ଭୁବନେଶ୍ୱର : ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ସହ ଲୁଚକାଳି ଖେଳୁଥିବା ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୋହନ ସରକାର । ଆଜି ତାଙ୍କୁ ୩ଟି ଯାକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ହଟାଇ ଦେଇଛନ୍ତି । ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ ପନିସମେଂଟରେ ପଠାଇ ଦିଆଯାଇଛି ।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ଅନୁସୂଚିତ ଜାତି,ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜିବ କୁମାର ମିଶ୍ରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।
ଶ୍ରୀ ମିଶ୍ରଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତି କରାଯାଇଥିବାବେଳେ ସେ ଅତିରିକ୍ତ ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୟ ଦିଆଯାଇଛି । ଶ୍ରୀ ମିଶ୍ର ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ସେହିପରି ଆନ୍ତଃକ୍ୟାଡ଼ର ଡେପୁଟେସନରେ ଆସିଥିବା ୨୦୦୬ ବ୍ୟାଚ୍ ଆଇଏଏସ୍ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ସାହୁଙ୍କୁ ରାଜ୍ୟ ସରକାରଙ୍କ ଅନୁରୋଧରେ କେନ୍ଦ୍ର ସରକାର ଓଡ଼ିଶା ପଠାଇଛନ୍ତି ।