଭୌମତ୍ୱ ଏବଂ ଶାନ୍ତି ସରକାରଙ୍କ ଦାୟିତ୍ୱ। ଆମେ କାହାକୁ ଅଟକାଇବା ପାଇଁ ଏହି ବିଲ୍ ଆଣୁନାହୁଁ; ଅଧିକରୁ ଅଧିକ ଲୋକ ଏଠାକୁ ଆସିବା ଉଚିତ, କିନ୍ତୁ ସେମାନଙ୍କୁ ଆମ ଦେଶର ଆଇନ ପାଳନ କରିବାକୁ ପଡିବ। ଏହା ସହିତ, ସେ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ବିନା ପରମିଟରେ ଭାରତରେ ପ୍ରବେଶ କରନ୍ତି, ଅଧିକ ସମୟ ପାଇଁ ବେଆଇନ ଭାବରେ ରୁହନ୍ତି କିମ୍ବା ନକଲି କାଗଜପତ୍ର ବ୍ୟବହାର କରନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ମିଳିବ। ଭାରତ ଆସୁଥିବା ସମସ୍ତ ବିଦେଶୀଙ୍କୁ ଆଗମନ ସମୟରେ ପଞ୍ଜୀକରଣ କରିବାକୁ ପଡିବ। ଏହା ବ୍ୟତୀତ ନାମ ପରିବର୍ତ୍ତନ କରିବା, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଏବଂ ସଂରକ୍ଷିତ ଅଞ୍ଚଳ ପରିଦର୍ଶନ କରିବା ଉପରେ ମଧ୍ୟ କଟକଣା ଲାଗୁ ହେବ। ସେହିପରି ନକଲି ପାସପୋର୍ଟ କିମ୍ବା ଭିସା ବ୍ୟବହାର କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଭିସା ମିଆଦ ଶେଷ ହେବା ପରେ ରହିବା କିମ୍ବା ପ୍ରତିବନ୍ଧିତ ଅଞ୍ଚଳକୁ ଯିବା ପାଇଁ ୩ ବର୍ଷ ଜେଲଦଣ୍ଡ ଏବଂ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ପ୍ରକାଶ, ଭାରତ ବିଦେଶୀ ନାଗରିକଙ୍କୁ ଉଭୟ ଭୌତିକ ଏବଂ ଇ-ଭିସା ପ୍ରଦାନ କରିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking