ଉତ୍ତରପ୍ରଦେଶ: ମା’ ମୋ ସ୍ତ୍ରୀ ମୋତେ ମାରିଦେବ । ମୁଁ ବଞ୍ଚି ରୁହେ ସେ ଚାହୁଁନି । ଦିନେ ନା ଦିନେ ସେ ମୋ ଜୀବନ ନେଇଯିବ । ଏମିତି କିଛି କଥାକୁ ନେଇ ଭବିଷ୍ୟବାଣୀ କରିଥିଲା ପୁଅ । ବାପା ମା’ଙ୍କ ପାଖରେ ମୃତ୍ୟୁର ଦୁଇ ଦିନ ପୂର୍ବରୁ ସ୍ତ୍ରୀର ଅସଲ ରୂପ ବିଷୟରେ ପୁଅ ଜଣାଇଥିଲା । କିନ୍ତୁ ପୁଅକୁ ବୁଝେଇ ସୁଝେଇ ସ୍ତ୍ରୀ ପାଖରେ ରହିବାକୁ ବାପା ମା’ ପରାମର୍ଶ ଦେଇଥିଲେ । ପୁଅ ବି ବାପା ମା’ଙ୍କ କଥାରେ ରାଜି ହୋଇ ସ୍ତ୍ରୀ ପାଖରେ ରହିଥିଲା । କିନ୍ତୁ ଏହା ଯେ ବାପା ମା’ଙ୍କର ସବୁଠାରୁ ବଡ଼ ଭୁଲ ହେବ ସେମାନେ କଳ୍ପନା ବି କରିନଥିଲେ । ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ । ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପାରିବାରକ କଳହ ଏବଂ ମଦ ପାଇଁ ଏକ ପରିବାର ଛାରଖାର ହୋଇଯାଇଛି । ହଁ ଆଜ୍ଞା ଏଠାରେ ରହୁଥିବା ଜଣେ ସ୍ତ୍ରୀ ନିଜ ସ୍ବାମୀର ଜୀବନ ନେଇଛି । କଟରା ବଜାର ଥାନା ଅଞ୍ଚଳର ପାହାଡପୁର ସହରରୁ ଆସିଛି ଛାତିଥରା ଘଟଣା । ଏଠାରେ ରହୁଥିବା ୨୫ ବର୍ଷୀୟ ଶିବମ୍ ଶୁକ୍ଲାଙ୍କ ମୃତ୍ୟୁ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କାରଣ ଶିବମ୍ ଶୁକ୍ଲାଙ୍କ ସ୍ତ୍ରୀ ନିଶା ଶୁକ୍ଲା ହିଁ ନିଜ ସ୍ବାମୀଙ୍କ ଜୀବନ ନେଇଛି । ବିବାହ ପରେ ହସଖୁସିରେ ପରିବାର ଚଳୁଥିଲା । କିନ୍ତୁ ଧୀରେ ଧୀରେ ପରିବାରର ଖୁସି ଉପରେ ଯେମିତି କାହା ନଜର ଲାଗିଗଲା । ପରିବାର ଭିତରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା ।
କିନ୍ତୁ ଅଗଷ୍ଟ ୧୬ ତାରିଖ ରାତିରେ ଏହି ବିବାଦ ହତ୍ୟାର ରୂପ ନେଲା । ହଁ ଆଜ୍ଞା ଜନ୍ମାଷ୍ଟମୀ ପାଇଁ ସବୁଆଡ଼େ ହସଖୁସିର ଉଲ୍ଲାସ ଚାଲିଥିବାବେଳେ ଶିବମଙ୍କ ଘରେ ଯେମିତି କଳା ବାଦଲ ଘୋଟି ଆସିଲା । ଗାଁରେ ହେଉଥିବା ଜନ୍ମାଷ୍ଟମୀ ଉତ୍ସବ ଦେଖି ବିଳମ୍ବିତ ରାତିରେ ମଦ ପିଇ ଘରକୁ ଫେରିଥିଲେ ଶିବମ୍ । ଏହା ପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଝଗଡ଼ା । ଝଗଡ଼ା ଏତେ ବଢ଼ିଗଲା ଯେ ହାତାହାତି ପର୍ଯ୍ୟନ୍ତ କଥା ପହଞ୍ଚି ଗଲା । ଏହି ସମୟରେ ସ୍ତ୍ରୀ ନିଶା ରାଗରେ ନିଜ ସ୍ୱାମୀର ଜୀବନ ନେଇଗଲେ । ଶିବମଙ୍କ ନିଶ୍ୱାସ ବନ୍ଦ ନହେବା ପର୍ଯ୍ୟନ୍ତ ନିଶା ସ୍ବାମୀକୁ ଛାଡିଲେ ନାହିଁ । ଶେଷରେ ଶିବମଙ୍କ ପ୍ରାଣ ବାୟୁ ଉଡ଼ିଗଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପୋଷ୍ଟମର୍ଟମ ରିପୋର୍ଟ ଓ ଶିବମଙ୍କ ବାପାଙ୍କ ଅଭିଯୋଗ ଆଧାରରେ ନିଶାଙ୍କୁ ଗିରଫ କରିଥିଲା ପୋଲିସ ।










