ଭୁବନେଶ୍ୱର : ନବୀନଙ୍କ ତାଗିଦ ପରେ ଗଣମାଧ୍ୟମ ଆଗରେ ଚମ୍ପୁଆ ବିଧାୟକ ସନା ମହାକୁଡ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ମୁଁ ଦଳ ସହ ଅଛି , ରହିଛି ଆଉ ରହିବି । ଦଳର ଟିକେଟ ନେଇ ଜିତିଛି । ନବୀନ କଣ ପାଇଁ ଭାବିଲେ ମୁଁ କହିପାରିବିନି । ମୁରବି ହିସାବରେ ସେ ପଚାରି ପାରିବେ । ଦଳ ମୋତେ ସନ୍ଦେହ କରୁନାହିଁ । ଅଞ୍ଚଳର ବିକାଶ ପାଇଁ କାମ କରିବି । ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛୁ । ସେ ରାଜ୍ୟର ମୁଖ୍ୟମନ୍ତ୍ରୀ , ବିଜେପିର ମୁଖ୍ୟମନ୍ତ୍ରୀ ନୁହଁନ୍ତି । ମୁଁ କେବେ ବି ବିଜେପିକୁ ଯିବି ନାହିଁ ।
ସନାତନ ମହାକୁଡଙ୍କ ଉପରେ ରାଗିଲେ ନବୀନ ପଟ୍ଟନାୟକ । ତେବେ ନବୀନଙ୍କ ଏ ରାଗ ପଛର କାରଣ , ବିଧାୟକ ଦଳ ବୈଠକ ବୋଲି ଜଣାପଡିଛି । ଗତକାଲି ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ । ହେଲେ ଏହି ବୈଠକରେ ଯୋଗ ଦେଇନଥିଲେ ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ । ଯାହାକୁ ନେଇ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସନାଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ମିଳିଥିବା ସୂଚନା ମୁତାବକ, ସନାତନ ମହାକୁଡ କାହିଁକି ବିଧାୟକ ଦଳ ବୈଠକକୁ ଆସିନଥିଲେ ବୋଲି ପ୍ରଶ୍ନ କରିଥିଲେ ନବୀନ । ଏଥିସହ ସନାତନଙ୍କ ଉପରେ ସେ ବିରକ୍ତି ପ୍ରକାଶ କରିଥିଲେ । ଯାହା ଏବେ ଆଲୋଚନାର ବିଷୟ ପାଲଟିଛି ।