18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଆଇଏଏସ୍ ଅଧିକାରୀମାନେ ସଦାସର୍ବଦା ଆଇପିଏସ୍‌, ଆଇଏଫଏସ୍ ଅଧିକାରୀଙ୍କ ଉପରେ ଶ୍ରେଷ୍ଠତା ଦେଖାଇବାକୁ ଚାହାଁନ୍ତି: ସୁପ୍ରିମକୋର୍ଟ

ଆଇଏଏସ୍ ଅଧିକାରୀମାନେ ସଦାସର୍ବଦା ଆଇପିଏସ୍‌, ଆଇଏଫଏସ୍ ଅଧିକାରୀଙ୍କ ଉପରେ ଶ୍ରେଷ୍ଠତା ଦେଖାଇବାକୁ ଚାହାଁନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି କରିବା ଅବସରରେ ଏକ ବଡ଼ ବୟାନ୍ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବିଆର ଗଭାଇ ଏବଂ ଜଷ୍ଟିସ୍‌୍ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀମାନେ ପ୍ରାୟତଃ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଏବଂ ଭାରତୀୟ ବନ ସେବା (ଆଇଏଫ୍‌ଏସ) ଆଦି ଅନ୍ୟ ବିଭାଗୀୟ ପଦାଧିକାରୀଙ୍କ ତୁଳନାରେ ନିଜକୁ ଶ୍ରେଷ୍ଠ ଦେଖାଇବାରେ ଲାଗିଛନ୍ତି। ଅନ୍ୟ ଅଧିକାରୀଙ୍କ ଉପରେ ନିଜର ଶ୍ରେଷ୍ଠତା ଜାହିର କରିବାକୁ ଚେଷ୍ଟା କରୁଛନ୍ତି। କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ (ସିଏଏମ୍‌ପିଏ-କାମ୍ପା) ପାଣ୍ଠିର ଅପବ୍ୟବହାର ଉପରେ ଆଗତ ଏକ ପିଟିସନ୍ ଉପରେ ଶୁଣାଣି କରିବା ପରିପ୍ରେକ୍ଷୀରେ ଖଣ୍ଡପୀଠ ଏପରି ବିବୃତି ଦେଇଛନ୍ତି।

ଜଷ୍ଟିସ୍ ଗଭାଇଙ୍କ ଅନୁଯାୟୀ, ଆଇଏଏସ ଅଧିକାରୀଙ୍କ ଶ୍ରେଷ୍ଠତା ଦେଖାଇବାର ଏହି ପ୍ରବୃତ୍ତି ସମସ୍ତ ରାଜ୍ୟରେ ଏକ ସ୍ଥାୟୀ ସମସ୍ୟା, ଯାହା ଆଇପିଏସ ଏବଂ ଆଇଏଫଏସ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି। ଏହା ଏକ ବାସ୍ତବିକ ସମସ୍ୟା ଯାହାକୁ ସେ ବ୍ୟକ୍ତିଗତ ଭାବେ ମଧ୍ୟ ଅନେକ ଥର ଅନୁଭବ କରିଛନ୍ତି। ସମସ୍ତ ରାଜ୍ୟରେ ସର୍ବଦା ଏହାକୁ ନେଇ ଏକ ଦ୍ୱନ୍ଦ୍ୱ ରହିଥାଏ। ଆଇପିଏସ ଏବଂ ଆଇଏଫଏସ ଅଧିକାରୀଙ୍କ ମଧ୍ୟରେ ସର୍ବଦା ହୃଦୟ ବିଦାରକତା ରହିଥାଏ। ଯଦିଓ ସେମାନେ ସମାନ କ୍ୟାଡରର ଅଂଶ, ଆଇଏଏସ ଅଧିକାରୀ କିନ୍ତୁ ନିଜକୁ ଅନ୍ୟଙ୍କ ତୁଳନାରେ ଉପରିସ୍ଥ ଅଧିକାରୀ ଭାବେ ବିଚାର କରନ୍ତି ଜଷ୍ଟିସ୍ ଗଭାଇ କହିଛନ୍ତି। ସେହିପରି ଜଷ୍ଟିସ୍ ମସିହ ମଧ୍ୟ ନିଜ ଅଭିଜ୍ଞତା ଆଧାରରେ ଆଇଏଏସ ଅଧିକାରୀମାନେ ଆଇଏଫଏସ୍ ଏବଂ ଆଇପିଏସ ଅଧିକାରୀଙ୍କ ଉପରେ ଶ୍ରେଷ୍ଠତା ଦେଖାନ୍ତି ବୋଲି ସେ କହିଛନ୍ତି।

ତେବେ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କାମ୍ପା ପାଣ୍ଠିକୁ ଆଇ-ଫୋନ୍‌ଏବଂ ଲାପଟପ୍ କିଣିବା ଭଳି ଅଣ-ଗ୍ରହଣୀୟ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯିବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ସମୟରେ ଉପସ୍ଥିତ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେ ଅଧିକାରୀମାନଙ୍କ ମଧ୍ୟରେ ଏପରି ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ସମାଧାନ କରିବାକୁ ଚେଷ୍ଟା କରିବେ। ପ୍ରକାଶ, କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ (କାମ୍ପା) ଭାରତର ପରିବେଶଗତ ନୀତି ଢାଞ୍ଚାର ଏକ ଅଂଶ, ଯାହା ଦେଶର ବିକାଶମୂଳକ ଆବଶ୍ୟକତାକୁ ଏହାର ଜଙ୍ଗଲ ସମ୍ପଦ ସଂରକ୍ଷଣର ଆବଶ୍ୟକତା ସହ ସନ୍ତୁଳିତ କରିବା ଲକ୍ଷ୍ୟ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking