29.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଏନ୍‌ଜିଓ ଆଳରେ ଚାଲିଥିଲା ମାନବ ଚାଲାଣ; ଗରିବ ଘରର ଝିଅଙ୍କୁ ବିବାହ କରାଇବା ଆଳରେ ବିକ୍ରି...

ଏନ୍‌ଜିଓ ଆଳରେ ଚାଲିଥିଲା ମାନବ ଚାଲାଣ; ଗରିବ ଘରର ଝିଅଙ୍କୁ ବିବାହ କରାଇବା ଆଳରେ ବିକ୍ରି କରିଦେଉଥିଲେ

ଜୟପୁର: ରାଜସ୍ଥାନର ଏକ ଏନ୍‌ଜିଓ ଗରିବ ଝିଅମାନଙ୍କୁ କିଣି ସେମାନଙ୍କୁ ୫ ଲକ୍ଷ ଟଙ୍କା ମୂଲ୍ୟରେ ପୁରୁଷ ଖରିଦଦାର୍‌ଙ୍କୁ ବିକ୍ରି କରାଯାଉଥିବା ଭଳି ଅତ୍ୟନ୍ତ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ରାଜସ୍ଥାନରେ ଏକ ଏନ୍‌ଜିଓକୁ ଏପ୍ରକାର ଅଭିଯୋଗ ଆଧାରରେ ଅଭିଯୁକ୍ତ ଦର୍ଶାଯିବା ସହ ଏହାର ନିର୍ଦ୍ଦେଶିକା ଏବଂ ଅନ୍ୟ ୩ଜଣଙ୍କୁ ଗିରଫ କରାଯାଇଛି। ଏମାନେ ଗରିବ ଘରର ଝିଅଙ୍କୁ ବିବାହ କରାଇବାର ଲୋଭ ଦେଖାଇବା ପୂର୍ବକ ସ୍ୱଳ୍ପ ଅର୍ଥରେ କିଣିଆଣି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ଅନ୍ୟଙ୍କୁ ବିକ୍ରି କରିଦେଇଥାନ୍ତି।

ତେବେ ସାମ୍ନାକୁ ଆସିଥିବା ଏହି ଘଟଣାରେ ସମ୍ପୃକ୍ତ ଏନ୍‌ଜିଓ କିନ୍ତୁ ନିଜ ଅପରାଧକୁ ସ୍ୱୀକାର କରିବା ପରିବର୍ତ୍ତେ ଯୁକ୍ତି ବାଢ଼ିଛି ଯେ ଏହା ଗରିବ ଘରର ଯୁବତୀଙ୍କୁ ବିବାହ କରାଇବା ପୂର୍ବକ ଥଇଥାନ କରିବା ଦିଗରେ କାର୍ଯ୍ୟ କରିଥାଏ। ଏହା ଗରିବ ମହିଳାଙ୍କ ପାଇଁ ଗଣବିବାହ ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥାଏ ବୋଲି କହିଛି। କିନ୍ତ ତଦନ୍ତ ଅଧିକାରୀମାନେ କହିଛନ୍ତି ଯେ, ଗାୟତ୍ରୀ ସର୍ବସମାଜ ଫାଉଣ୍ଡେସନ୍ ନାମକ ଏହି ଏନ୍‌ଜିଓକୁ ଚଲାଉଥିବା ଗାୟତ୍ରୀ ବିଶ୍ୱକର୍ମା ନାମକ ଏହି ମହିଳାଜଣକ (ନିର୍ଦ୍ଦେଶିକା/ ସଞ୍ଚାଳିକା) ଝିଅ ଚାଲାଣକାରୀ ଏଜେଣ୍ଟମାନଙ୍କଠାରୁ ଗରିବ ପରିବାରର ଝିଅମାନଙ୍କୁ କିଣି ୨.୫-୫ ଲକ୍ଷ ଟଙ୍କାରେ କନ୍ୟା ଖୋଜୁଥିବା ଯୁବକମାନଙ୍କୁ ବିକ୍ରି କରୁଥିଲେ। ଜୟପୁରରୁ ପ୍ରାୟ ୩୦ କିଲୋମିଟର ଦୂର ବସ୍ସିର ସୁଜନପୁରା ଗାଁରେ ଏକ ଫାର୍ମହାଉସରେ ଏହାର କାର୍ଯ୍ୟାଳୟ ମଧ୍ୟ ରହିଛି। ଏହି ଏନ୍‌ଜିଓ ରୂପୀ ର‌୍ୟାକେଟ୍ ପାଇଁ କାମ କରୁଥିବା ଏଜେଣ୍ଟମାନେ ବିହାର, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତରପ୍ରଦେଶର ଗରିବ ପରିବାରରୁ ଝିଅମାନଙ୍କୁ ‘କ୍ରୟ’ କରୁଥିଲେ ଏବଂ ଗାୟତ୍ରୀ ବିଶ୍ୱକର୍ମାକୁ ‘ବିକ୍ରୟ’ କରୁଥିଲେ। ପରେ ଗାୟତ୍ରୀ ବିଶ୍ୱକର୍ମା ଝିଅମାନଙ୍କ ରଙ୍ଗ, ଉଚ୍ଚତା ଏବଂ ବୟସ ଅନୁସାରେ ‘ମୂଲ୍ୟ’ ସ୍ଥିର କରୁଥିଲେ। ଗାୟତ୍ରୀ ନାବାଳିକାଙ୍କୁ ୧୮ ବର୍ଷରୁ ଅଧିକ ବୟସ ଦେଖାଇବା ପାଇଁ ସେମାନଙ୍କ ପାଇଁ ନକଲି ଆଧାର କାର୍ଡ ମଧ୍ୟ ତିଆରି କରୁଥିଲେ। ସେ ଏପରି ପ୍ରାୟ ୧,୫୦୦ ବିବାହ କରିଥିଲେ ଏବଂ ତାଙ୍କ ବିରୋଧରେ ୧୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଛି।

