35.1 C
Bhubaneswar
Wednesday, May 7, 2025
Homeଓଡିଶାଲୋକଙ୍କ ମୁଖ୍ୟ ସେବକ ଭାବେ କାମ କରିବାର ପ୍ରେରଣା ମୁଁ ସଂଘରୁ ପାଇଛି : ମୁଖ୍ୟମନ୍ତ୍ରୀ

ଲୋକଙ୍କ ମୁଖ୍ୟ ସେବକ ଭାବେ କାମ କରିବାର ପ୍ରେରଣା ମୁଁ ସଂଘରୁ ପାଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରାକୃତିକ ଦୁର୍ବିପାକ ହଉ କିମ୍ବା ଅପାତକାଳୀନ ପରିସ୍ଥିତି, ସବୁ ସମୟରେ ବିପନ୍ନ ଓଡିଶାବାସୀଙ୍କ ପାଖରେ ଉତ୍କଳ ବିପନ୍ନ ସହାୟତା ସମିତି ଆଗ ପହଂଚିଛି ଓ ୪୩ ବର୍ଷର ଏହି ଯାତ୍ରାରେ ସାଧାରଣ, ଗରିବ ଓ ଅସହାୟ ଜନତାଙ୍କୁ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇ ଦେବାପାଇଁ ଏ ମହାନ ଅନୁଷ୍ଠାନ ସବୁଠୁ ଅଗ୍ରଣୀ ଅନୁଷ୍ଠାନ ଭାବେ ନିଜକୁ ପ୍ରତିପାଦନ କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉତ୍କଳ ମଣ୍ଡପ ଠାରେ ଆୟୋଜିତ ଉତ୍କଳ ବିପନ୍ନ ସହାୟତା ସମିତିର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି । ଉତ୍କଳ ବିପନ୍ନ ସହାୟତା ସମିତିର ସେବା କ୍ଷେତ୍ରରେ ସଫଳ କାର୍ଯ୍ୟ ବିଷୟରେ ଆଲୋଚନା କରି, ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଚିକିତ୍ସା କ୍ଷେତ୍ରର ବଡବଡ ସ୍ଥାନ ଯଥା, କଟକ, ଭୁବନେଶ୍ୱର, ବ୍ରହ୍ମପୁର ଠାରେ ସାରା ଓଡିଶାରୁ ରୋଗୀମାନେ ଜଟିଳ ରୋଗର ଚିକିତ୍ସା ପାଇଁ ଆସନ୍ତି । ଏହି ସମୟରେ ଏମାନଙ୍କର ରହିବା, ଖାଇବା, ଡାକ୍ତର ଓ ଡାକ୍ତରଖାନା ସହ ସମନ୍ୱୟ ରଖି ରୋଗୀମାନେ ଯେପରି ସଠିକ୍ ସେବା ପାଇପାରିବେ ସେଥିପାଇଁ ଏହି ଅନୁଷ୍ଠାନର ଶ୍ରୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।

୧୯୮୨ ମସିହାର ପ୍ରଳୟଙ୍କରୀ ବନ୍ୟା, ବାରିପଦା ମଧୁବନର ଭୟାବହ ଅଗ୍ନିକାଣ୍ଡ, ୧୯୯୯ ମହାବାତ୍ୟା ସମୟରେ, ବିପନ୍ନ ଓଡିଶାବାସୀଙ୍କୁ ଦେବଦୂତ ଭଳି ସହାୟତା ପ୍ରଦାନ କରିଥିଲା ଉତ୍କଳ ବିପନ୍ନ ସହାୟତା ସମିତି। ୧୯୯୯ ମସିହାର ମହାବାତ୍ୟା ସମୟରେ ସମିତିର ସ୍ୱୟଂ ସେବକମାନଙ୍କ କଠିନ ପରିଶ୍ରମ, ତ୍ୟାଗ, ସହନଶୀଳତା ଓ ସେବା ମନୋଭାବ India Today ଏବଂ Outlook ଭଳି ପ୍ରମୁଖ ପତ୍ରିକାର ରିପୋର୍ଟରେ ସ୍ଥାନିତ ହେବା ସହ ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଥିଲା, ବୋଲି ସେ କହିଥିଲେ। ଏଥିସହିତ, ଭୁବନେଶ୍ୱରର ଏମସ୍ ପରିସରରେ ଥିବା ପାଞ୍ଚଶହ ଶଯ୍ୟା ବିଶିଷ୍ଠ ଧର୍ମଶାଳାର ପରିଚାଳନା ଭାର ଓ ଓଲଟପୁର ଠାରେ ଥିବା ହାଡଭଙ୍ଗା ଚିକିତ୍ସା କେନ୍ଦ୍ର , ନିରତାର ଠାରେ ୩୦ ବଖରା ବିଶିଷ୍ଠ ଆରୋଗ୍ୟ ଭବନର ପରିଚାଳନା ମଧ୍ୟ ପ୍ରଶଂସନୀୟ ଅଟେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୯୯ ମହାବାତ୍ୟା ସମୟରେ ସଂଘର ଜଣେ ସକ୍ରିୟ ସେବକ ଭାବେ ସେ ମଧ୍ୟ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ସେବା ଓ ସହାୟତା କାର୍ଯ୍ୟରେ ସାମିଲ ହୋଇଥିଲେ । ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ, ଜଣେ ସାଧାରଣ ଲୋକ ଭାବେ ଲୋକଙ୍କ ମୁଖ୍ୟ ସେବକ ଭାବେ କାମ କରିବାର ପ୍ରେରଣା ମୁଁ ସଂଘରୁ ପାଇଛି । ସମାଜ ପ୍ରତି ସମର୍ପଣଭାବ ଓ ସମ୍ବେଦନଶୀଳତା, ସଂଘର ବିଚାରଧାରାରୁ ପାଇଛି ।

