22.1 C
Bhubaneswar
Thursday, February 12, 2026
Homeଓଡିଶାବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବୌଦ୍ଧ, ରାୟଗଡା ଏବଂ ଫୁଲବାଣୀ ଜିଲ୍ଲା ପୋଲିସ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ମୋଟ ୩୩୨୭ କେଜି ଗଞ୍ଜେଇ ଜବତ କରାଯାଇଥିବାବେଳେ ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହୃତ ହେଉଥିବା ବାଇକ ଏବଂ ପିକ ଅପ୍ ଭ୍ୟାନକୁ ମଧ୍ୟ ପୋଲିସ ଜବତ କରିଛି । ରାୟଗଡା ଜିଲ୍ଲା ଗୁଣୁପୁର ଥାନା, ବୌଦ୍ଧ ଜିଲ୍ଲାରେ ଗୋଛପଡା ଏବଂ ବୌଦ୍ଧ ଥାନାରେ ଦୁଇଟି ମାମଲା ଏବଂ ଅନ୍ୟଟି ଫୁଲବାଣୀ ସଦର ଥାନାରେ ପଞ୍ଜିକୃତ ହୋଇଛି । ବୌଦ୍ଧ ଥାନା ଅଧୀନ ନେନ୍ଦନ ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଅଭିଯୁକ୍ତମାନେ ଏକ ପିକ ଅପ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମ୍ପର୍କରେ ଖବର ପାଇ ପୋଲିସ ଯାଞ୍ଚ କରିଥିଲା। ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ୧୩୨୫ କେଜି ଗଞ୍ଜେଇ ଓ ପିକ ଅପ ଭ୍ୟାନକୁ ପୋଲିସ ଜବତ କରିଛି ।

ସେହିପରି ଅନ୍ୟ ଏକ ମାମଲା ବୌଦ୍ଧ ଜିଲ୍ଲା ଗୋଛପଡା ଥାନାରେ ପଞ୍ଜିକୃତ ହୋଇଛି। କାଟ୍ରେଙ୍ଗିଆ ଗ୍ରାମ ପଂଚାୟତ ପାଦେବି ଗାଁ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୧୦୨୦ କେଜି ଗଞ୍ଜେଇ ସହ ଏକ ମହିନ୍ଦ୍ରା ବୋଲେରୋ ଗାଡ଼ି ଜବତ କରିଛି। ସେହିପରି ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଆରଏମସି ଚେକ ପୋଷ୍ଟ ନିକଟରେ ପୋଲିସ ଗାଡି ଯାଞ୍ଚ କରୁଥିବା ବେଳେ ଜୟନ୍ତ ବେହେରା ନାମକ ଜଣେ ଅଭିଯୁକ୍ତଙ୍କ ନିକଟରୁ ୬୩୦ କେଜି ଗଂଜେଇ ଜବତ କରାଯାଇଛି। ଏହା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେହିପରି ଅନ୍ୟ ଏକ ମାମଲା ଫୁଲବାଣୀ ସଦର ଥାନାରେ ପଞ୍ଜିକରଣ ହୋଇଛି। ତୁଡ଼ିପାଦୁ ଗ୍ରାମ ପଂଚାୟତ କାତ୍ରିମ୍ବା ଘାଟି ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସଂକ୍ରାନ୍ତରେ ସୂଚନା ପାଇ ପୋଲିସ ଚଢାଉ କରିଥିଲା। ଘଟଣାସ୍ଥଳରୁ ପୋଲିସ ଭକ୍ତି ବେହେରା, ବିନୋଦ ବେହେରା ଏବଂ ସାରଳା ବେହେରା ନାମକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୧୪ ଟି ପଲିଥିନ ବ୍ୟାଗରେ ଭର୍ତ୍ତି ହୋଇଥିବା ୩୫୨.୮ କେଜି ଗଞ୍ଜେଇ ଜବତ କରିଛି ।

ଉପରୋକ୍ତ ସମସ୍ତ ମାମଲାର ତଦନ୍ତ ଜାରି ରହିଛି ଏବଂ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଉଲ୍ଲେଖଯୋଗ୍ୟ ଯେ,ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି। ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି। ଏହି ସ୍ୱତନ୍ତ୍ର ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ସୀମା ମଧ୍ୟରେ ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟ କରିବାକୁ ଡିଜିପି ଶ୍ରୀ ଖୁରାନିଆ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯାନ ଗତବର୍ଷ ନଭେମ୍ବର ମାସ ୦୧ ତାରିଖରୁ ଆରମ୍ଭ ହୋଇଥିଲାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ୬୨୧ ଟି ମାମଲା ରୁଜୁ କରାଯାଇ ପ୍ରାୟ ୨୫ ହଜାର ୭୪୫ ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking