ଗଞ୍ଜାମ : ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି । ହତ୍ୟା ପରେ ମୃତଦେହ ପୋଡି ଦିଆଯାଇଥିବା ସନେ୍ଦହ କରାଯାଉଛି । ଖବର ପାଇ ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ ଓ ଆସିକା ଏସଡିପିଓ ସନ୍ତୋଷ ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ସୋରଡ଼ା ଥାନା ଅଧୀନ ଗାଜଲବାଡି ପଞ୍ଚାୟତର ଖଜୁରୀପଲି ଗ୍ରାମ ନିକଟସ୍ଥ କୋଟାମଣି ପାହାଡ ଅଞ୍ଚଳରେ ଶନିବାର କେତେଜଣ ଗ୍ରାମବାସ ଜାଲେଣି କାଠ ସଂଗ୍ରହ ପାଇଁ ଯାଇଥିଲେ । ଏହି ସମୟରେ ଗ୍ରାମବାସୀ ଜଙ୍ଗଲ ଭିତରେ ମଣିଷ କଙ୍କାଳ ଓ ପଞ୍ଜରା ହାଡ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେମାନେ ଭୟଭୀତ ହୋଇ ଚାଲିଆସି ଗାଜଲବାଡି ସରପଞ୍ଚକୁ ଜଣାଇଥିଲେ । ଏହି ସମ୍ପର୍କରେ ସରପଞ୍ଚ ସୋରଡ଼ା ଥାନାକୁ ଖବର ଦେଇଥିଲେ ।
ପରେ ଘଟଣାସ୍ଥଳରେ ସୋରଡ଼ା ଥାନା ଅଧିକାରୀ ସାହୁ ଓ ଏସ୍ଡିପିଓ ଜେନା ଘଟଣା ସ୍ଥଳରେ ପହଞ୍ଚି ଜଙ୍ଗଲରୁ ଗୋଟିଏ ମଣିଷ ଖପୁରି ଓ ପଞ୍ଜରା ହାଡ ଠାବ କରି ତଦନ୍ତ କରିଛନ୍ତି । ଏଥିସହ ଆଖପାଖ ସ୍ଥାନରେ ଖୋଜାଖୋଜି କରି ପୋଲିସ ମୋବାଇଲ ଫୋନ, ପ୍ୟାଣ୍ଟଶାର୍ଟ, ବେକର ମାଳି ଓ ଗୋଟିଏ ବ୍ରେସଲେଟ୍ ମଧ୍ୟ ପାଇଛି । ମିଳିଥିବା ଜିନିଷକୁ ଦେଖିଲେ ଏଠାରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ହତ୍ୟା ପରେ ମୃତଦେହ ପୋଡି ଦେଇଥିବା ପୋଲିସ ସନେ୍ଦହ କରୁଛି । ତେବେ ଘଟଣା ସମ୍ପର୍କରେ ପ୍ରକୃତ ତଥ୍ୟ ମିଳିବା କଷ୍ଟକର ହୋଇପଡିଛି । ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସାଇଣ୍ଟିଫିକ ଟିମ୍କୁ ଅବଗତ କରାଯାଇଛି । ମିଳିଥିବା ସାମଗ୍ରୀରୁ ମୃତକଙ୍କ ବୟସ ୨୦ରୁ ୨୫ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ୨୮ା୧୧ା୨୪ରେ ଗାଜଲବାଡି ନିକଟସ୍ଥ ସିକୁଳାପଦର ଜଙ୍ଗଲରୁ ଜଣେ ଦରପୋଡା ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା । ଏହାର ତିନିମାସ ପରେ ପୁଣି ଥରେ ଆଉ ଜଣେ ବ୍ୟକ୍ତିଙ୍କ ଖପୁରି ଓ ପଞ୍ଜାରା ହାଡ଼ ଜଙ୍ଗଲରୁ ଠାବ ହେବା ଏହା ପଛରେ ଏକ ର଼୍ୟାକେଟ୍? କାମ କରୁଥିବା ସନେ୍ଦହକୁ ଦୃଢୀଭୂତ କରୁଛି ।