ବସ୍ସି ଥାନା ଇନଚାର୍ଜ ଅଭିଜିତ ପାଟିଲ କହିଛନ୍ତି ଯେ, ରବିବାର ଦିନ ଉତ୍ତରପ୍ରଦେଶର ଜଣେ ୧୬ ବର୍ଷୀୟା ଝିଅ ଏମାନଙ୍କ କବଳରୁ ସୌଭାଗ୍ୟବଶତଃ ଖସିଆସି ପୋଲିସ ପାଖକୁ ଚାଲିଯାଇଥିଲେ। ଫଳରେ ଏହି ର‌୍ୟାକେଟ୍‌ର ପର୍ଦ୍ଦାଫାସ ହୋଇପାରିଛି। ଝିଅଟିର ବୟାନ ଆଧାରରେ, ପୋଲିସ ଫାର୍ମହାଉସରେ ଚଢାଉ କରି ଗାୟତ୍ରୀ, ତାଙ୍କ ସାଥୀ ହନୁମାନ ଏବଂ ଅନ୍ୟ ୨ଜଣ – ଭଗବାନ ଦାସ ଏବଂ ମହେନ୍ଦ୍ର ଙ୍କୁ ଗିରଫ କରିଛି। ଏମାନେ ଏହି ୧୬ ବର୍ଷୀୟା ଝିଅକୁ କିଣିବା ପାଇଁ ସେଠାକୁ ଯାଇଥିଲେ। ଗାଁ ଲୋକେ କହିଛନ୍ତି ଯେ, ସେମାନେ ଏହି ‘ଏନଜିଓ’ ବିଷୟରେ କେବଳ ଏତିକି ଜାଣିଛନ୍ତି ଯେ ଏହା ଗରିବ ପରିବାରର ଝିଅମାନଙ୍କର ବିବାହ ବ୍ୟବସ୍ଥା କରେ ଏବଂ ଫାର୍ମହାଉସ୍ ଗାଁ ଉପକଣ୍ଠରେ ଅବସ୍ଥିତ ହୋଇଥିବାରୁ ସେମାନେ ଏହା ବିଷୟରେ ଅଧିକ କିଛି ଜାଣିବାକୁ ସୁଯୋଗ ପାଇପାରୁନଥିଲେ। ତେବେ କେବଳ ଏହି ଅଞ୍ଚଳ ନୁହେଁ ବରଂ ରାଜସ୍ଥାନର ଅନେକ ପ୍ରାନ୍ତରେ ଏନ୍‌ଜିଓ ଚଳାଇବା ଆଳରେ ବାସ୍ତବରେ ହ୍ୟୁମାନ୍ ଟ୍ରାଫିକିଂ (ମାନବ ଚାଲାଣ) ଭଳି ଧର୍ତ୍ତବ୍ୟ ଅପରାଧ ବେଧଡକ ଚାଲିଛି। ଏହି କାର୍ଯ୍ୟପାଇଁ ଅନେକ ର‌୍ୟାକେଟ୍ ସକ୍ରିୟ ଥିବା ବେଳେ ଏହା ଏକ ସିଣ୍ଡିକେଟ୍ ଭଳି କାର୍ଯ୍ୟ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking