ନୂଆଦିଲ୍ଲୀ: ପହଲଗାମ ଘଟଣାକୁ ନେଇ ଉଭୟ ଭାରତ-ପାକିସ୍ତାନ ଯେତେବେଳେ ଯୁଦ୍ଧ ଦ୍ୱାରଦେଶରେ ଉପନୀତ ହୋଇଥିଲେ ସେତେବେଳେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ପାକିସ୍ତାନକୁ ୧ ବିଲିଅନ୍ ଡଲାରର ଋଣ ପ୍ରଦାନ କରିଥିଲା । ଏହାକୁ ନେଇ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯିବା ସହ ଏହାକୁ ନେଇ ଭାରତ ଆପତ୍ତି ମଧ୍ୟ କରିଥିଲା । ତେବେ ଏହି ପ୍ରସଙ୍ଗରେ ଆଇଏମ୍ଏଫ୍ ଏବେ ସ୍ପଷ୍ଟୀକରଣ ରଖିଛି ।
ଆଇଏମ୍ଏଫ୍ ଯୋଗାଯୋଗ ବିଭାଗ ନିର୍ଦ୍ଦେଶକ ଜୁଲି କୋଜାକ୍ ସିଧାସିଧା କହିଛନ୍ତି, ପାକିସ୍ତାନକୁ ଋଣ ମଞ୍ଜୁର କରାଯିବା ସମ୍ପୂର୍ଣ୍ଣ ରୂପେ ସର୍ତ୍ତମୂଳକ ରହିଛି । ବାସ୍ତବରେ ପାକିସ୍ତାନ ପକ୍ଷରୁ ବହୁପୂର୍ବରୁ ଆଇଏମ୍ଏଫ୍ ନିକଟରେ ଋଣ ଆବେଦନ କରାଯାଇଥିଲା । କିନ୍ତୁ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ ପରିପ୍ରେକ୍ଷୀରେ ହିଁ ଋଣ ମଞ୍ଜୁର ସମ୍ଭବ ବୋଲି ଆଇଏମ୍ଏଫ୍ ପକ୍ଷରୁ ପାକିସ୍ତାନକୁ ସ୍ପଷ୍ଟ କରାଯାଇଥିଲା । ଆଇଏମ୍ଏଫ୍ ଗତ ବର୍ଷ ସେପ୍େଟମ୍ବରରେ ପାକିସ୍ତାନକୁ ଦିଆଯାଇଥିବା ଏକ୍ସଟେଣ୍ଡେଡ୍ ଫଣ୍ଡ୍ ଫାସିଲିଟି (ଇଏଫ୍ଏଫ୍) ସମୀକ୍ଷା କରିଥିଲା ଏବଂ ଏଥିରେ ପାକିସ୍ତାନ ସମସ୍ତ ସର୍ତ୍ତ ଏବଂ ଲକ୍ଷ୍ୟ ପୂରଣ କରିଛି ବୋଲି ଜଣାପଡିଥିଲା । କେବଳ ଏହି କାରଣରୁ ଆଇଏମ୍ଏଫ୍ ବୋର୍ଡ ଆଗକୁ ବଢ଼ି ଋଣ ମଞ୍ଜୁର କରିଛି । କାର୍ଯ୍ୟନିର୍ବାହୀ ବୋର୍ଡ ଚଳିତ ମାସ ୯ ତାରିଖରେ ପାକିସ୍ତାନକୁ ୧ ବିଲିୟନ ଡଲାର ସହାୟତା ମଞ୍ଜୁର କରିଥିଲା । ଜୁଲି କୋଜାକ୍ କହିଛନ୍ତି ଏହାପରେ ମଧ୍ୟ ପାକିସ୍ତାନ ସମ୍ମୁଖରେ ଏବେ ବି କିଛି ସର୍ତ୍ତ ରହିଛି । ମଞ୍ଜୁର କରାଯାଇଥିବା ଅର୍ଥକୁ କେଉଁ କ୍ଷେତ୍ରରେ ଏବଂ କେତେ ପରିମାଣରେ ଖର୍ଚ୍ଚ କରାଯିବ ସେନେଇ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳେ ଆଇଏମ୍ଏଫ୍ ସମୀକ୍ଷା କରିବ । ଏଥିସହ କାର୍ଯ୍ୟକ୍ରମ ସର୍ତ୍ତାବଳୀରୁ କୌଣସି ଖିଲାପି ହୋଇଥିବା ପ୍ରମାଣିତ ହେଲେ ପାକିସ୍ତାନକୁ ନେଇ ଭବିଷ୍ୟତର ସମୀକ୍ଷା ପ୍ରଭାବିତ ହେବ ।
ପ୍ରକାଶ, ଭାରତ-ପାକିସ୍ତାନ ଉତ୍ତେଜନା ସମୟରେ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପାକିସ୍ତାନକୁ ଆର୍ôଥକ ସହାୟତା ପ୍ରଦାନ କରିବା ପାଇଁ ୧ ବିଲିଅନ ଡଲାରର ଋଣ ମଞ୍ଜୁର କରିଥିଲା । କିନ୍ତୁ ପରେ ଭାରତ ପକ୍ଷରୁ ଏନେଇ ଚାପ ପ୍ରୟୋଗ କରାଯିବା ପରେ ଆଇଏମ୍ଏଫ୍ ପାକିସ୍ତାନ ଉପରେ ୧୧ଟି ନୂତନ ସର୍ତ୍ତ ଲାଗୁ କରିଥିଲା । ଆଇଏମ୍ଏଫ୍-ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ୨୦୨୬ ଆର୍ôଥକ ବର୍ଷ ବଜେଟ୍ ପାଇଁ ସଂସଦୀୟ ଅନୁମୋଦନ ପାଇ ୨୦୨୫ ଜୁନ ଶେଷ ସୁଦ୍ଧା କାର୍ଯ୍ୟକ୍ରମ ଲକ୍ଷ୍ୟ ହାସଲ କରିବାକୁ ପାକିସ୍ତାନକୁ ଆଇଏମ୍ଏଫ୍ ସର୍ତ୍ତ ରଖିଛି । ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ, ପାକିସ୍ତାନ ବିରୋଧରେ ସାମରିକ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା । ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଆଇଏମ୍ଏଫ୍କୁ ବଡ ପରିମାଣର ଆର୍ଥିକ ସହାୟତା ମଞ୍ଜୁର କରିଥିଲା । ଆଇଏମ୍ଏଫ୍ର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆର୍ôଥକ ସହାୟତାର ପୁନର୍ବିଚାର କରିବା ପାଇଁ ଆଇଏମଏଫ୍ ଉପରେ ଚାପ ପକାଇ କହିଥିଲେ ଯେ ଇସଲାମାବାଦ ଏହାର ଏକ ବଡ଼ ଅଂଶ ଆତଙ୍କବାଦ ଭିତ୍ତିଭୂମିକୁ ପାଣ୍ଠି ଯୋଗାଇବା ପାଇଁ ବ୍ୟବହାର କରିପାରେ ।