ଓଡିଶାର ଦୁଇ ଆଦିବାସୀ ଅଧୁଷିତ ଅଞ୍ଚଳ ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାର ଉଦଳା ଠାରେ ଅନାଥ ଓ ନିସହାୟ ପିଲାଙ୍କ ଶିକ୍ଷା ବ୍ୟବସ୍ଥା ପାଇଁ ଆବାସିକ ଛାତ୍ରାବାସ ଜରିଆରେ ସମିତି ପକ୍ଷରୁ ଜନଜାତି ବର୍ଗଙ୍କୁ ସହାୟତା ପ୍ରଦାନ ପ୍ରଶଂସନୀୟ । ଏଥିସହିତ ରାଜଧାନୀ ଭୁବନେଶ୍ୱର ଠାରେ ବାଲ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୫୦ ଟି କେନ୍ଦ୍ରରେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆମ ସଂସ୍କୃତି, ପରମ୍ପରା ଓ ନୈତିକତା ଆଧାରରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା ଅନୁଷ୍ଠାନ ପକ୍ଷରୁ କରାଯାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା , ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା , ଢେଙ୍କାନାଳ ଯୋରନ୍ଦା ମାଘମେଳାରେ ସମିତିର ସେବା କାର୍ଯ୍ୟର ପରାକାଷ୍ଠା, ସାରା ଓଡିଶା ଦେଖିଛି।

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମର ମନ୍ତ୍ର ହେଲା ସର୍ବେ ଭବନ୍ତୁ ସୁଖିନଃ । ଏହି ଆଧାରରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିଭାଷା ସବକା ସାଥ୍ , ସବକା ବିକାଶ , ସବକା ବିଶ୍ୱାସ, ସବକା ପ୍ରୟାସର ବାର୍ତ୍ତା ଓ କାର୍ଯ୍ୟକଳାପକୁ କାୟ ମନୋବାକ୍ୟରେ ଆମ ସରକାର ଅନୁପାଳନ କରିଆସୁଛି। ମୁଖ୍ୟ ବକ୍ତା ଭାବେ ସଂଘର ସଂଯୁକ୍ତ ମହାମନ୍ତ୍ରୀ ବିଜୟ ମନୋହର ପୁରାନିକ କହିଲେଯେ, ରାଜନୀତି ପରିବର୍ତ୍ତନ ପାଇଁ ବହୁମତ ଆବଶ୍ୟକ କିନ୍ତୁ ସମାଜ ପରିବର୍ତ୍ତନ ପାଇଁ ସୃଜନଶୀଳତାର ଆବଶ୍ୟକତା ଅଛି। ଉତ୍କଳ ବିପନ୍ନ ସହାୟତା ସମିତି ଭଳି ଅନୁଷ୍ଠାନ ଗୁଡିକର ସେବା ମନୋବୃତ୍ତି ଯୋଗୁଁ ଆଜି ସମାଜରେ ପରିବର୍ତ୍ତନ ଆସିଛି। ସେବାର ସଭ୍ୟତା ଆମ ଭାରତୀୟ ସଂସ୍କୃତିରେ କେଉଁ ପୁରା କାଳରୁ ରହି ଆସିଛି। ଲକଡାଉନ ସମୟରେ ଦେଶବ୍ୟାପୀ ଜନସାଧାରଣ ବାଟରେ ଯାଉଥିବା ଲୋକଙ୍କୁ ସେବା ଯୋଗାଇଦେଇ ଏହି ପରମ୍ପରାକୁ ଦର୍ଶାଇଛନ୍ତି । ଏହି ଅବସରରେ, ସମାଜସେବା ଓ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ସମାଜସେବୀ ତଥା କୃଷକ ମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମିତିର ଦୁଇଟି ସ୍ମରଣିକା ଉନ୍ମୋଚନ ହୋଇଥିଲା । କାର୍ଯ୍ୟକ୍ରମରେ ସମିତିର ସଭାପତି ଅକ୍ଷୟ କୁମାର ବିଟ ସ୍ୱାଗତଭାଷଣ ଦେଇଥିବା ବେଳେ, ଅଚ୍ୟୁତାନନ୍ଦ ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ହିମାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking